କଟକ: ଓଡ଼ିଶାରେ ଲକଡାଉନ ସମୟରେ ମଦ ହୋମ ଡେଲିଭରି କରିବାକୁ ଯୋଜନା କରାଯାଉଛି। ଅବକାରୀ ବିଭାଗ ଏନେଇ ଯୋଜନା କରୁଥିବାବେଳେ ଚଳିତ ସପ୍ତାହରେ ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରାଯିବାର ସମ୍ଭାବନା ରହିଛି। ମଦ କାଉଣ୍ଟରରେ ସାମାଜିକ ଦୂରତା ରକ୍ଷା କରିବା କାଉଣ୍ଟର ମାଲିକଙ୍କ ପାଇଁ କଷ୍ଟକର ହେବା ନେଇ ଆଶଙ୍କା କରାଯାଉଛି। ଏମିତିକି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନପାରେ। ଏଥିପାଇଁ ଅବକାରୀ ବିଭାଗ ହୋମ ଡେଲିଭରି ପାଇଁ ଯୋଜନା କରୁଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଥିବା ଲକଡାଉନ ମେ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଭଳି ସମୟରେ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ଓ ଅଣ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର କାରବାର ଓ ହୋମ ଡେଲିଭରି ଆରମ୍ଭ ହୋଇଥିବାବେଳେ ଖୁବଶୀଘ୍ର ମଦ ଦୋକାନ ଖୋଲିବାକୁ ଯୋଜନା ଚାଲିଛି। କିନ୍ତୁ ଠିପି ବନ୍ଦ ମଦ କାଉଣ୍ଟର ଖୋଲିବାକୁ ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ଯୋଜନା କରାଯାଉଥିଲା, ଏଥିରେ ସାମାଜିକ ଦୂରତ୍ବ ରକ୍ଷା କରିବା ସମ୍ଭବପର ନ ହେବା ନେଇ ଆଶଙ୍କା କରାଯାଉଛି। ଅନ୍ୟ ରାଜ୍ୟଗୁଡ଼ିକ ବ୍ୟାରିକେଡ୍ କରିଥିଲେ ସୁଦ୍ଧା କାଉଣ୍ଟରରେ ମଦ ବିକ୍ରି କରିବାରେ ସମସ୍ୟା ଭୋଗିଛନ୍ତି। ମଦ ହୋମ ଡେଲିଭରି ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିବାବେଳେ ଏବେ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯୋଜନା ଚାଲିଛି। ଏଭଳି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ରାଜ୍ୟରେ ଥିବା ମୋଟ ୨ ହଜାର ୮୨ଟି ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନ ଖୋଲିବାର ସମ୍ଭାବନା ରହିଛି। ଯଦି ହୋମ ଡେଲିଭରି ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ ତେବେ ମଦ ଗ୍ରାହକ ମଦ କିଣିବା ବାବଦରେ ଦୋକାନୀଙ୍କୁ ଟଙ୍କା କିଭଳି ଦେବେ, ସେ େନଇ କୌଣସି ପ୍ରକାର ସ୍ପଷ୍ଟ ଚିତ୍ର ସାମନାକୁ ଆସିନାହିଁ।
ଅନ୍ୟପକ୍ଷରେ, ଅନଲାଇନରେ ଟଙ୍କା ଜମା କରିବାକୁ ପଡ଼ିଲେ ଗ୍ରାମାଞ୍ଚଳଗୁଡ଼ିକରେ ନିମ୍ନବର୍ଗର ଗ୍ରାହକ ଅନଲାଇନ ବ୍ୟବସ୍ଥା ସହିତ ଅଭ୍ୟସ୍ତ ନଥିବାବେଳେ କିଭଳି ଟଙ୍କା ପଠାଇବେ, ସେ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ, ଜଣେ ବ୍ୟକ୍ତି ଦେଢ଼ ଲିଟରରୁ ଅଧିକ ମଦ କାରବାର କରିପାରିବେ ନାହିଁ। ହୋମ ଡେଲିଭରି ଆରମ୍ଭ ହେଲେ ମଦ କାଉଣ୍ଟରର କର୍ମଚାରୀ କିଭଳି ଗୋଟିଏ ସମୟରେ ଏକାଧିକ ଗ୍ରାହକଙ୍କ ଘରକୁ ଅଧିକ ପରିମାଣର ମଦ ନେଇ ଯିବେ, ସେ ନେଇ ବି ମଦ ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। ଏବେ ଓଡ଼ିଶା ପାନୀୟ ନିଗମ(ଓଏସବିସି)ରୁ ମଦ କିଣୁଥିବା କାଉଣ୍ଟର ମାଲିକ ନିଗମ ୱେବ୍ସାଇଟ ମାଧ୍ୟମରେ ପ୍ରଥମେ ଟଙ୍କା ଜମା କରିବାକୁ ପଡ଼ୁଛି। ପରେ କାଉଣ୍ଟରକୁ ମଦ ଆଣୁଛନ୍ତି। ତେବେ ଗ୍ରାହକ ମଦ କିଣିବା େକ୍ଷତ୍ରରେ ସେଭଳି କିଛି ଯୋଜନା କରାଯାଉଛି କି ଅନ୍ୟ ବ୍ୟବସ୍ଥା କରାଯାଉଛି, ସେ ସଂପର୍କିତ ସୂଚନାକୁ ଅପେକ୍ଷା କରାଯାଇଛି। ଅନ୍ୟପଟେ କିଛି ଘରୋଇ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଅନଲାଇନରେ ଖାଦ୍ୟ ଭଳି ମଦର ହୋମ ଡେଲିଭରି କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ସରକାରୀ ନିର୍ଦ୍ଦେଶନାମା ଜାରି ପରେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।