ଦେଶରେ ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବଳକା ୩ଟି ପର୍ଯ୍ୟାୟ ପାଇଁ ଓଡ଼ିଶାରେ ଜୋର୍‌ଦାର୍‌ ପ୍ରଚାର ଚାଲିଛି। ଏସବୁକୁ ନେଇ ରାଜନୈତିକ ପାଣିପାଗ ସରଗରମ। ବିଜେପି-ବିଜେଡି ସାଙ୍ଗକୁ କଂଗ୍ରେସ ମଧ୍ୟ ନିଜର ଉଦ୍ୟମ ଜାରି ରଖିଛି। ଏଭଳି ସମୟରେ ଓଡ଼ିଶାରେ କଂଗ୍ରେସର ସ୍ବରକୁ ଅଧିକ ଶାଣିତ କରିଛନ୍ତି ଏଆଇସିସି ସମ୍ପାଦକ ଜୟରାମ ରମେଶ। ଭୁବନେଶ୍ବର ଆସିଥିବା ସମୟରେ ଶ୍ରୀ ରମେଶଙ୍କୁ ଭେଟିଛନ୍ତି ‘ସମ୍ବାଦ’ ପ୍ରତିନିଧି କ୍ଷିତୀଶ ରାୟ।

Advertisment

8ଓଡ଼ିଶା ପାଇଁ କଂଗ୍ରେସର ନିର୍ବାଚନ ପ୍ରସଙ୍ଗ କ’ଣ ?
ଚାଷୀ, ଯୁବକ, ଶ୍ରମିକ, ମହିଳା ଓ ପଛୁଆବର୍ଗଙ୍କ ନ୍ୟାୟକୁ ନେଇ କଂଗ୍ରେସ ଲୋକସଭା ଓ ବିଧାନସଭା ପାଇଁ ୧୦ ଗ୍ୟାରେଣ୍ଟି ଦେଇଛି। ନିର୍ବାଚନ ପ୍ରଚାର ଏସବୁ ପ୍ରସଙ୍ଗ ଉପରେ ଆଧାରିତ। ପ୍ରତ୍ୟେକ ଗରିବ ପରିବାରର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୧ଲକ୍ଷ ଟଙ୍କା, ଡିଗ୍ରି ବା ଡିପ୍ଲୋମା କରିଥିବା ୧ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଓ ୧ବର୍ଷ ପାଇଁ ଭତ୍ତା, ଚାଷୀଙ୍କୁ ଏମ୍‌ଏସ୍‌ପି ପାଇଁ ଆଇନ ଆଣିବା ସହ ଋଣ ଛାଡ଼ କରାଯିବ। କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କିଭଳି ଢଙ୍ଗରେ କରାଯିବ ତାହା ଉପରେ ବିଚାର କରାଯିବ। ଏହାସହ ଜାତି ଜନଗଣନାକୁ ଦଳ ଗୁରୁତ୍ବ ଦେଇଛି। ଏହାସହ ଏସ୍‌ସି, ଏସ୍‌ଟି ଓ ଓବିସିଙ୍କ ସର୍ବାଧିକ ସଂରକ୍ଷଣ ନେଇ ଯେଉଁ ୫୦% ସୀମା ରହିଛି ତାହାକୁ ବଢ଼ାଯିବ। ତାମିଲନାଡ଼ୁରେ ଏହା ୬୯% ରହିଛି ଓ ଏହାକୁ ୧୯୯୪ରେ ସମ୍ବିଧାନରେ ସାମିଲ କରାଯାଇଛି। ତେଣୁ ସଂରକ୍ଷଣକୁ ୫୦% ଉପରକୁ ନେଲେ ଏହା ସମ୍ବିଧାନ ବିରୋଧ ବୋଲି ବିଚାର କରାଯିବ। ଏଥିପାଇଁ ଏହି ସୀମାକୁ ହଟାଇବାକୁ କଂଗ୍ରେସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
8ଓଡ଼ିଶାରେ ବିଜେପି ଓଡ଼ିଆ ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ୁଥିବା କହୁଛି। କଂଗ୍ରେସ କିଭଳି ଢଙ୍ଗରେ ମୁକାବିଲା କରିବ?
