ମଦ ବେପାରରେ କରୋନା ମାଡ଼

ବିୟର୍‌ କମିଛି ୬୪ ପ୍ରତିଶତ; ୨୭ ପ୍ରତିଶତ କମିଛି ବିଦେଶୀ ମଦ
ଗଂଜାମ ବିୟର କାରବାରରେ ପ୍ରଥମ; ବିଦେଶୀ ମଦରେ ଖୋର୍ଧା ଜିଲ୍ଲା

କଟକ, (ଗଦାଧର ପଣ୍ଡା): କରୋନା ଯୋଗୁଁ ମାଡ଼ ପାଇଯାଇଛି ମଦ ବେପାର। ୨୦୧୯-୨୦ ଓ୨୦୨୦-୨୧ର ତୁଳନାତ୍ମକ ରିପୋର୍ଟରୁ ଏଭଳି ଚିତ୍ର ସାମ୍‌ନାକୁ ଆସିଛି। ଅବକାରୀ ବିଭାଗର ତଥ୍ୟ ମୁତାବକ ୨୦୨୦ ଏପ୍ରିଲରୁ ୨୦୨୧ ଜାନୁ୍ଆରି ମଧ୍ୟରେ ବିୟର କ‌ାରବ‌ାରରେ ୬୪.୫୫ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ବିଦେଶୀ ମଦ (ଫରେନ ଲିକର) କାରବାର ମଧ୍ୟ ଗତବର୍ଷ ତୁଳନାରେ ଚଳିତବର୍ଷ ୨୭.୭୬ ପ୍ରତିଶତ ହ୍ରାସ ପାଇଛି। କରୋନା ଲକଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ଏଭଳି ସ୍ଥିତି ଦେଖାଦେଇଛି। ରାଜ୍ୟରେ ୨୦୧୯-୨୦ରେ ୭ କୋଟି ୫୬ ଲକ୍ଷ ୯୬ ହଜାର ୮୮୬ ଲିଟର ବିୟର କାରବାର ହୋଇଥିବାବେଳେ ୨୦୨୦-୨୧ରେ ଏହା ୬୪ ପ୍ରତିଶତ ହ୍ରାସ ପାଇ ମାତ୍ର ୨ କୋଟି ୬୮ ଲକ୍ଷ ୩୮ ହଜାର ୧୦୯ ଲିଟର ବିୟର କାରବାର ହୋଇଛି। ସେହିଭଳି ୨୦୧୯-୨୦ରେ ୪ କୋଟି ୩୮ଲକ୍ଷ ୭୨ ହଜାର ୪୬୪ ଲିଟର ବିଦେଶୀ ମଦ କାରବାର ହୋଇଥିବା ବେଳେ ଏଥର କରୋନା ‌ଯୋଗୁଁ ୨୭.୭୬ ପ୍ରତିଶତ ହ୍ରାସ ପାଇ ୩ କୋଟି ୧୬ଲକ୍ଷ ୯୪ ହଜାର ୪୯ ଲିଟରରେ ସୀମିତ ରହିଛି।

ଅନ୍ୟପଟେ ମଦ ବ୍ୟବହାର ବା କିଣାରେ ରାଜ୍ୟରେ ଗଂଜାମ ଓ ଖୋର୍ଧା ଜିଲ୍ଲା ଆଗରେ ରହିଛନ୍ତି। ଗଂଜାମ ଜିଲ୍ଲା ଚଳିତବର୍ଷ ବିୟର କାରବାରରେ ପ୍ରଥମ ଥିବା ବେଳେ ଖୋର୍ଧା ଜିଲ୍ଲା ବିଦେଶୀ ମଦ କାରବାରରେ ପ୍ରଥମ ରହିଛି। ଗତ ବର୍ଷ ଗଂଜାମ ଜିଲ୍ଲା ୫୯ ଲକ୍ଷ ୮୪ ହଜାର ୩୯୯ ଲିଟର ବିୟର ପିଇଥିବ‌ା ବେଳେ ଚଳିତ ବର୍ଷ ଏପ୍ରିଲରୁ ଜାନୁଆରି ମଧ୍ୟରେ ଗଂଜାମ ମାତ୍ର ୨୭ଲକ୍ଷ ୫୫ ହଜାର ୮୧୯ ଲିଟର ବିୟର ପିଇଛି। ସେହିଭଳି ଖୋର୍ଧା ଜିଲ୍ଲା ଚଳିତ ବର୍ଷ ବିଦେଶୀ ମଦ ଅଧିକ ପିଇଛି। ଖୋର୍ଧା ଜିଲ୍ଲା ଗତ ବର୍ଷ ୫୪ ଲକ୍ଷ ୪ ହଜାର ୯୦୦ ଲିଟର ବିଦେଶୀ ମଦ ପିଇଥିବା ବେଳେ ଏଥର ଏଥିରେ ୨୭ ପ୍ରତିଶତ ହ୍ରାସ ପାଇ ୩୯ ଲକ୍ଷ ୨୯ ହଜାର ୮୫୭ ଲିଟର ବିଦେଶୀ ମଦ ପିଇଛି। ଗଂଜାମ ଜିଲ୍ଲା ବିଦେଶୀ ମଦ କାରବାରରେ ତୃତୀୟ ସ୍ଥାନରେ ରହିଛି। ୨୦୧୮-୧୯ରେ ଗଂଜାମ ୩୪ ଲକ୍ଷ ୧୧ ହଜାର ୩୧୧ଲିଟର ବିଦେଶୀ ମଦ ପିଇଥିବାବେଳେ ଚଳିତ ବର୍ଷ ଏଥିରେ ୨୮ ପ୍ରତିଶହ ହ୍ରାସ ପାଇ ଗଂଜାମ ୨୪ ଲକ୍ଷ ୫୩ ହଜାର ୮୦୨ ଲିଟର ବିଦେଶୀ ମଦ ପିଇଛି। ସେହିଭଳି ଖୋର୍ଧା ଜିଲ୍ଲା ବିୟର କାରବାରରେ ଗଂଜାମ ପଛକୁ ରହିଛି। ଖୋର୍ଦ୍ଧା ଜିଲ୍ଲା ଗତ ବର୍ଷ ୯୩ଲକ୍ଷ ୮୦ ହଜାର ୬୪୬ ଲିଟର ବିୟର ପିଇଥିବା ବେଳେ ଏଥର ଏହି କାରବାର ୭୧ ପ୍ରତିଶତ ହ୍ରାସ ପାଇ ମାତ୍ର ୨୬ଲକ୍ଷ ୪୯ ହଜାର ୯୫୩ ଲିଟରରେ ସୀମିତ ରହିଛି। କଟକ ଜିଲ୍ଲା ଚଳିତ ଚଳିତ ବର୍ଷ ୧୮ଲକ୍ଷ ୯୨ହଜାର ୮୯୮ ଲିଟର ବିୟର ପିଇଛି। ଯଦିଓ ଗତ ବର୍ଷ କଟକ ଜିଲ୍ଲା ବିୟର କାରବାରରେ ଦ୍ବିତୀୟ ସ୍ଥ‌ାନ‌ରେ ଥିଲା, ଏଥର କ‌ରୋନା ‌ଯୋଗୁଁ ଏହି କାରବାର ଜିଲ୍ଲାରେ ୭୦ ପ୍ରତିଶତ ହ୍ରାସ ପାଇଛି। କଟକ ଜିଲ୍ଲା ବିଦେଶୀ ମଦ କାରବ‌ା‌ରରେ ଦ୍ବିତୀୟ ଓ ବିୟରରେ ତୃତୀୟ ସ୍ଥାନରେ ରହିଛି। କଟକ ଚଳିତ ବର୍ଷ ୩୧ଲକ୍ଷ ୭୧ ହଜାର ୯୩୪ ଲିଟର ବିଦେଶୀ ମଦ ମଦ ପିଇଛି।

ସମ୍ବନ୍ଧିତ ଖବର