ରାଉରକେଲା: ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ଆଜି ପୁଣି ଜଣେ ଅଭିଯୁକ୍ତ ଅବକାରୀ ପୁଲିସ ହାତରେ ଧରାପଡ଼ିଛି। ଗିରଫ ଅଭିଯୁକ୍ତ ହେଉଛି କୋଏଲଗେଟ୍‌ର ଆକାଶ ଟାଙ୍ଗିଲି। ଅଭିଯୁକ୍ତ ପାଖରୁ ୭୦ ଲିଟର ଦେଶୀ ମଦ ଓ ଚୋରାଚାଲାଣରେ ବ୍ୟବହୃତ ସ୍କୁଟି(ଓଡି-୧୪-ଭି-୮୭୪୫) ଜବତ ହୋଇଛି।
Advertisment
ରାଉରକେଲା ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ୍‌ର ସବ୍‌ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ନେତୃତ୍ବରେ ଆଜି ବିଶ୍ରା ଥାନା ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା। ଏତିକିବେଳେ ଅଭିଯୁକ୍ତ ଆକାଶ ଏକ ସ୍କୁଟିରେ ମଦ ବିକ୍ରି କରିବାକୁ ବାହାରିଥିଲା। ବିଜାଡ଼ିହିଠାରେ ପାଟ୍ରୋଲିଂ ଦଳ ହାବୁଡ଼ରେ ପଡ଼ିଯାଇଥିଲା ଅଭିଯୁକ୍ତ। ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଅବକାରୀ ପୁଲିସ ତାକୁ କାବୁ କରିନେଇଥିଲା। ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ୨୪୦ ଲିଟର ଦେଶୀ ମଦ ଜବତ ହେବାସହ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ। ଅଭିଯୁକ୍ତ ଦ୍ବୟ କାର୍‌ ଓ ବାଇକ୍‌ରେ ମଦ ଚାଲାଣ କରୁଥିବାବେଳେ ଅବକାରୀ ପୁଲିସ ଗିରଫ କରିଥିଲା। ଆଜିର ଚଢ଼ଉରେ ବିଭାଗର ଏଏସ୍‌ଆଇ ସୁନୀତା କେର୍କେଟା, ସପନ କୁମାର ସାହୁ, ଏସ.କେ. ସ୍ବାଇଁ, ନବୀନ ଭୂୟାଁ, ରେଣୁ କୁମାରୀ କିରୋ ପ୍ରମୁଖ ସାମିଲ ଥିଲେ।