ଆଜି ବିଳମ୍ବିତ ରାତିରେ ପବନର ବେଗ ହଠାତ୍ ବଢ଼ିପାରେ, ଲୋକେ ସତର୍କ ରହିଲେ ଭଲ: ଏସ୍ଆରସି

ଭୁବନେଶ୍ୱର: ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ‘ଅମ୍ଫାନ’ ଯୋଗୁଁ ପବନର ବେଗ ଆଜି ରାତି ହଠାତ୍ ବଢ଼ିପାରେ । ତେଣୁ ଲୋକେ ସତର୍କ ରହିବା ଦରକାର । ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆରସି) ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି ବିଳମ୍ବିତ ରାତିରେ ହଠାତ ପବନ ବହିବା ନେଇ ଆଶଙ୍କା ରହିଛି । ତେଣୁ ଆଜି ରାତି ହେଉଛି ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାଲି ସକାଳେ ପବନ ହେଉଥିବ । ତେଣୁ କାଲିକୁ ଅପେକ୍ଷା ନ କରି ଲୋକେ ଆଜି ଆଶୟସ୍ଥଳୀରେ ପହଞ୍ଚନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । କେହି ଅମଙ୍ଗ ହେଲେ ଆମେ ପୁଲିସ ଲଗାଇ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଆଣିବୁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, କାଲି ଅପରାହ୍ନ ପରେ ପବନର ବେଗ କମିଲେ ଆମେ ଘରକୁ ଫେରିପାରିବା । ଓଡ଼ିଶା ଉପକୂଳରେ ବଡ଼ ଧରଣର ଜୁଆର ଆସିବା ଜଣାପଡୁନାହିଁ । ତେଣୁ କାଲି ଦିନରେ ବାତ୍ୟା ନସରିବା ଯାଏଁ କେହି ବାହାରକୁ ନ ବାହାରିଲେ ଭଲ । କାଲି ପାଇଁ ଯେଉଁ ଜିନିଷ ଦରକାର ଆଜି ଠାରୁ ପ୍ରସ୍ତୁତ ରୁହନ୍ତୁ । ପାଣି ପାଇଁ ବାହାରକୁ ନଯିବା ପାଇଁ ଏସ୍ଆରସି ପରାମର୍ଶ ଦେଇଛନ୍ତି । ସେହିପରି ବାତ୍ୟା ସମୟରେ ବାହାରକୁ ଗାଡ଼ିରେ ନ ଯାଆନ୍ତୁ ବୋଲି ସେ କହିଛନ୍ତି ।

ଏସ୍ଆରସି ଶ୍ରୀ ଜେନା କହିଛନ୍ତି, ମହାବାତ୍ୟା ‘ଅମ୍ଫାନ’ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇସାରିଛି । ଏବେ ଏହା ପାରାଦୀପ ଠାରୁ ୩୫୦ କିମି ଓ ପଶ୍ଚିମବଙ୍ଗର ଦୀଘା ଠାରୁ ୫୧୦ କିମି ଦୂରରେ ରହିଛି । ସ୍ଥଳ ଭାଗକୁ ଏହା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପହଞ୍ଚିବ । ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ଏହା ଲ୍ୟାଣ୍ଡଫଲ କରିବାର ପୂର୍ବାନୁମାନ କରାଯାଉଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୮୫ କିମି ରହିବ ।

ଆଜି ସନ୍ଧ୍ୟା ପରଠାରୁ ଉପକୂଳବର୍ତ୍ତୀ ଓଡ଼ିଶାରେ ପବନ ବହିବା ଆରମ୍ଭ ହୋଇଛି । ଆସନ୍ତାକାଲି ସକାଳ ଠାରୁ ପବନର ବେଗ ଅଧିକ ରହିପାରେ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ତାଳସାରି ଅଞ୍ଚଳରେ ପବନର ବେଗ ଅଧିକ ହୋଇପାରେ । ଏଠାରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୫ କିମି ବହିପାରେ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବାତ୍ୟା ‘ବୁଲବୁଲ’ ଯେଉଁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା, ସେହି ଅଞ୍ଚଳରେ ଅମ୍ଫାନ ମଧ୍ୟ ତାଣ୍ଡବ ରଚିପାରରେ । କାରଣ ବୁଲବୁଲ ତୁଳନାରେ ଅମ୍ଫାନର ପ୍ରଭାବ ଅଧିକ ରହିବ । ତେଣୁ ବେଶୀ କ୍ଷତି ହେବାର ଆକଳନ ହୋଇଛି । ଏଯାଏଁ ୩୧ଟି ବିଭିନ୍ନ ଅଞ୍ଚଳରେ ଏନଡିଆରଏଫ ଓ ଓଡ୍ରାଫ ଟିମ ପହଞ୍ଚି ସାରିଛନ୍ତି । ଦିନ ୩ଟା ସୁଦ୍ଧା ୩୫ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳୀକୁ ଅଣାଯାଇଛି । ରାତି ୧୦ଟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବାର ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର