ପାରାଦୀପରେ ମହିଳା ତାତିଲେ : ମଦ ଦୋକାନ ବାଡ଼େଇ ଭାଙ୍ଗିଲେ

ପାରାଦୀପ : ଚୋରା ମଦ କାରବାରକୁ ବିରୋଧ କରି ଆଜି ପାରାଦୀପଠାରେ ଉତ୍ତେଜନାମୂଳକ ପିରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ମହିଳାମାନେ ମଦଦୋକାନ ଭାଙ୍ଗିବା ସହିତ ବେପାରୀଙ୍କୁ ଧରି ପୁଲିସ୍‌ ଜିମା ଦେଇଛନ୍ତି। ପୁଲିସ୍‌ ଉପସ୍ଥିତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଆନ୍ଦୋଳନକାରୀ ମହିଳାଙ୍କ ଅଭିଯୋଗ ଅନୁସାରେ, ପାରାଦୀପ ଥାନା ଲକ୍‌ପଡ଼ା ବସ୍ତିରେ ଦୀର୍ଘଦିନ ହେଲା ବେଆଇନ ଭାବେ ମଦ ଦୋକାନ ଚାଲିଥିଲା। ଦିନରାତି ସବୁବେଳେ ଏହି ଦୋକାନ ନିକଟରେ ଅସମାଜିକ ଲୋକମାନଙ୍କ ଆଡ୍ଡା ଜମୁଥିଲା। ବହୁ ସମୟରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ମଦ ବେପାରୀ ହେଉଛନ୍ତି ଜଣେ ମହିଳା, ଜାନକୀ ଗିରି। ସେମାନେ ବେପାର ବନ୍ଦ କରିବା ପାଇଁ ଜାନକୀଙ୍କୁ ବାରମ୍ବାର କହୁଥିଲେ। ମାତ୍ର, ସେ କର୍ଣ୍ଣପାତ କରୁନଥିଲେ। ଏପରିକି, ଥାନାରେ ଅଭିଯୋଗ ପରେ ପୁଲିସ୍‌ ଚଢ଼ାଉ କରୁଥିଲେ ମଧ୍ୟ ସେ ଚତୁରତା ସହ ଖସି ଯାଉଥିଲେ।

ଗତକାଲି ରାତିରେ ସରସ୍ୱତୀ ପୂଜା ଭସାଣ ସମୟରେ ସେଠାରେ ଗଣ୍ଡଗୋଳ ହୋଇଥିଲା। ଯାହାକୁ ନେଇ ମହିଳାମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ମହିଳାମାନେ ଏକାଠି ହୋଇ ମଦ ଦୋକାନ ଉପରେ ଚଢ଼ାଉ କରିଥିଲେ। ଗତରାତିରେ ଗଣ୍ଡଗୋଳ ଯୋଗୁ ପୁଲିସ୍‌ ମୁତୟନ ସତ୍ତ୍ୱେ ସେମାନେ ମଦ ଦୋକାନକୁ ଭାଙ୍ଗି ଦେଇଥିଲେ। ଏଥିସହିତ, ଜାନକୀଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ଏହାପରେ ପାରାଦୀପ ଥାନା ପୁଲିସ ଜାନକୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏଥିସହିତ, ଗତକାଲି ଭସାଣ ଉତ୍ସବ ବେଳେ ଗଣ୍ଡଗୋଳ କରିଥିବା ବିମଳ ଗିରିଙ୍କୁ ମଧ୍ୟ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

ଏହି ଘଟଣା ପରେ ବସ୍ତିରେ ଉତ୍ତେଜନା ଲାଗିରହିଛି। ବସ୍ତିରେ ଯିଏ ମଦ ବିକ୍ରି କରିବ, ତାଙ୍କ ବିରୋଧରେ ମଧ୍ୟ ଏହିଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର