ଅଲିମ୍ପିକ୍ସକୁ ଝୁରୁଛନ୍ତି ୱିଲିୟମ ଖାଲଖୋ, ଇଂଲଣ୍ଡଠାରୁ ପରାସ୍ତ ହେବା ପରେ ଧୂଳିସାତ୍‌ ହୋଇଥିଲା ସ୍ବପ୍ନ

ରାଉରକେଲା: ଏବେ ଟୋକିଓଠାରେ ଅଲିମ୍ପିକ୍ସ ଚାଲିଥିବା ବେଳେ ନିଜେ ଖେଳିଥିବା ଏହି କ୍ରୀଡ଼ା ମହାକୁମ୍ଭକୁ ଝୁରୁଛନ୍ତି ୱିଲିୟମ୍‌ ଖାଲଖୋ। ଅଲିମ୍ପିକ୍ସ ଖେଳୁଥିବା ସମୟର ପ୍ରତିଟି ମୁହୂର୍ତ୍ତକୁ ମନେପକାଇବା ସହିତ କିଭଳି ତାଙ୍କର ଦ୍ବିତୀୟ ଅଲିମ୍ପିକ୍ସ ଖେଳିବା ସ୍ବପ୍ନ ଚୂର୍‌ମାର୍‌ ହେଲା, ସେ ସମ୍ପର୍କରେ ସ୍ମୃତିଚାରଣ କରିଛନ୍ତି। ଇଂଲଣ୍ଡଠାରୁ ପରାସ୍ତ ହେବା ତାଙ୍କ ପାଇଁ ଦୁଃଖଦ ମୁହୂର୍ତ୍ତ ଥିଲା। ଏହି ପରାଜୟ ଯୋଗୁ ହିଁ ଦ୍ବିତୀୟ ଅଲିମ୍ପିକ୍ସରେ ଖେଳିବାର ସୁଯୋଗ ପାଇନଥିଲେ। ତେବେ, ମ୍ୟାଚ୍‌ବେଳେ ପ୍ରତିଟି ମୁହୂର୍ତ୍ତ ସୁଯୋଗ ସୃଷ୍ଟି କରିଥାଏ। ଏହି ସୁଯୋଗର ସଦୁପଯୋଗ କଲେ ଦଳ ବିଜୟୀ ହେବା ସହ ପଦକ ଜିତିପାରିବ ବୋଲି ‘ସମ୍ବାଦ’କୁ କହିଛନ୍ତି ପୂର୍ବତନ ଅଲିମ୍ପିଆନ ଖାଲଖୋ। ଏଥିସହିତ, ଦିଲୀପ, ଇଗ୍ନେସ, ଧନରାଜ ଓ ହଲାପ୍ପାଙ୍କ ସହ ପଡ଼ିଆର ପ୍ରତିଟି ମୂହୁର୍ତ୍ତ ଅବିସ୍ମରଣୀୟ ବୋଲି ଉଲ୍ଲେଖ କରିଛନ୍ତି।

୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ପ୍ରତିନିଧିତ୍ବ କରିଥିଲେ ପାନପୋଷ କ୍ରୀଡ଼ା ଛାତ୍ରାବାସର ଏହି ପୂର୍ବତନ ଛାତ୍ର ୱିଲିୟମ୍‌ ଖାଲଖୋ। ୨୦୦୩ ମସିହାରେ କନିଷ୍ଠ ଜାତୀୟ ଦଳରେ ପଦାର୍ପଣ କରିବାର ମାତ୍ର ବର୍ଷକ ଭିତରେ ତାଙ୍କୁ ବରିଷ୍ଠ ଦଳରେ ସ୍ଥାନ ମିଳିଥିଲା। କନିଷ୍ଠ ବର୍ଗରେ ୩ ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ବଳରେ ତାଙ୍କୁ ବରିଷ୍ଠ ଦଳ ପାଇଁ ଡାକରା ମିଳିଥିଲା। ତେବେ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାଗନେବା ପୂର୍ବରୁ ଭାରତୀୟ ଦଳ ପକ୍ଷରୁ ଆଜଲାନ୍‌ ଶାହା କପ୍‌, ନେଦରଲାଣ୍ଡ୍‌ ସହ ଟେଷ୍ଟ୍‌ ମ୍ୟାଚ୍‌ ଓ ଅଲିମ୍ପିକ୍ସ କ୍ବାଲିଫାୟ୍‌ରରେ ଖେଳିଥିଲେ ଡିଫେଣ୍ଡର୍‌ ୱିଲିୟମ। ଏହି ତିନୋଟି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ଅଲିମ୍ପିକ୍ସ ଦଳରେ ସ୍ଥାନ ସୁରକ୍ଷିତ କରିଥିଲେ। ୨୦୧୧ ମସିହାରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ୱିଲିୟମ ଶହେରୁ ଅଧିକ ଗୋଲ୍‌ ଦେଇଥିଲେ। ପ୍ରାୟ ୧୨୬ଟି ମ୍ୟାଚ୍‌ ଖେଳିଥିବା ୱିଲିୟମ କିନ୍ତୁ ପରବର୍ତ୍ତୀ ସମୟରେ ଆହତଜନିତ ସମସ୍ୟା ଯୋଗୁଁ ହକିରୁ ବିଦାୟ ନେଇଥିଲେ। ତେବେ ନିଜ ଅଲିମ୍ପିକ୍ସ ଅଭିଜ୍ଞତା କଥା କହିବାବେଳେ ୱିଲିୟମଙ୍କ ଆଖି ଏବେବି ଝଲସି ଉଠେ।

ଏ ସମ୍ପର୍କରେ ସେ ସ୍ମୃତିଚାରଣ କରି କହିଛନ୍ତି, ‘୨୦୦୪ ଏଥେନ୍ସ ଅଲିମ୍ପିକ୍‌ ପାଇଁ ଭାରତୀୟ ଦଳରେ ସାମିଲ ହେବା, ମୋ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ। ଦଳରେ ସାମିଲ ହେବା ସୂଚନା ପାଇବାପରେ ଯାହା ଅନୁଭୂତ ହୋଇଥିଲା, ତାହା ଏବେ ଆଖି ସାମ୍ନାରେ ଝଲସି ଉଠୁଛି। ଅଲିମ୍ପିକ୍‌ରେ ଆମ ଦଳ ବିଶେଷ ସଫଳତା ପାଇନଥିଲା। ଦଳ ୭ମ ସ୍ଥାନରେ ରହି ଅଲିମ୍ପିକ୍‌ ଯାତ୍ରା ଶେଷ କରିଥିଲା। ଆଶାନୁରୂପ ଫଳ ମିଳିନଥିଲା ସତ, ମାତ୍ର ଯେଉଁ ଅଭିଜ୍ଞତା ହାସଲ କଲି ତାହା ପରବର୍ତ୍ତୀ ସମୟରେ ଖେଳକୁ ଆହୁରି ବିକଶିତ କରିବାରେ ସହାୟକ ହୋଇଥିଲା। ଏତଦ୍‌ବ୍ୟତୀତ ମହାନ ହକି ଖେଳାଳି ଦିଲୀପ ତିର୍କୀ, ଇଗ୍ନେସ ତିର୍କୀ, ଧନରାଜ ପିଲ୍ଲେ ଓ ଅର୍ଜୁନ ହଲାପ୍ପାଙ୍କ ସହ ପଡ଼ିଆରେ ବିତାଇଥିବା ପ୍ରତିଟି ମୁହୂର୍ତ୍ତ ଅବିସ୍ମରଣୀୟ ହୋଇରହିବ।’ ‘କ୍ରୀଡ଼ା ଜୀବନରେ ଅନେକ ସୁଃଖଦ ଓ ଦୁଃଖଦ ମୁହୂର୍ତ୍ତ ଆସିଛି। ୨୦୦୮ ମସିହାରେ ଭାରତୀୟ ଦଳ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ନପାରିବା ବେଶ୍‌ ଦୁଃଖଦାୟକ ଥିଲା। ଇଂଲଣ୍ଡଠାରୁ ପରାସ୍ତ ହେବାପରେ ମୋର ଦ୍ବିତୀୟ ଅଲିମ୍ପିକ୍‌ ଖେଳିବା ସ୍ବପ୍ନ ଚୂର୍‌ମାର୍‌ ହୋଇଯାଇଥିଲା। ଯଦିଓ ତାର ଠିକ୍ ପୂର୍ବରୁ ୨୦୦୭ରେ ଏସିଆ କପ୍‌ ବିଜୟୀ ହୋଇଥିବାରୁ ଆମେ ବେଶ୍‌‌ ଆଶାବାଦୀ ଥିଲୁ। କିନ୍ତୁ ଫଳ ଆଶାନୁରୂପ ମିଳିନଥିଲା, ’ ବୋଲି କହିଛନ୍ତି ଖାଲଖୋ।

