ବାଇକ୍‌ ସହ ଧକ୍କା ହୋଇ ଓଲଟିଲା ମଦ ବୋଝେଇ ଟ୍ରକ୍, ସୁଯୋଗ ଦେଖି ଲୋକେ ବୋହିନେଲେ ମଦ ବୋତଲ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବସଷ୍ଟାଣ୍ଡ ନିକଟରେ ଶୁକ୍ରବାର ଏକ ବାଇକ୍ (ଓଡି ୦୩ ଏମ୍‌ ୬୬୦୬) ସହ ଧକ୍କା ହେବା ପରେ ଏକ ମଦ ବୋଝେଇ ଟ୍ରକ୍ (ଓଆର୍ ୦୩ ଏ ୭୨୮୧) ଓଲଟି ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଚାଳକ ଓ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗୀର ଡାକ୍ତରଖାନା ପଠାଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ରେ ଥିବା କିଛି ବିଦେଶୀ ମଦ ବୋତଲ ଫାଟି ଯାଇଥିଲା। ଗାଡ଼ିଟି ଓଲଟି ଯାଇଥିବାରୁ ସ୍ଥାନୀୟ ଲୋକେ ମଦ ବୋତଲ କାଢ଼ି ନେଇ ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ପ୍ରକାଶ ଯେ, ଦେଓଗାଁର ଜଣେ ବ୍ୟକ୍ତି ତାଙ୍କ ବୁଲେଟ ବାଇକ୍ ଯୋଗେ ଜାତୀୟ ରାଜପଥ ୨୬ ଦେଇ ଯାଉଥିଲେ। ରାସ୍ତା ଉପରେ ଅଚାନକ ଏକ ଟ୍ରକ୍ ଓ ଏକ ବସ୍‌କୁ ଦେଖି ସେ ରାସ୍ତା ମଝିରେ ଅଟକି ଯାଇଥିଲେ। ବସ୍‌ଟି ରାସ୍ତା କଡ଼ ଦେଇ ଚାଲିଯାଇଥିଲା। ହେଳେ ଭୁତିଆରବାହାଲ୍ ପଟରୁ ଆସୁଥିବା ମଦବୋଝେଇ ଟ୍ରକ୍‌ର ଚାଳକ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବା ସମୟରେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଏହି ଟ୍ରକ୍‌ଟି ପାଟଣାଗଡ଼ ଅଞ୍ଚଳରୁ ତୁଷୁରା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର