ବାତ୍ୟା ‘ଫନି’ ପ୍ରଭାବରେ ପୁରୀରେ ଘଣ୍ଟାପ୍ରତି ପବନର ବେଗ ୧୮୦ କିଲୋମିଟର, ଭୁବନେଶ୍ୱରରେ ୧୭୦

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ର ପଭ୍ରବାରେ ପୁରୀରେ ଘଣ୍ଟାପ୍ରତି ପବନ ୧୮୦ କିଲୋମିଟର ବେଗରେ ବୋହୁଛି। ରାଜଧାନୀ ଭୁବନେଶ୍ୱରରେ ଘଣ୍ଟାପ୍ରତି ବେଗ ୧୭୦ କିଲୋମିଟରରେ ବୋହୁଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଫନିର ତାଣ୍ଡବ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ଏହା ପୂର୍ବରୁ କୋଟି କୋଟି ଟଙ୍କାର ଧନଜୀବନ ନଷ୍ଟ ହୋଇସାରିଥିବ।

ରିପୋର୍ଟ ଲେଖାଯିବା ବେଳକୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଫନି ତାଣ୍ଡବ ରଚାଇଛି। ପୁରୀ, ଭୁବନେଶ୍ୱର, ପାରଦୀପ, ଜଗତସିଂହପୁର, ଗଂଜାମ, ଗଜପତି ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଳଛପର ଘର ଉଡାଇ ନେଇଥିବା ବେଳେ ରାଜରାସ୍ତା ଉପରେ ଶହ ଶହ ଗଛ ଉପୁଡି ଯାଇଛି।

ରାଜ୍ୟ ଅନ୍ୟ ସ୍ଥାନ ଗୁଡ଼ିକ ଭଳି ଭୁବନେଶ୍ୱରରେ ବି ବର୍ଷା ଲାଗିରହିଛି। ଆଉ ତଳିଆ ଅଂଚଳରେ ପାଣି ମଧ୍ୟ ପଶିଯାଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକ ଘରୁ ବାହାରକୁ ବାହାରିପାରୁ ନଥିବା ବେଳେ ରାସ୍ତାଘାଟ ଶୂନଶାନ ହୋଇଯାଇଛି।

ଏଠାରେ ସୂଚନାଥାଉ କି ଫନିର ପ୍ରଭାବକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରକୁ ଆସିବାକୁ ଥିବା କିଛି ଟ୍ରେନକୁ ବାତିଲ କରାଯିବା ସହ ଗତିପଥକୁ ପରିବର୍ତ୍ତନ କରାଯାଇଛି। ସେହିପରି ଭୁବନେଶ୍ୱର ବିମାନବନ୍ଦରକୁ ଆସିବାକୁ ଥିବା ସମସ୍ତ ବିମାନ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର