ଭଡ଼ା ଘରେ ମଦ ଫ୍ୟାକ୍ଟ୍ରି, ୧୨ଶହ ବୋତଲ ନକଲି ବିଦେଶୀ ମଦ ଜବତ, ଦୁଇ ଗିରଫ

ବ୍ରହ୍ମପୁର : ନକଲି ସାମଗ୍ରୀର ସହର ବ୍ରହ୍ମପୁରରେ ପୁଣି ଏକବଡ଼ଧରଣର ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି। ସେହିପରି ଏକ ବାଇକ୍‌ ସୋ ରୁମ୍‌ ପଛପଟେ ଚାଲିଥିବା ଗୁଟ୍‌ଖା କାରଖାନା ଠାବ କରିଛି ପୁଲିସ। ଅବକାରୀ ବିଭାଗ ଦୁଇଟି ସ୍ଥାନରୁ ବିପୁଳ ପରିମାଣ ନକଲି ମଦ ଜବତ କରିଛି। ବଡ଼ବଜାର ଥାନା ପୁଲିସ ବିପୁଳ ପରିମାଣ ଗୁଟ୍‌ଖା ଓ କଞ୍ଚାମାଲ୍‌ ଜବତ କରିଛି।

ବାଇକ୍‌ ସୋ ରୁମ୍‌ ପଛପଟେ ଗୁଟ୍‌ଖା କାରଖାନା
୩୦ ଲକ୍ଷ ଟଙ୍କାର ଗୁଟ୍‌ଖା, ଯନ୍ତ୍ରପାତି ଜବତ, ଜଣେ ଗିରଫ

ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଜଙ୍କସନ୍‌ରୁ ଏକ ମଦ ବୋଝେଇ ଅଟୋ ଠାବ କରିଥିଲା। ତାହା ନକଲି ବୋଲି ଜଣାପଡ଼ିବା ପରେ ଅବକାରୀ ଟିମ୍‌ ମଦ ପ୍ରସ୍ତୁତ ହେଉଥିବା ସ୍ଥାନ ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ ଓମ୍‌ନଗରରେ ଚଢ଼ଉ କରିଥିଲା। ବ୍ରହ୍ମପୁରରେ ନକଲି ମଦ ପ୍ରସ୍ତୁତ କରି ଏକ ଅଟୋରେ ଛତ୍ରପୁର ପଟେ ଚାଲାଣ କରାଯାଉଥିବା ନେଇ ସୂଚନା ମିଳିଥିଲା। ସେ ନେଇ ଡେପୁଟି କମିସନର୍‌ ଶ୍ରୀ ଶତପଥୀଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ସେଠାରେ ଛପି ରହିଥିଲା। ସନ୍ଦେହରେ ଏକ ଅଟୋକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରେ ବିଦେଶୀ ମଦ ଥିବା ଜଣାପଡ଼ିଥିଲା। ଅଧିକ ତଦନ୍ତ ପରେ ତାହା ନକଲି ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ଏ ସଂକ୍ରାନ୍ତରେ ବଡ଼ବଜାର ଥାନା ଅନ୍ତର୍ଗତ ଶାର୍ଗୁଣା ସାହିର ଆକାଶ ବେହେରା ଓ ପାଣିଗ୍ରାହୀପେଣ୍ଠ ସାହିର ମୁନା ସାବତକୁ ଗିରଫ କରାଯାଇଥିଲା। ଉଭୟଙ୍କୁ ଜେରା କରିବା ପରେ ଓମ୍‌ନଗର ସ୍ଥିତ ଏକ ଭଡ଼ାଘରେ ମଦ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା।

ସେହିଭଳି, ଫାଷ୍ଟଗେଟ୍-ଦିଗପହଣ୍ଡି ମୁଖ୍ୟ ରାସ୍ତା ପାର୍ଶ୍ବରେ ରହିଛି ଏକ୍‌ ଇଲେକ୍ଟ୍ରିକ୍ ବାଇକ୍ ସୋ ରୋମ୍‌। ସମ୍ମୁଖରେ ବାଇକ୍‌ ବିକ୍ରି ଚାଲିଥିବା ବେଳେ ପଛରେ ଚାଲିଥିଲା ଗୁଟ୍‌ଖା ଫ୍ୟାକ୍ଟ୍ରି। ସେଠାରେ ଲୁଚାଛପାରେ ପ୍ରସ୍ତୁତ ହେଉଥିଲା ଏକ ବ୍ରାଣ୍ଡେଡ୍ କମ୍ପାନିର ଡିଲକ୍ସ ମିକ୍ସ। ପୁଣି ସେଠାରୁ ବିଭିନ୍ନ ସ୍ଥାନକୁ ଏହି ଗୁଟ୍‌ଖା ପଠାଯାଉଥିଲା। ଏଭଳି ଏକ ଫ୍ୟାକ୍ଟ୍ରିକୁ ଆଜି ଠାବ କରିଛି ବଡ଼ବଜାର ପୁଲିସ। ଜଣକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ହେଲା, କାଳୁପାତ୍ର ସାହିର ଅରୁଣ ସାହୁ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଡ଼ବଜାର ଥାନା ପୁଲିସ ସାହୁ ଆଣ୍ଡ ମୋଟର୍ସ ସୋରୁମ୍‌ରେ ଆଜି ଚଢ଼ାଉ କରିଥିଲା। ଏହାର ପଛପାଖରେ ଏକ ଗୋଦାମ ଘରୁ ୩୦ବସ୍ତା ଗୁଟ୍‌ଖା ସହ, ଗୁଟ୍‌ଖା ପ୍ରସ୍ତୁତି ପାଇଁ ଆବଶ୍ୟକ କଂଚାମାଲ, ମେସିନ୍ ଆଦି ପୁଲିସ ଜବତ କରିଥିଲା। ଏସବୁର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ। ଯାଂଚରୁ ଏହା ବେଆଇନ୍ ଭାବେ ପ୍ରସ୍ତୁତ ହେଉଥିବା ଜାଣିବାକୁ ପାଇଥିଲା। ସୋରୁମ୍‌କୁ ସିଲ୍ କରିବା ସହ ସେଥିରେ ଥିବା ୧୭ଟି ବିଦ୍ୟୁତ୍‌ ଚାଳିତ ବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଛି। ସୋରୁମ୍ ମାଲିକକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର