ଗୋଡ଼ଭଗା: ଗୋଡ଼ଭଗା ଅଂଚଳର କେତେକ ରାସନ ଦୋକାନରେ ଖୁଲମଖୋଲା ଭାବରେ ବେଆଇନ ମଦ ବିକ୍ରି ହେଉଛି। ଫଳରେ ଦିନକୁ ଦିନ ଏହି ଅଂଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ପ୍ରକାଶ ଯେ, ଗୋଡ଼ଭଗା ଗୋଲକନଗର ଓ ମାଉଲିଭାଗ ଅଂଚଳରେ ବେଆଇନ ଭାବେ କେତେକ ରାସନ ଦୋକାନ ଓ ମୋଟର ସାଇକଲ ଦ୍ବାରା ବ୍ୟାଗରେ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି।
ଏହି ଅଂଚଳଟି ବରଗଡ଼ ଜିଲ୍ଲାର ଅତାବିରା ଥାନା ଓ ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନାର ସୀମାବର୍ତୀ ଅଂଚଳ ହୋଇଥିବାରୁ ପୁଲିସ୍ ଓ ଅବକାରୀ ବିଭାଗ ତରଫରୁ ଏହି ମଦ ମାଫିଆଙ୍କ ଉପରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯଦ୍ବାରା ଏହି ଅଂଚଳରେ ମଦ ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରକାଶଥାଉ, କିଛି ବର୍ଷ ପୂର୍ବରୁ ଏହି ଅଂଚଳରେ ମଦଭାଟି ସ୍ଥାପନାକୁ ବିରୋଧ କରି ସ୍ଥାନୀୟ ଅଂଚଳର ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରି ମଦଭାଟି ବନ୍ଦ କରାଇ ଦେଇଥିଲେ। ବର୍ତମାନ ପୁଣି ଏ ପ୍ରକାର କାର୍ଯ୍ୟକଳାପ ଚାଲିବା ଦ୍ବାରା ସାଧାରଣରେ ଅସନ୍ତୋଷ ଦେଖାଦେଇଛି।