୧୦ ପେଟି ମଦ ଜବତ: ୩ ଗିରଫ, ଲକ୍‌ଡାଉନ୍‌ରେ ଫାଇଦା ଉଠାଉଛନ୍ତି ହୋଟେଲ-ଢ଼ାବା ମାଲିକ

ରାଉରକେଲା: ଲକ୍‌ଡାଉନ୍‌ରେ ଭରଫୁର ଫାଇଦା ଉଠାଉଛନ୍ତି କିଛି ମଦ ବେପାରୀ, ଢ଼ାବା ଓ ହୋଟେଲ ମାଲିକ। ନିର୍ଦ୍ଧାରିତ ଦାମ ଠାରୁ ଦେଢ଼ରୁ ଦୁଇଗୁଣା ଅଧିକ ଦାମରେ ବିକୁଛନ୍ତି। ହୋଟେଲ, ଢ଼ାବାର ଆଗରେ ତାଲା ମାରି ପଛପାର୍ଶ୍ବରେ ବିକୁଛନ୍ତି। ଅବକାରୀ ପୁଲିସ ସହ ବିଭିନ୍ନ ଥାନା ପକ୍ଷରୁ ଚଢ଼ଉ ଜାରି ରହିଥିଲେ ହେଁ ଚୋରା ମଦ କାରବାର କମୁନି।

ଗତକାଲି ରାତି ଓ ଆଜି ଅବକାରୀ ପୁଲିସ ବେଦବ୍ୟାସର ଟିସିଆଇ, ରାଉରକେଲା ଟ୍ରାଫିକ୍ ଛକ ମାର୍କେଟ ଓ ବିଶ୍ରା ଅଞ୍ଚଳରେ ଚଢ଼ଉ କରି ବହୁ ପରିମାଣରେ ବିଦେଶୀ ମଦ ଜବତ କରିଛନ୍ତି। ଦୁଇ ଦିନରେ ମୋଟ  ୧୦ ପେଟିରୁ ଅଧିକ ବିୟର ସମେତ ଅନ୍ୟାନ୍ୟ ବ୍ରାଣ୍ଡର ବିଦେଶୀ ମଦ ଜବତ କରାଯାଇଛି। ଟ୍ରାଫିକ୍ ଗେଟ୍ ମାର୍କେଟରୁ କରନ୍ ସାହା,  ବେଦବ୍ୟାସ ଟିସିଆଇ ଛକରୁ  ଜିତେନ୍ଦ୍ର ସାହୁ, ବିଶ୍ରା ଅଞ୍ଚଳର ଅମିତ ତିଗ୍ଗାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ମଦ ମଧ୍ୟରେ ୫୪.୦୫୦ ଲିଟର ବିୟର, ୨୦.୩୧୦  ଲିଟର ବିଦେଶୀ ଓ ୨.୭୦୦ ଲିଟର ନକଲି ବିଦେଶୀ ମଦ ସହ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି।

ଜିଲ୍ଲ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଉପ ଅଧୀକ୍ଷକ ଝସକେତନ ବରିହାଙ୍କ ତତ୍ବାବଧାନରେ  ଉପ ନିରୀକ୍ଷକ ଅବନୀ କୁମାର ମହାପାତ୍ର, ଅର୍ଜୁନ ମଲ୍ଲିକ ଚଢ଼ଉର ନେତୃତ୍ବ  ନେଇଥିଲେ। ଆଗାମି ଦିନରେ ଚଢ଼ଉ ଜାରି  ରହିବ ବୋଲି ଅବକାରୀ ଉପ ଅକ୍ଷୀକ୍ଷକ ଶ୍ରୀ ବରିହା କହିଛନ୍ତି। ସୂଚନାଯୋଗ୍ୟ, ଗତ ୪ ଦିନ ତଳେ  ଅବକାରୀ ପୁଲିସ ଡେଲିମାର୍କେଟ, ଆମ୍ବାଗାନ୍, ସେକ୍ଟର-୫ ମାର୍କେଟରେ ଚଢ଼ଉ କରି ୧୨ ପେଟିରୁ ଅଧିକ ବିଦେଶୀ ମଦ ସହ ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଥିଲା। ଡେଲିମାର୍କେଟର ସୁଶାନ୍ତ ଦାସ, ଆମ୍ବାଗାନ୍ର ମନୋଜ ସାହୁ ଓ ସେକ୍ଟର-୬ର କମ୍ବୁଲାଲ ଡୁଙ୍ଗୁରିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏମାନଙ୍କ ନିକଟରୁ ମୋଟ  ୦୩.୬୦୦ ଲିଟର ବିଦେଶୀ ମଦ, ୯୩.୬୦୦ ଲିଟର ବିୟର ଏବଂ ୪୬୦ ଲିଟର ଦେଶୀ ମଦ ଜବତ କରାଯାଇଥିଲା।ସେମିତି ଗତ ପ୍ରାୟ ତିନି ସପ୍ତାହ ତଳେ  ପ୍ଲାଣ୍ଟସାଇଟ୍ ପୁଲିସ ଡେଲିମାର୍କେଟ, ଟ୍ରାଫିକ୍ ଗେଟ୍, ସେକ୍ଟର-୨୧ ନୟାବଜାର , ସ’ ମିଲ୍ ଛକରୁ ପେଟି ପେଟି ବିଦେଶୀ ମଦ ଜବତ କରିବା ସହ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ  କରିଥିଲା।

ସମ୍ବନ୍ଧିତ ଖବର