ଏଥିସହିତ, ବର୍ତ୍ତମାନ ଟୋକିଓ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ଉଦ୍ଦେଶ୍ୟରେ ଖାଲଖୋ କହିଛନ୍ତି, ‘ ବର୍ତ୍ତମାନ ଟୋକିଓ ଯାଇଥିବା ଉଭୟ ପୁରୁଷ ଓ ମହିଳା ଦଳ ଦମ୍‌ଦାର ଅଛି। ଅଭିଜ୍ଞ ଓ ଉଦୀୟମାନ ତାରକାଙ୍କୁ ନେଇ ଗଠିତ ଦଳ ଆଗାମୀ ଦିନରେ ନିଶ୍ଚିତ ଚମତ୍କାର କରିବ। ଏହି ଦଳ ପାଖରେ ‌ପ୍ରଚୁର କ୍ରୀଡ଼ା ନୈପୁଣ୍ୟ ଭରିରହିଛି। ପୁରୁଷ ଦଳ ଅନ୍ୟୂନ ସେମିଫାଇନାଲ ଯାଏଁ ଯିବେ ବୋଲି ଆଶା ରହିଛି। ତେବେ ଦଳକୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ। ଗୋଲ ହେବାମାତ୍ରେ ଟିକିଏ ବି ଭାଙ୍ଗିନପଡ଼ି, ହେଳା ନ କରି ମନୋବଳକୁ ସୁଦୃଢ଼ କରିବାକୁ ହେବ। ମ୍ୟାଚ୍‌ବେଳେ ପ୍ରତିଟି ମୂହୁର୍ତ୍ତରେ ସୁଯୋଗ ସୃଷ୍ଟି ହୋଇଥାଏ। ଏହି ସୁଯୋଗର ସଦୁପଯୋଗ କରିବାକୁ ହେବ।’

ଉଲ୍ଲେଖଯୋଗ୍ୟ ଯେ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ ବର୍ତ୍ତମାନ ଜାପାନର ଟୋକିଓଠାରେ ଜାରିରହିଛି। ଏଥିରେ ବିଭିନ୍ନ ବର୍ଗରେ ଦେଶର ୧୨୭ ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶାର ୫ ଜଣ ଥିବାବେଳେ ସର୍ବାଧିକ ଅର୍ଥାତ୍‌ ୪ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର। ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳରେ ସାମିଲ ହୋଇଥିବା ଏହି ୪ ଖେଳାଳି ହେଉଛନ୍ତି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ୍‌ ଏକ୍କା ଓ ନମିତା ଟ‌ପ୍ପୋ। ଏହି କ୍ରୀଡ଼ା ମହୋତ୍ସବକୁ ନେଇ ଜିଲ୍ଲାରେ ଉତ୍ସାହ ଦେଖାଦେଇଛି। ଏ ମାଟିର ଜନ୍ମିତ ଖେଳାଳିମାନଙ୍କଠାରୁ ପଦକ ଆଶାରେ ରହିଛନ୍ତି ଜିଲ୍ଲାବାସୀ। ଏମାନଙ୍କୁ ବହୁ ପ୍ରତିଷ୍ଠିତ କ୍ରୀଡ଼ାବିତ୍‌, କ୍ରୀଡ଼ା ସଂଗଠକ, କ୍ରୀଡ଼ା ପ୍ରେମୀଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର