ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଓମ୍‌ ବିହାରରେ ଏକ ପାଉଁରୁଟି କାରଖାନାରେ ଗତମାସ ୧୬ତାରିଖରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଳି ମଦ ଜବତ କରିଥିଲା। ଏହି ନକଲି ମଦ କାରବାରର ଚେର କୋଲକାତା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି। ସେଠାରୁ ଏଭଳି ବେଆଇନ ମଦ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବାରେ ସହାୟକ ହେଉଥିବା ଜଣେ ଦଲାଲ୍‌କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ସେ ହେଲା ଶମ୍ଭୁ ପଟେଲ୍(୪୯)।

Advertisment

publive-image

ସୂଚନା ମୁତାବକ, ଏଭଳି ବେଆଇନ୍ କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇଥିବ‌ା ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କୁ (ତାରିଣୀ ଜେନା) କୋର୍ଟ ଅନୁମତି ପ୍ରକାରେ ପୁଲିସ ଗତ ୨୭ତାରିଖରୁ ୫ଦିନିଆ ରିମାଣ୍ଡରେ ଆଣିଥିଲା। ତା’କୁ ଜେରା ବେଳେ ନକଲି ମଦ ପ୍ରସ୍ତୁତି ପାଇଁ ଚୋରାରେ ଔଷଧୀୟ ସ୍ପିରିଟ୍, ଲେବଲ୍, ପ୍ଲାଷ୍ଟିକ୍ କ୍ୟାପ୍‌ ଆଦି ସାମଗ୍ରୀ କୋଲକାତାରୁ ଆଣୁଥିବା ପ୍ରକାଶ କରିଥିଲା। ଅଭିଯୁକ୍ତ ତାରିଣୀକୁ ନେଇ ପୁଲିସର ଏକ ତଦନ୍ତକାରୀ ଦଳ ସେଠାକୁ ଯାଇଥିଲା। କୋଲକାତା ବୁରା ବଜାର ସ୍ଥିତ ସାଗର ଗେଷ୍ଟ ହାଉସ୍‌ରୁ ନକଲି ମଦ ପ୍ରସ୍ତୁତି ସାମଗ୍ରୀ ଯୋଗାଇବାରେ ସହାୟକ ହେଉଥିବା ଦଲାଲ୍‌ ଶମ୍ଭୁ ପଟେଲ୍‌କୁ କାବୁ କରିଥିଲା। ଅଭିଯୁକ୍ତ ଦଲାଲକୁ କୋଲକାତା ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରି ପୁଲିସ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଆଣିଥିଲା। ଆଜି ତା’କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟ‌ରେ ହାଜର କରିଛି। ଅନ୍ୟପକ୍ଷେ ତାରିଣୀଙ୍କ ରିମାଣ୍ଡ ଅବଧି ଶେଷ ହେବାପରେ ରବିବାର ପୁଲିସ କୋର୍ଟରେ ହାଜର୍ କରିଥିଲା। କୋର୍ଟ ନିର୍ଦ୍ଦେଶ ପ୍ରକାରେ ତ‌ାରିଣୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଓମ୍‌ ବିହାରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟିରେ ମଦ କାରବାର ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଡ଼ବଜାର ଥାନା ପୁଲିସ ଗତ ୧୬ତାରିଖରେ ସେଠାରେ ଚଢ଼ଉ କରିଥିଲା। ସେଠାରୁ ବିପୁଳ ପରିମାଣର ମଦ ‌ଜବତ କରିଥିବା ବେଳେ ବେଆଇନ୍ ଭାବେ ନକଲି ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ ହେଉଥିବା ତଦନ୍ତରୁ ଜାଣିବାକୁ ପାଇଥିଲା। ଏଭଳି ବେଆଇନ୍ କାରବାର କରୁଥିବା ଅଭିଯୋଗରେ ପୁଲିସ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଦୁହେଁ ହେଲେ ବୁଗୁଡ଼ା ଗାନ୍ଧୀ ଗ୍ରାମର ମୂଳ ନିବାସୀ ତାରିଣୀ ଜେନା ଓ ପ୍ରଶାନ୍ତ ଜେନା। ଏହାର ଗୋଟିଏ ଦିନ ପରେ ଦୁଇ ଅଭିଯୁକ୍ତ ଭାଇଙ୍କୁ ବିଭିନ୍ନ ବ୍ରାଣ୍ଡର ଷ୍ଟିକର୍‌ ଲାଗିଥିବା ଖାଲି ମଦ ବୋତଲ ଯୋଗାଉଥିବା ଅଭିଯୋଗରେ ନିମଖଣ୍ଡି ଥାନା ଅଂଚଳର ବିଜୟ ବାହାଦୁର୍‌ ଚୌହାନ୍‌କୁ ପୁଲିସ ଗିରଫ କରିଥିଲା। ଏଥିସହ ତା’ର ଏକ ଗୋଦାମକୁ ସିଲ୍ କରିଥିଲା। ତେବେ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ପାଇଁ ତାରିଣୀଙ୍କୁ ୫ଦିନିଆ ରିମାଣ୍ଡରେ ଆଣି ଜେରା କରବା ସହ ଏବେ କୋଲକାତାରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।