ଭୁବନେଶ୍ୱର : ଓଡ଼ିଶାର ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ତିତ୍ଲି। ଗୋପାଳପୁରଠାରୁ ଆଉ ମାତ୍ର ୧୩୦ କି.ମି ଦୂରରେ ରହିଛି ତିତ୍ଲି। ଘଣ୍ଟାକୁ ୧୧ କିଲୋମିଟର ବେଗରେ ମୁହାଁଉଛି ଓଡ଼ିଶାର ଉପକୂଳ ଆଡକୁ । ଏହାର ପ୍ରଭାବରେ ଗୋପାଳପୁରରେ ପ୍ରବଳ ବର୍ଷା ହେବା ସହ ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାରେ ଲାଗିଛି। ଏହାସହ ସମୁଦ୍ର ଅଶାନ୍ତ ହୋଇଉଠିବା ସହ ଉଚ୍ଚ ଢ଼େଉମାନ କୂଳରେ ମାଡ ହେବାରେ ଲାଗିଛି। ଗୋପାଳପୁରରେ ସମୁଦ୍ରର ସୁସୁ ଗର୍ଜନ ସହ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ତିତ୍ଲି ପ୍ରଭାବରେ କୋଣାର୍କ ଓ ଚନ୍ଦ୍ରଭାଗାରେ ମଧ୍ୟ ବର୍ଷା ଜାରି ରହିଛି। ଏଠାରେ ବର୍ତ୍ତମାନ ୫୦ରୁ ୬୦ କି.ମି. ବେଗରେ ପବନ ବହିବାରେ ଲାଗିଛି। ସମ୍ଭାବ୍ୟ ଝଡ଼ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିକ କରାଯାଇଛି। ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ।
ତେବେ ରାତିରେ ଏହି ବାତ୍ୟାର ପ୍ରକୋପ ଅଧିକ ଅନୁଭୂତ ହେବ। ଏପରିକି ତିତଲି ଉପକୂଳ ଆଡକୁ ଯେତିକି ପାଖେଇ ଆସିବ ପବନ ଓ ବର୍ଷାର ପରିମାଣ ସେତିକି ଅଧିକ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଗୋପାଳପୁରରେ ଥିବା ଡପଲର ରାଡାର ରେଂଜରେ ରହିଛି ‘ତିତଲି’। ତେବେ ଏହା ଆସନ୍ତାକାଲି ସକାଳ ୫ଟାରୁ ୧୧.୩୦ ମଧ୍ୟରେ ଉପକୂଳ ଛୁଇଁବ। ଆଉ ସ୍ଥଳଭାଗ ଛୁଇଁବା ପରେ ୪ ଘଣ୍ଟା ବାତ୍ୟାର ପ୍ରଭାବ ରହିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Titli_Breaking_Thumbnail.jpg-fff.jpg)