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମୋଦୀ ସରକାର ନୁହେଁ ବରଂ ୨୦ ଫେବ୍ରୁଆରି ୨୦୧୪ ତାରିଖରେ ଡ. ମନମୋହନ ସିଂହ ସରକାର ଦେଇଥିଲେ। ଦେଶରେ ୬ଟି ଶାସ୍ତ୍ରୀୟ ଭାଷା ରହିଛି। ଏସବୁ ଭାଷା ପାଇଁ କେନ୍ଦ୍ର ସରକାର ସହାୟତା ଦେଇଥାନ୍ତି। ମୋଦୀ ସରକାର ସଂସ୍କୃତ ଭାଷା ପାଇଁ ସାଢ଼େ ୬ଶହ କୋଟି ଖର୍ଚ୍ଚ କରିଛନ୍ତି। ତାମିଲ୍ ପାଇଁ ୨୫କୋଟି, କନ୍ନଡ଼ ଓ ମାଲୟାଲମ ଓ ତେଲୁଗୁ ଭାଷା ପାଇଁ ୨-୩ କୋଟି ଓ ଓଡ଼ିଆ ଭାଷା ପାଇଁ ଶୂନ ଅର୍ଥ ଦେଇଛନ୍ତି। ୨୦୨୦ ମାର୍ଚ୍ଚ ୧୬ ତାରିଖରେ ସଂସଦରେ ଏ ପ୍ରସଙ୍ଗ ଉଠାଇଥିଲି। କେନ୍ଦ୍ର ସରକାର ସଂସଦରେ ଦେଇଥିବା ତଥ୍ୟରେ ୨୦୨୦ ପର୍ଯ୍ୟନ୍ତ କିଛି ଅର୍ଥ ଦେଇ ନ ଥିଲେ। ପରବର୍ତ୍ତୀ ସମୟରେ ହୁଏତ କିଛି ଅର୍ଥ ଦେଇପାରନ୍ତି ମୁଁ ଏକଥା କହିପାରିବି ନାହିଁ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ସମୁଦାୟ ବଜେଟ୍‌ର ୪୮% ଓଡ଼ିଶା ପାଉଥିଲା। ମାତ୍ର ଏବେ ୪୧% ପାଉଛି। ଅର୍ଥର ପରିମାଣ ବଢ଼ିଛି ମାତ୍ର ପ୍ରତିଶତରେ ହ୍ରାସ ପାଇଛି।
8 ବହୁ ବର୍ଷ ହେବ ଓଡ଼ିଶାରେ କଂଗ୍ରେସ ଶାସନରେ ନାହିଁ। ଦଳର ସାଂଗଠନିକ ସ୍ଥିତି ମଧ୍ୟ ଦୁର୍ବଳ। ଏଭଳି ସ୍ଥିତିରେ କଂଗ୍ରେସ କିଭଳି ବିଜେପି-ବିଜେଡିର ମୁକାବିଲା କରିବ ?
