ଅନୁଗୁଳ: ବାୟୁ, ଜଳ ସହ ଶବ୍ଦ ପ୍ରଦୂଷଣ ଯୋଗୁ ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ପରିବେଶକୁ ବଞ୍ଚାଇବାକୁ ପଡ଼ିବ। ପରିବେଶ ସୁରକ୍ଷା ପାଇଁ ଟଙ୍କା ନୁହେଁ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି। ପାଳଲହଡ଼ା ନିର୍ବାଚନମଣ୍ଡଳୀର କଣିହାଁ ବ୍ଲକ୍ ସମଲ ବ୍ୟାରେଜଠାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ଅତିଥି ଭାବେ ଯୋଗ ଦେଇ ବିଧାୟକ ପରିବେଶକୁ ମା’ ମନେକରି ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ। ବିଧାୟକ କହିଥିଲେ, ପରିବେଶ ସୁରକ୍ଷା କାହାରି ଜଣଙ୍କର ଦାୟିତ୍ବ ନୁହେଁ। ଏଥିପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ। ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ପଡ଼ିବ। ପାଳଲହଡ଼ା ବିଧାନସଭା କ୍ଷେତ୍ରରେ
ପ୍ରତିବର୍ଷ ୨ ଲକ୍ଷ ଗଛ ଲଗାଇବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏହା ସହ ଗଛ ଲଗାଇବା ପାଇଁ ଯୁବବର୍ଗଙ୍କୁ ଉତ୍ସାହିତ କରୁଥିବା କହିଥିଲେ। ଯୁବଗୋଷ୍ଠୀ ଗଛ ଲଗାଇବା ପରେ ଏହି ଗଛ ସହିତ ସେଲଫି ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ବିଧାୟକ ଆହ୍ବାନ ଦେଇଥିଲେ। ପବିତ୍ର ନଗର ଡିଗ୍ରି କଲେଜର ଅଧ୍ୟକ୍ଷ ବନୋଜ କୁମାର ପ୍ରଧାନ ବକ୍ତା ଭାବେ ଯୋଗ ଦେଇ ପରିବେଶଠାରୁ ଆମେ କ’ଣ ପାଉଛୁ ଏବଂ ପରିବେଶ ପାଇଁ ଆମର କର୍ତ୍ତବ୍ୟ କ’ଣ ରହିଛି ସେ ଉପରେ ଆଲୋକପାତ କରିଥିଲେ। ‘ସମ୍ବାଦ’ ଅନୁଗୁଳ ସଂସ୍କରଣ ମୁଖ୍ୟ ପ୍ରଦ୍ୟୁମ୍ନ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳର ବରିଷ୍ଠ ଜିଲ୍ଲା ପ୍ରତିନିଧି ପତିତପାବନ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ। କଣିହାଁ ପ୍ରତିନିଧି ଭୂପେନ ଗଡ଼ନାୟକ ସ୍ବାଗତ ଭାଷଣ ଦେଇଥିଲା ବେଳେ ପାଳଲହଡ଼ା ପ୍ରତିନିଧି ରଘୁନନ୍ଦନ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। ପବିତ୍ରନଗର ପ୍ରତିନିଧି ଯୁଗଳ କିଶୋର ସାହୁ ସହଯୋଗ କରିଥିଲେ।