ଆଜିଠୁ ଖୋଲିବ ମଦ ଦୋକାନ, ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ

ଭିଡ଼ ନିୟନ୍ତ୍ରଣ ପାଇଁ ଇ-ଟୋକନ୍‌ ବ୍ୟବସ୍ଥା

ଭୁବନେଶ୍ବର: ବିଦେଶୀ ମଦ ବିକ୍ରି ପାଇଁ ହୋମ୍‌ ଡେଲିଭରି ବ୍ୟବସ୍ଥା ପରେ ମଦ ଦୋକାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ସମସ୍ତ ଠିପି ବନ୍ଦ ଓ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। କୋଭିଡ୍‌ ପାଇଁ ଥିବା ସାମାଜିକ ଦୂରତା ରକ୍ଷା ପାଇଁ ମଦ ଦୋକାନରେ ଭିଡ଼ ନିୟନ୍ତ୍ରଣ ପାଇଁ ଗ୍ରାହକଙ୍କୁ ଇ-ଟୋକନ୍‌ ବ୍ୟବସ୍ଥା ଜରିଆରେ ମଦ ବିକ୍ରି କରାଯିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ନିର୍ଦ୍ଦେଶନାମା ଅନୁୟାୟୀ, ଠିପି ବନ୍ଦ ମଦ ଦୋକାନ କାଉଣ୍ଟରରେ କେବଳ ମଦ ବିକ୍ରି କଲାଭଳି ଠିପି ଖୋଲା ମଦ ଦୋକାନଗୁଡ଼ିକ କାଉଣ୍ଟର ଖୋଲି ମଦ ବିକ୍ରି କରିପାରିବେ। ଏହାଦ୍ବାରା ମଦ ବିକ୍ରି ଦୋକାନ ସଂଖ୍ୟା ବୃଦ୍ଧି ପାଇବା ସହ ଗ୍ରାହକଙ୍କୁ ସୁବିଧାରେ ମଦ ଯୋଗାଇ ଦିଆଯିବ। ଠିପି ଖୋଲା ମଦ ଦୋକାନୀ ସର୍ବାଧିକ ଖୁରୁରା ମୂଲ୍ୟ(ଏମ୍‌ଆର୍‌ପି)ରେ ବିକ୍ରି କରିବେ। କୌଣସି ବି ପରିସ୍ଥିତିରେ ଠିପି ଖୋଲା ମଦ ଦୋକାନରେ ଗ୍ରାହକ ମଦ ପିଇ ପାରିବେ ନାହିଁ। ଦୋକାନରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଲଟ୍‌ ବୁକିଂ କରାଯିବ। ଏଥିପାଇଁ ଏନ୍‌ଆଇସି ସହାୟତାରେ ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସ୍‌ବିସି) ଗ୍ରାହକଙ୍କ ପଞ୍ଜୀକରଣ ପାଇଁ ଗୋଟିଏ ୱେବ୍‌ସାଇଟ୍‌ ଉପଲବ୍ଧ କରିଛି। https://osbc.co.in ଜରିଆରେ ଗ୍ରାହକ ନିଜର ନାମ ପଞ୍ଜୀକରଣ କରିବା ସହ ନିକଟସ୍ଥ ମଦ ଦୋକାନ କିମ୍ବା ଅନ୍ୟ ମଦ କାଉଣ୍ଟରରୁ ମଦ କିଣିବା ପାଇଁ ସ୍ଲଟ୍‌ ବୁକିଂ କରିପାରିବେ। ବୁକିଂ ପରେ ଗ୍ରାହକଙ୍କ ମୋବାଇଲକୁ ଏକ ଏସ୍‌ଏମ୍‌ଏସ୍‌ ଜରିଆରେ ଲିଙ୍କ୍‌ ପଠାଇ ଦିଆଯିବ। ଏହି ଲିଙ୍କ୍‌କୁ ଖୋଲି ସମ୍ପୃକ୍ତ ଗ୍ରାହକ ତାଙ୍କ ଇ-ଟୋକନ୍‌ ଡାଉନ୍‌ଲୋଡ଼ କରିପାରିବେ।

ଇ-ଟୋକନ୍‌ ବିଷୟରେ ଗ୍ରାହକଙ୍କୁ ଅବଗତ କରିବା ପାଇଁ ମଦ ବ୍ୟବସାୟୀ ସେମାନଙ୍କ କାଉଣ୍ଟର ଆଗରେ ସୂଚନା ଫଳକ ଲଗାଇବେ। ଏହାସହିତ ଭିଡ଼ ନିୟନ୍ତ୍ରଣ ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡ଼ କରିବା ସହ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଚାରୀ ନିୟୋଜିତ କରିବେ। ସମସ୍ତ ଗ୍ରାହକ ଗୋଟିଏ ଧାଡ଼ିରେ କାଉଣ୍ଟର ଆଗରେ ସାମାଜିକ ଦୂରତା ରକ୍ଷା କରି ଯେପରି ଠିଆ ହେବେ, ସେଥିପାଇଁ ଦୃଷ୍ଟି ଦିଆଯିବ। ସାମାଜିକ ଦୂରତା ପାଇଁ କାଉଣ୍ଟର ଆଗରେ ଚିହ୍ନ ବି ଦିଆଯିବ। ମଦ ଦୋକାନରେ ନିୟୋଜିତ ସମସ୍ତ କର୍ମଚାରୀ ମୁହଁରେ ମାସ୍କ୍‌ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବେ। ଯଦି କୌଣସି ଗ୍ରାହକ ମୁହଁରେ ମାସ୍କ୍‌ ଲଗାଇ ନାହାନ୍ତି କିମ୍ବା ସାମାଜିକ ଦୂରତା ରକ୍ଷା କରିନାହାନ୍ତି ତାଙ୍କୁ ମଦ ବିକ୍ରି କରାଯିବ ନାହିଁ। ସ୍ଥାନୀୟ ପୁଲିସ ଓ ଅବକାରୀ କର୍ମଚାରୀ ନିୟମିତ ମଦ ଦୋକାନଗୁଡ଼ିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ କୌଣସି ମଦ କାରବାରକୁ ନେଇ ଯଦି ହିଂସାକାଣ୍ଡ ହେଲା ତାହେଲେ ସେ କ୍ଷେତ୍ରରେ ମଦ ଦୋକାନ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି। ଗତମାସ ୨୫ ତାରିଖରୁ ହୋମ୍‌ ଡେଲିଭରି ଜରିଆରେ ବିଦେଶୀ ମଦ ବିକ୍ରି କରାଯାଉଥିଲା। ଏହି ସମୟ ଭିତରେ ୧୭ ଲକ୍ଷ ୩୩ ହଜାର ହୋମ୍‌ ଡେଲିଭରି ଅର୍ଡର୍‌ ମିଳିବା ସହ ୨୦.୫୯ ଲକ୍ଷ ବଲ୍କ ଲିଟର୍‌ ବିଦେଶୀ ମଦ ଓ ୨୦.୮୧ ଲକ୍ଷ ବଲ୍କ ଲିଟର ବିୟର ବିକ୍ରି ହୋଇଥିବା ଅବକାରୀ ବିଭାଗ ଜଣାଇଛି।

ସମ୍ବନ୍ଧିତ ଖବର