ହଁ, ଏକଥା ସତ ଦୀର୍ଘ ୨୫ବର୍ଷ ହେବ ଓଡ଼ିଶାରେ କଂଗ୍ରେସ ଶାସନଠାରୁ ଦୂରେଇ ରହିଛି। କଂଗ୍ରେସକୁ ବିରୋଧୀ ଦଳରେ ରହିବାକୁ ପଡ଼ିଛି। ବିରୋଧୀ ଦଳର ରାଜନୀତି ମଧ୍ୟ ଅଲଗା। ଅନେକ ନେତା କଂଗ୍ରେସ ଛାଡ଼ି ପଳାଇଛନ୍ତି। ଏହାସତ୍ତ୍ବେ ବି ଯେଉଁମାନେ ଦଳରେ ଅଛନ୍ତି, ସେମାନେ ଦଳର ବିଚାରଧାରା ସହ ଜଡ଼ିତ। ଅନେକ ‌ନୂଆ ଲୋକ ମଧ୍ୟ ଦଳରେ ଯୋଗ ଦେଇଛନ୍ତି। ଦଳକୁ ପୁଣିଥରେ ଠିଆ କରାଇବା ଲାଗି ଉଦ୍ୟମ କରାଯାଉଛି। ପୁନରୁଦ୍ଧାର କରିବା ଲାଗି ସମୟ ଲାଗିଥାଏ। ମାତ୍ର ଓଡ଼ିଶାରେ ଏବେ ପରିବର୍ତ୍ତନର ହାୱା ବୋହୁଛି। ଚଳିତ ନିର୍ବାଚନରେ ଲୋକସଭା ଓ ବିଧାନସଭାରେ କଂଗ୍ରେସକୁ ସଫଳତା ମିଳିବ। ୨୦୦୪ ମସିହାରେ ଯାହା ହୋଇଥିଲା ଲୋକସଭାରେ ଏଥର କଂଗ୍ରେସ ତାହା ଦୋହରାଇବାକୁ ଯାଉଛି। ‘ଇଣ୍ଡି’ ମେଣ୍ଟକୁ ଦେଶରେ ସଫଳତା ମିଳିବ। ଓଡ଼ିଶାରେ ବିଧାନସଭା ବିଷୟରେ ବିଶେଷ କିଛି କହିପାରିବି ନାହିଁ।
8ଓପିସିସି ସଭାପତି ୯ରୁ ୯୦ ମିସନ୍‌ର ଡାକରା ଦେଇଛନ୍ତି। ଓଡ଼ିଶାରେ କ’ଣ ଏହା ସମ୍ଭବ ହେବ ?
ଏହା ଅସମ୍ଭବ ନୁହେଁ। ଏହି ସ୍ଲୋଗାନ ପଛର ଉଦ୍ଦେଶ୍ୟ ହେଉଛି ଚଳିତ ନିର୍ବାଚନରେ କଂଗ୍ରେସ ବିଗତ ୨୪ବର୍ଷରେ ଯାହା କରିପାରି ନ ଥିଲା ତାହା ହେବ। ଏହାକୁ ବାସ୍ତବତାରେ ପରିଣତ କରିବାକୁ ହେଲେ ତୃଣମୂଳସ୍ତରରେ ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ୪୦ବର୍ଷ ପୂର୍ବରୁ ବିଜେପିର ୨ ସାଂସଦ ଥିଲେ, ସେ ଦଳ ଏବେ ୪ଶହ କଥା କହୁଛି। ତେଣୁ ୮୯ କିମ୍ବା ୯୧ ଏହି ସଂଖ୍ୟାକୁ ଗୁରୁତ୍ବ ଦେବାଟା ଠିକ୍ ନୁହେଁ।
8ରତ୍ନଭଣ୍ଡାର ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ପ୍ରଚାର ସମୟରେ ଉଠାଇଛନ୍ତି। କଂଗ୍ରେସର ଶୀର୍ଷ ନେତୃତ୍ବ କ’ଣ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବେ ?
ଧାର୍ମିକ ପ୍ରସଙ୍ଗର ରାଜନୀତୀକରଣ କରାଯିବା ଭୁଲ୍। ରାମ ମନ୍ଦିର ହେଉ ବା ଜଗନ୍ନାଥ ମନ୍ଦିର ଏସବୁ ପବିତ୍ର ସ୍ଥଳ। ମାତ୍ର ଏହାର ରାଜନୀତିକରଣ କରିବା ଠିକ୍ ନୁହେଁ। ବେରୋଜଗାରୀ, ଦରବୃଦ୍ଧି, ଆଦିବାସୀ ଆଇନକୁ ଦୁର୍ବଳ କରିବା, ୫୦% ସଂରକ୍ଷଣ ଭଳି ଅନେକ ପ୍ରସଙ୍ଗକୁ ନେଇ ଦଳ ନିର୍ବାଚନ ଲଢ଼ୁଛି। ସାମାଜିକ, ଆର୍ଥିକ ଓ ରାଜନୈତିକ ପ୍ରସଙ୍ଗ ବଦଳରେ ଧାର୍ମିକ ପ୍ରସଙ୍ଗରେ ନିର୍ବାଚନ ଲଢ଼ି‌ବା ମୋ ମତରେ ଉଚିତ ନୁହେଁ।