ମଠ ଭିତରେ ମଦ କାରଖାନା, ୩ ଗିରଫ, ଖସିଗଲା ମୁଖିଆ

ବିପୁଳ ଦେଶୀ ମଦ ଜବତ, ତିଆରି ହେଉଥିଲା ନକଲି ଆସ୍କା-୪୦

ଭୁବନେଶ୍ବର: ଅଷ୍ଟବକ୍ର ମୁନିଙ୍କ ମଠ ଭିତରେ ଚାଲିଥିଲା ନକଲି ମଦ କାରଖାନା। ଉପରକୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଯୋଗା‌ଶ୍ରମ। ଭିତରେ ଚାଲିଥିଲା ବିହାରୀ ମଦ ବେପାରୀଙ୍କ ଆଡ଼ା। ଆସ୍କା-୪୦ ଦେଶୀ ମଦରେ ଅଧିକ ସ୍ପିରିଟ୍‌ ମିଶାଇ ନକଲି ମଦ ପ୍ରସ୍ତୁତ କରି ବଜାରକୁ ଛଡ଼ାଯାଉଥିଲା। ଖଣ୍ଡଗିରି ପାହାଡ଼ ତଳେ ଜାତୀୟ ରାଜପଥର ସ୍ବଳ୍ପ ଦୂରରେ ଚାଲିଥିଲା ଏହି ବିଷାକ୍ତ ମଦ କାରବାର। ମଙ୍ଗଳବାର ପୂର୍ବାହ୍ଣରେ କଟକ-୨ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏହି ଆଶ୍ରମରେ ଚଢ଼‌ଉ କରି ୨ ବିହାରୀ ଯୁବକଙ୍କ ସହ ଜଣେ ଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ରାମବଳି ଯାଦବ(୨୦), ସୁଗ୍ରୀବ ଯାଦବ(୨୧) ଓ ସ୍ବାଧୀନ ସୁନ୍ଦରରାୟ(୨୦)। ପ୍ରାୟ ୧ହଜାର ଲିଟର ସ୍ପିରିଟ୍‌, ୧୦୦ ଲିଟର ମଦ ଓ ବିପୁଳ ଠିପି ଜବତ କରାଯାଇଛି। ତେବେ ଏହି କାରବାରର ମାଷ୍ଟର ମାଇଣ୍ଡ ଅବକାରୀ ବିଭାଗ ହାବୁଡ଼ରୁ ଖସି ଯାଇଛି। ଆଶ୍ରମ ଭିତରେ ଏଭଳି କାରବାର ଚାଲିଥିବା ଖବର ଆଜି ଖଣ୍ଡଗିରିରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ଏଠାରେ ଚଢ଼ାଉ କରାଯାଇଥିଲା। ବିଶ୍ବଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ପରିସରରେ ଥିବା ଦୁଇଟି ଘରେ ଚାଲିଥିଲା କାରଖାନା। ସରକାରୀ ଆସ୍କା-୪୦ ବୋତଲକୁ ଖୋଲି ସେଥିରୁ କିଛି ବାହାର କରି ଦିଆଯାଉଥିଲା ଓ ଆବଶ୍ୟକ ପରିମାଣର ସ୍ପିରିଟ୍‌ ମିଶାଇ ସିଲ୍‌ କରାଯାଉଥିଲା। ଏମିତି ନକଲି ଆସ୍କା-୪୦ ତିଆରି କରି ବଜାରକୁ ଛଡ଼ା ଯାଉଥିଲା। ଦେଶୀ ମଦ ପିଉଥିବା ଲୋକେ ଠିକ୍ ସରକାରୀ ଦର ଦେଇ କିଣୁଥିଲେ କିନ୍ତୁ ତାହା ନକଲି ଓ ବିଷାକ୍ତ ଥିଲା। ପୁରୁଣା ବୋତଲ ସଂଗ୍ରହ କରି ସେଥିରେ ଏହି ନକଲି ମାଲ୍‌ ଭର୍ତି କରାଯାଉଥିଲା। ନୂଆ ଠିପିରେ ସିଲ୍‌ କରିଦେବା ପରେ ନକଲି ଅସଲି ଜଣାପଡ଼ୁ ନଥିଲା। ଧରାପଡ଼ିଥିବା ଯୁବକମାନେ ବୋତଲ ସିଲ୍‌ କରିବା ଓ ମଦ ବିକିବା କାମ‌ରେ ନିୟୋଜିତ ଥିଲେ। ଅବକାରୀ ଗୁଇନ୍ଦା ଇନ୍‌ସ୍ପେକ୍ଟର ଜଗଦୀଶଚନ୍ଦ୍ର ସାମଲ, ଏସ୍ଆଇ ଧନଞ୍ଜୟ ପାତ୍ର ଓ ଟିମ୍‌ ଏହି ଚଢ଼ଉ କରିଥିଲେ। ଇନ୍‌ସ୍ପେକ୍ଟର ଶ୍ରୀ ସାମଲଙ୍କ ସୂଚନାନୁସାରେ ଛୋଟା ବାବା ତାଙ୍କ ଆଶ୍ରମ ପରିସରରେ ୨ଟି ଘରକୁ ଭଡ଼ାରେ ଦେଇଥିବା ଜଣାପଡ଼ିଛି। ଚୋରା ବେପାରୀମାନେ ବାବାଙ୍କ ଅଲକ୍ଷ୍ୟରେ ଏହି କାରବାର କରୁଥିବା ଜଣାପଡ଼ିବାରେ ତାଙ୍କୁ ଓ ତାଙ୍କର କିଛି ବୃଦ୍ଧ ଅନ୍ତେବାସୀଙ୍କୁ ଛାଡ଼ି ଦିଆଯାଇଛି। ତେବେ ଛୋଟା ବାବା ଓ ତାଙ୍କ ସହଯୋଗୀମାନେ ଏ ବାବଦରେ ଜାଣିଥିବା ନେଇ ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ତେବେ ସ୍ବାଭାବିକ ଭାବେ ଚଳପ୍ରଚଳ ହୋଇ ପାରୁନଥିବା ବାବାଙ୍କୁ ଦୟା ପ୍ରଦର୍ଶନ କରି ଅବକାରୀ ପୁଲିସ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି।

ଖଣ୍ଡଗିରି ପାହାଡ଼ ପାଦଦେଶରେ ଖାରବେଳ ପାର୍କକୁ ଲାଗି ରହିଛି ବିଶ୍ବଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ। ସ୍ବାମୀ ବିଚିତ୍ରାନନ୍ଦ ଦାଶ ସରସ୍ବତୀ ମହାରାଜ ଏହି ମଠର ମହନ୍ତ। ଗୋଡ଼ ଦୁଇଟି ଅଚଳ। ତେଣୁ ସେ ଛୋଟା ବାବା ନାମରେ ପରିଚିତ। ଦୀର୍ଘ ୩୦ ବର୍ଷ ହେଲା ସେ ଏହି ମଠ ନିର୍ମାଣ କରି ଅଛନ୍ତି। ଆଶ୍ରମ ଭିତରେ ଜଗନ୍ନାଥ ମନ୍ଦିରଟିଏ ରହିଛି। ଦିନ ଥିଲା ଯେତେବେଳେ ଏଠାରେ ରାତିଦିନ ଗହଳଚହଳ ଲାଗି ରହୁଥିଲା। ବହୁ ପ୍ରଭାବଶାଳୀ ବ୍ୟକ୍ତି ବାବାଙ୍କ ଭକ୍ତ ପାଲଟି ଯାଇଥିଲେ। କିନ୍ତୁ ଗତ ପ୍ରାୟ ୫ ବର୍ଷ ହେଲା ଆଉ ଏଠାରେ ପୂର୍ବ ଭଳି ନାମଯଜ୍ଞ ହେଉନାହିଁ କି ଭକ୍ତମାନଙ୍କ ସ‌ମାଗମ ହେଉନାହିଁ।

ସମ୍ବନ୍ଧିତ ଖବର