ରାଉରକେଲା: ଝାଡ଼ଖଣ୍ଡରୁ ରାଉରକେଲାକୁ ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ଜଣେ ଅଭିଯୁକ୍ତକୁ ରାଉରକେଲା ଅବକାରୀ ପୁଲିସ ଗିରଫ କରିଥିଲା। ଏହି ଘଟଣାକୁ ୫ ଦିନ ବିତିନି, ଆଜି ପୁଣି ଜଣେ ମଦ ମାଫିଆକୁ ଅବକାରୀ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ମାଫିଆଠାରୁ ଦେଶୀମଦ କିଣି ସହରରେ ବିକ୍ରି କରୁଥିବା ଅନ୍ୟ ଦୁଇ ଅଭିଯୁକ୍ତକୁ ମଧ୍ୟ ଗିରଫକରି କୋର୍ଟଚାଲାଣ କରାଯାଇଛି।
Advertisment
ସ୍ଥାନୀୟ ରେଲୱେକଲୋନି ରିମ୍‌ଝିମ ବସ୍ତିର ପୱନ ମୁଣ୍ଡା(୩୦) ଦୀର୍ଘ ଦିନ ହେଲା ଦେଶୀ ମଦ ଝାଡ଼ଖଣ୍ଡରୁ ଆଣି ରାଉରକେଲାର ଛୋଟଛୋଟ ବେପାରିଙ୍କୁ ବିକ୍ରି କରୁଥିଲା। ଅଭିଯୁକ୍ତ ପ୍ରତ୍ୟେକ ସପ୍ତାହରେ ୨ଥର ମଦ ଚୋରାଚାଲାଣ କରୁଥିଲା। ଏନେଇ ସୂଚନା ପାଇଥିଲା ଅବକାରୀ ପୁଲିସ। ଅଭିଯୁକ୍ତକୁ ଗିରଫକରିବାକୁ ବିଭାଗ ଜାଲ ବିଛାଇଥିଲା। ଯୋଜନା ମୁତାବକ, ଅବକାରୀ ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ଆଜି ଭୋର୍‌ ୫ଟାରେ ସେକ୍ଟର-୨ ରାସ୍ତାରେ ଆଗରୁ ଜଗି ରହିଥିଲେ। ଅଭିଯୁକ୍ତ ପୱନ ଝିରପାଣି ପଟୁ ରାଉରକେଲା ଏକ ଟାଟା ଇଣ୍ଡିଗୋ କାର୍‌(ଜେଏଚ୍‌-୦୫-ଭି-୨୩୮୭)ରେ ହାତରନ୍ଧା ଦେଶୀ ମଦ ଆଣୁଥିବାବେଳେ ତାକୁ କାବୁ କରିନେଇଥିଲା। ଅଭିଯୁକ୍ତ ପୱନ ପାଖରୁ ୩ ଶହ ଲିଟର ଦେଶୀ ମଦ ଜବତ ହେବାସହ କାର୍‌କୁ ଜବତ କରାଯାଇଛି। ପରେ ଅଭିଯୁକ୍ତର ବୟାନକ୍ରମେ ଦୁଇ ମଦ ବେପାରି, ରେଲୱେ କଲୋନିର ଅନୀଲ ନାଗ(୨୨) ଓ ରାଜା ସାହୁ(୨୨)ଙ୍କୁ ଗିରଫ କରିଛି।
ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ଗୋପବନ୍ଧୁପାଲିର ରାଜ୍‌ ପାନି ଝାଡ଼ଖଣ୍ଡରୁ ଏକ କାର୍‌(ଓଆର୍‌-୦୨-ବିଜେ-୫୬୪୪)ରେ ୬ ଶହ ଲିଟର ଦେଶୀମଦ ଆଣୁଥିଲା। ପୁଲିସ ଅଭିଯୁକ୍ତକୁ କୁକୁଡ଼ା ରେଲୱେ ଫାଟକ ନିକଟରେ ତାକୁ ଗିରଫ କରିଥିଲା। ଏହାସହ ତା’ ପାଖରୁ ମଦନେଇ ବିଭିନ୍ନ ବସ୍ତି ଅଞ୍ଚଳରେ ବିକ୍ରି କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅବକାରୀ ମୋବାଇଲ୍‌ ୟୁନିଟ୍‌ ଇନ୍ସପେକ୍ଟର ଥାର୍ପା ମାରାଣ୍ଡିଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ସବ୍‌ଇନ୍ସପେକ୍ଟର ଅଜୟ ପ୍ରଧାନ, କନଷ୍ଟେବଲ ନବୀନ ଭୂୟାଁ, ସପନ ସାହୁ, ସୁଶାନ୍ତ ଅମାତ, ବାବୁଲ ସ୍ବାଇଁ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଟେରସା ବାର୍ଲା, ରେଣୁ କିରୋ ପ୍ରମୁଖ ସାମିଲ ଥିଲେ।