ଗଞ୍ଜାମ: ‌ଜନସାଧାରଣ ପିଇବା ପାଣି ସମସ୍ୟାରେ ସନ୍ତୁଳି ହେଉଥିବା ବେଳେ କେଉଁଠି ଜଳ‌ଯୋଗାଣ ପ୍ରକଳ୍ପ ଅଚଳ ତ, ଆଉ କେଉଁଠି ନଳକୂପ ଅକାମୀ। ହେଲେ ‌ଲୋକଙ୍କ ଶୋଷ କେମିତି ମେଣ୍ଟିବ ଏହି କଥା ଚିନ୍ତା କରାଯାଇପାରୁନି। ସେପଟେ କିନ୍ତୁ ଘ‌ରୋଇ ମଦ କମ୍ପାନିକୁ ପାଣି ଯୋଗାଇବାକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ମଦ କମ୍ପାନିର ମାଲିକ ପ୍ରଶାସନକୁ ଅନ୍ଧାର‌ରେ ରଖି ବେଧଡ଼କ୍ ପାଇପଲାଇନ୍ ବିଛାଇବା କାମ ମଧ୍ୟ ଆରମ୍ଭ କରିସାରିଲେଣି।

Advertisment

ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅଧୀନ ମଲାଡ଼ ପଞ୍ଚାୟତ ବରଦା ନିକଟ ଋଷିକୁଲ୍ୟା ନଦୀରୁ ଖଲ୍ଲିକୋଟ ବ୍ଲକ୍ କନକା ପର୍ଯ୍ୟନ୍ତ ଚିଲିକା ଡିଷ୍ଟିଲାରି ମଦ ପ୍ରସ୍ତୁତି କାରଖାନାକୁ ପାଣି ଯୋଗାଇବାକୁ ପାଇପଲାଇନ୍ ବିଛାଇବା କାମ ଜୋର୍‌ସୋର୍‌ରେ ଚାଲିବା ଘଟଣା ସାମ୍ନାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଉକ୍ତ ମଦ କମ୍ପାନି ଦ୍ବାରା ବରଦା ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାରେ ଦୀର୍ଘ ୨୫ କିଲୋମିଟର ବ୍ୟାପୀ ପାଇପଲାଇନ୍ ବିଛାଇବା କାର୍ଯ୍ୟ ଚାଲିଥିଲେ ମଧ୍ୟ ଅଧିକାରୀମାନେ ନିରବଦ୍ରଷ୍ଟା ସାଜିବା ଓ କାର୍ଯ୍ୟାନୁଷ୍ଠାନ ନନେବା ସମସ୍ତଙ୍କୁ ଚକିତ କରିଛି। ମଦ ବ୍ୟବସାୟୀଙ୍କୁ ପଦାଧିକାରୀମାନେ କାହାର ଇସାରାରେ ଏଭଳି ପ୍ରୋତ୍ସାହନ ଯୋଗାଉଛନ୍ତି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘରୋଇ ମଦ କମ୍ପାନି ପ୍ରତି ଅନୁକମ୍ପା ଦେଖାଯାଉଥିବା ଅଭିଯୋଗ ହୋଇଛି।
ମଦ କାରଖାନା ପାଇଁ ଦୀର୍ଘ ୨୫ କିମିରୁ ଊର୍ଦ୍ଧ୍ବ ପାଇପ‌୍ଲାଇନ ଆର୍‌ଡି, ପୂର୍ତ୍ତ ଏବଂ ଜାତୀୟରାଜପଥ ପ୍ରାଧିକରଣ ବିଭାଗ ରାସ୍ତ ପାର୍ଶ୍ୱ ଖୋଳାଯିବ। କିନ୍ତୁ ମଦ କମ୍ପାନି କୌଣସି ବିଭାଗଠୁ ଅନୁମତି ନନେଇ ଏହି ବେଆଇନ କାର୍ଯ୍ୟ ଚଳାଇଛି। ଏହି ମଦ କମ୍ପାନି ବରଦା ଋଷିକୁଲ୍ୟା ନଦୀରୁ ଦୈନିକ ୨୧୮ କ୍ୟୁବିକ୍ ଲିଟର ପାଣି ନେବା ପାଇଁ ୨୦୨୦ରେ ଜଳସେଚନ ବିଭାଗ ସହ ଚୁକ୍ତିନାମା କରିଥିଲା। ବାର୍ଷିକ ୯ ଲକ୍ଷ ୮୧ ହଜାର ୭୪୪ ଟଙ୍କା ଜଳସେଚନ ବିଭାଗ ନିକଟରେ ଜମା କରିଆସୁଛି।

