ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ଛୁଇଁବା ବେଳକୁ କେତେ ବେଗରେ ପବନ ବହିବ? ଆସନ୍ତୁ ଜାଣିବା ବିଭିନ୍ନ ପାଣିପାଗ ସଂସ୍ଥାର ଆକଳନ କଣ କହୁଛି

ଭୁବନେଶ୍ୱର : ବାତ୍ୟା ଫନି ଯେତିକି ଯେତିକି ଓଡିଶା ଉପକୂଳ ପାଖଉଛି, ପବନର ବେଗ ନେଇ ଆଶା ଆଶଙ୍କା ସେତିକି ଘନେଇବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଂଟାକୁ ୨୦୫ କିଲୋମିଟର ରହିବ।

ପୁରୀ ଉପକୂଳ ଦେଇ ଫନି ଅତିକ୍ରମ କରିବା ସମୟରେ କଣ ରହିବ ପବନର ବେଗ ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଉତ୍ତର ମୁହାଁ ହୋଇଥିବା ଫନି ମେ ୩ ତାରିଖରେ ଓଡିଶା ଛୁଇଁବ ଆଉ ସେତେବେଳକୁ ପବନର ବେଗ ଘଂଟାକୁ ୨୦୫ କିଲୋମିଟର ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୩ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟରେ ପୁରୀ ଉପକୂଳକୁ ଛୁଇଁବା ବେଳକୁ ଘଂଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ବେଗରେ ପବନ ବହିବ ଏବଂ ଏହା ୨୦୫ କିଲୋମିଟରକୁ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ରହିଛି।

ସ୍କାଏମେଟ ୱେଦର ରିପୋର୍ଟ ଅନୁସାରେ, ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଂଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବାର ସମ୍ଭାବନା ଅଛି । ଝଡ ଯେତିକି ଘନିଭୂତ ହେଉଥିବା ପବନର ବେଗ ସେହି ପରିମାଣରେ ବଢିବାର ମଧ୍ୟ ସମ୍ଭାବନା ରହିଛି। ତେବେ ସର୍ବାଧିକ ପବନର ବେଗ ଘଂଟା ପ୍ରତି ୨୦୫ କିଲୋମିଟର ରହିବ ବୋଲି ସ୍କାଏମେଟ ପୂର୍ବାନୁମାନ କରିଛି।

ପବନର ବେଗ ନେଇ ଆକ୍ୟୁୱେଦର କିଛି ଅଲଗା କଥା କହୁଛି । ରିପୋର୍ଟ ଅନୁସାରେ ସାମୁଦ୍ରିକ ଝଡ ପୁରୀ ଉପକୂଳ ଅତିକ୍ରମ କରିବା ସମୟରେ ଘଂଟା ପ୍ରତି ୨୧୩ କିଲୋମିଟର ବେଗରେ ବୋହିପାରେ ପବନ । ଯାହାକି ଅନ୍ୟ ରିପୋର୍ଟ ତୁଳନାରେ ପବନର ବେଗ ସର୍ବାଧିକ । ସେହିପରି ବ୍ରିଟିଶ ଷ୍ଟର୍ମ ଟ୍ରାକରର ରିପୋର୍ଟ ଅନୁସାରେ ଚାନ୍ଦବାଲି ଗୋପାଳପୁର ମଧ୍ୟରେ ଫୋନି ହିଟ କରିବା ସମୟରେ ପବନର ବେଗ ଘଂଟା ପ୍ରତି ୧୦୫ରୁ ୧୨୧ କିଲୋମିଟର ରହିବାର ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର