ସ୍ୱର୍ଗଦ୍ୱାର ଚାରିପଟେ ମଦ ଦୋକାନ, ରାତାରାତି ଠିଆ କରିଦେଲେ କୋଠା

ଅନୁମତି ବାତିଲ ପାଇଁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ସ୍ୱର୍ଗଦ୍ୱାର ଓ ଏହାର ଚତୁଃପାର୍ଶ୍ବରେ ମଦଦୋକାନକୁ ଚାରିଆଡ଼ୁ ବିରୋଧ କରାଯାଉଛି। ମଦ ଦୋକାନ ଖୋଲିଲେ କେବଳ ସ୍ବର୍ଗଦ୍ବାରର ପବିତ୍ରତା ନଷ୍ଟ ହେବନି, ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ଧର୍ମ ଓ ପରମ୍ପରା କ୍ଷୁଣ୍ଣ ‌ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସଙ୍ଗଠନ ବି ଅଣ୍ଟା ଭିଡ଼ିଛନ୍ତି। କଥା ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ବି ପହଞ୍ଚିଛି। ତଥାପି ମଦ ଦୋକାନ ଖୋଲିବାକୁ ନଛୋଡ଼ବନ୍ଧା ମଦ ବ୍ୟବସାୟୀ। ଏପଟେ ମଦ ଦୋକାନକୁ ବିରୋଧ ଚାଲିଥିବାବେଳେ ସେପଟେ ଆଖିରେ ଆଙ୍ଗୁଠି ଗେଞ୍ଜି ରାତାରାତି ସ୍ବର୍ଗଦ୍ବାର କଡ଼ରେ ମଦ ଦୋକାନ ପାଇଁ କୋଠା ଠିଆ କରି ସାରିଛନ୍ତି।

ସ୍ବର୍ଗଦ୍ବାର ଲାଗି ଖୋଲୁଥିବା ମଦ ଦୋକାନୀ ପୂର୍ବରୁ ଲଟେରିରେ ନାମ ଉଠିବା ପରେ ଲୁହାର କଣ୍ଟେନର୍‌ରେ ମଦ ବିକୁଥିଲେ। କିନ୍ତୁ ଏବେ ଏହି ଜାଗାରେ ଘର ତିଆରି କରି ଛାତ ପକାଇ ସାରିଲେଣି। ପୂର୍ବରୁ ମହାପ୍ରଭୁଙ୍କ ଏହି ଜାଗା ବିବାଦୀୟ ଥିବାବେଳେ କେଉଁ ପରିସ୍ଥିତିରେ ମଦ ଦୋକାନୀମାନେ ଏଠାରେ ଘର ତିଆରୁଛନ୍ତି ଓ ପ୍ରଶାସନ କିଭଳି ଏମାନଙ୍କୁ ଅନୁମତି ଦେଉଛି, ତାକୁ ନେଇ ବିଭିନ୍ନ ମହଲ ପ୍ରଶ୍ନ ଉଠାଇଛନ୍ତି।

କେବଳ ସ୍ବର୍ଗଦ୍ବାର ସଂଲଗ୍ନ ମଦ ଦୋକାନ ନୁହେଁ, ସ୍ବର୍ଗଦ୍ବାର ନିକଟର ଅନ୍ୟ ମଦ ଦୋକାନୀମାନେ ଯେଉଁ କାଗଜପତ୍ର ଦାଖଲ କରିଛନ୍ତି, ସେ ସବୁ ଜମିର ମାଲିକ ହେଉଛନ୍ତି ସ୍ବୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ। ମଦ ଦୋକାନୀଙ୍କ ଦ୍ବାରା ଜମା ଏହି କାଗଜପତ୍ର ଏବେ ତହସିଲସ୍ତରରେ ଯାଞ୍ଚ ବି ଚାଲିଛି। ଏହି କାଗଜପତ୍ର ଠିକ୍‌ କି ନାହିଁ, ପୁରୀ ତହସିଲ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ନିଜେ ତହସିଲଦାର ବି କହିଛନ୍ତି କି ଏହି କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଅଦ୍ୟାବଧି ଶେଷ ହୋଇନି। ତହସିଲ ପକ୍ଷରୁ ଯାଞ୍ଚ କାଗଜପତ୍ରର ଅଦ୍ୟାବଧି ରିପୋର୍ଟ ଦିଆଯାଇନଥିବାବେଳେ କେଉଁ ପରିସ୍ଥିତିରେ ମଦ ଦୋକାନୀମାନେ ରାତାରାତି ଏଠାରେ କୋଠା ଠିଆ କରୁଛନ୍ତି, ତାହାର ତଦନ୍ତ ଦାବି କରିଛନ୍ତି ଭକ୍ତ ଓ ବିଭିନ୍ନ ସଂଗଠନ।

ସ୍ବର୍ଗଦ୍ବାରଠାରେ ଥିବା ମହାପ୍ରଭୁଙ୍କ ଜମିରେ ଅବକାରୀ ବିଭାଗ ମଦ ଦୋକାନ ଖୋଲିବାକୁ ଅନୁମତି ଦେବାପରେ ଏହାର ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ଶ୍ରୀମନ୍ଦିର ପ୍ରଶାସନ ପୁରୀ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖି ତୁରନ୍ତ ମଦ ଦୋକାନ ଖୋଲିବା ଅନୁମତି ବାତିଲ୍ କରିବାକୁ ନିବେଦନ କରିଛି।

ସମ୍ବନ୍ଧିତ ଖବର