ତେବେ ମଲାଡ଼ ପଞ୍ଚାୟତର ଋଷିକୁଲ୍ୟାକୁ ଲାଗି ଗୋଟିଏ ଗାଁର ଲୋକଙ୍କ ସହ କିଛି ଆଲୋଚନା ନକରି ପାଣି ନେଉଥିବା ବେଳେ ପଞ୍ଚାୟତ ଓ ଗ୍ରାମସଭାର ଅନୁମତି ନିଆଯାଇନି। ବର୍ତ୍ତମାନ ବରଦା ଠାରୁ ମଲାଡ଼, କୁଶପଲ୍ଲୀ ଦେଇ କାଠଗଡ଼ା, ଚୈତନ୍ୟପୁର, କୁଜିଢ଼ିପା ଓ ସାତୁଳିପାଟପୁର ଦେଇ ଗ୍ରାମ୍ୟ ଉନ୍ନୟନ ରାସ୍ତା ପାର୍ଶ୍ବକୁ ଖୋଳାଯାଇ କମ୍ପାନି ଦ୍ବାରା ପାଇପଲାଇନ୍ ବିଛାଯାଉଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ପକ୍କାରାସ୍ତାକୁ ଲାଗି ସ୍ଥାନକୁ ଖୋଳାଯିବା ପରେ ଏହା ଉପରେ ମାଟି ପକାଯାଉଛି। ଫଳରେ ରାସ୍ତା ନଷ୍ଟ ହେବା ସହ ନିୟମିତ ଦୁର୍ଘଟଣା ଘଟୁଛି। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଗଞ୍ଜାମ ସେକ୍ସନ୍‌ର ସହକାରୀ ଯନ୍ତ୍ରୀ ଓ ଛତ୍ରପୁର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟିକୁ କେମିତି ଆସି ନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ। କାରଣ ଏହା ଦ୍ବାରା ୪ଟି ପଞ୍ଚାୟତ ମଲାଡ଼, କାଇଞ୍ଚପୁର, ଖଣ୍ଡଦେଉଳି ଓ ପାଲଙ୍ଗକୁ ଯୋଗାଯୋଗ ପ୍ରଭାବିତ ହେବ।

ଅନ୍ୟପକ୍ଷରେ ଏହି ଅଭି‌ଯୋଗ ବର୍ତ୍ତମାନ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି। ବେଆଇନ ପାଇପଲାଇନ ବିଛାଉଥିବା ମଦ କମ୍ପାନି ବିରୋଧରେ ଏତଲା ଦେବା ପାଇଁ ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଗଞ୍ଜାମ ସେକ୍ସନ ସହକାରୀ ଯନ୍ତ୍ରୀ ଶଶିକାନ୍ତ ଦାସ କହିଛନ୍ତି। ତେବ‌େ ମଦ କମ୍ପାନି କୌଣସି ବିଭାଗ ଠାରୁ ଅନୁମତି ନନେଇ ଏହି ବେଆଇନ କାର୍ଯ୍ୟ କରିଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି। କାଇଞ୍ଚପୁର ସରପଞ୍ଚ ଚନ୍ଦନା ରେଡ୍ଡୀ କହିଛନ୍ତି ବେଆଇନ ଭାବେ ରାସ୍ତା ଖୋଳିବାରୁ ବର୍ତ୍ତମାନ ଅନେକ ସମସ୍ୟା ଉପୁଜିଛି। ଏହାସହ ପ୍ରତିଦିନ ଦୁର୍ଘଟଣା ଘଟୁଛି।