୪୯.୮୬୦ ଲିଟର ନକଲି ବିଦେଶୀ ମଦ ସହ ଧରାପଡ଼ିଲା କୁଖ୍ୟାତ ମଦ ବେପାରୀ

ରାଉରକେଲା: ଇସ୍ପାତ ସହରରେ ନକଲି ବିଦେଶୀ ମଦ ଓ ଦେଶୀ ମଦ କାରବାର ସୀମା ଟପିଲାଣି। ସହରର ବିଭିନ୍ନ ବସ୍ତି ସମେତ ଉପକଣ୍ଠ ବନ୍ଧମୁଣ୍ଡା, ସାରନଗରୀ, ବେଦବ୍ୟାସ ଆଦି ଅଞ୍ଚଳରେ କାରବାର ବେଲଗାମ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅବଶ୍ୟ ନିୟମିତ ବ୍ୟବଧାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି; ତେବେ ତାହା ପର୍ଯ୍ୟାପ୍ତ ହେଉନଥିବା ସ୍ପଷ୍ଟ ଜଣାପଡ଼େ। ଏସବୁ ଅଞ୍ଚଳରେ ଥିବା ଢ଼ାବା, ହୋଟେଲରେ ନକଲି ବିଦେଶୀ ମଦର ଉପସ୍ଥିତି ହିଁ କହୁଛି, କାରବାର କେତେ ମାତ୍ରାରେ ବଢ଼ିଲାଣି।
‌ଫେରାର ଥିବା ଜଣେ କୁଖ୍ୟାତ ନକଲି ବିଦେଶୀ ମଦ ବେପାରୀ ଓ ଜଣେ ଢ଼ାବା ମାଲିକଙ୍କୁ ଅବକାରୀ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ବନ୍ଧମୁଣ୍ଡାର ଗଙ୍ଗାଧର ସାହୁ(୪୨) ଓ ଜଲଦା ସି’ ବ୍ଲକର ରମେଶ ସାହୁ(୨୮)। ଏମାନଙ୍କଠାରୁ ୪୯.୮୬୦ ଲିଟର ନକଳି ବିଦେଶୀ ଜବତ ହୋଇଛି। ଅଭିଯୁକ୍ତ ରମେଶର ତାରିଣୀ ଢ଼ାବା ରହିଛି। ଏହି ଢ଼ାବା ସମେତ ବିଭିନ୍ନ ଅଞ୍ଚଳରେ ଥିବା ଢ଼ାବାକୁ ଅଭିଯୋଗ ଗଙ୍ଗାଧର ମଦ ଯୋଗାଣ କରିଥାଏ। ଏହି କ୍ରମରେ ଆଜି ମଦ ଯୋଗାଉଥିବାବେଳେ ଅବକାରୀ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ପ୍ରକାଶଥାଉକି, ନକଲି ବିଦେଶୀ ମଦ ବେପାରର କିଙ୍ଗ୍‌ପିନ୍‌ଭାବେ ଜଣାଶୁଣା ଗଙ୍ଗାଧର। ଏହି ନକଲି ମଦ ଝାଡ଼ଖଣ୍ଡରୁ ଅଣାଯାଇଥାଏ। ବାଇକ୍‌, କାର୍‌, ପିକ୍‌ଅପ୍‌ ଆଦି ବିଭିନ୍ନ ମାଧ୍ୟମରେ ବୀରମିତ୍ରପୁର, ଝୀରପାଣି ବ୍ରିଜ୍‌ ଦେଇ ରାଉରକେଲାକୁ ଆଣିଥାନ୍ତି। ଏସବୁ କାରବାର ପ୍ରାୟତଃ ବିଳମ୍ବିତ ରାତିରେ ହୋଇଥା।

ଏହି ନକଲି ମଦ ବିକ୍ରି କରିବାକୁ ଅଭିଯୁକ୍ତ ଗଙ୍ଗାଧର ସେ ପାଖାପାଖି ୮/୧୦ ଜଣଙ୍କୁ ନିୟୋଜିତ କରିଛି। ଏମାନେ ହିଁ ବିଭିନ୍ନ ବସ୍ତି ଅଞ୍ଚଳ, ଢ଼ାବାକୁ ଯାଇ ମଦ ଦେଇଥାନ୍ତି। ସାମାନ୍ୟ ଫୋନ କଲ୍‌ରେ ମଧ୍ୟ ଏମାନେ ନିର୍ଦ୍ଧାରିତ ସମୟରେ ଓ ନିର୍ଦ୍ଦିଷ୍ଟ ଠିକଣାରେ ମଦ ପହଞ୍ଚାଇ ଦେଉଛନ୍ତି। ଗତ ଫେବ୍ରୁଆରୀ ମାସରେ ଅବକାରୀ ପୁଲିସ ଗଙ୍ଗାଧରଙ୍କ ଆଡ଼ା ଉପରେ ଚଢ଼ଉ କରି ବହୁ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିଲା। ତେବେ ସେତେବେଳେ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲା। ଏତଦ୍‌ବ୍ୟତୀତ ଗଙ୍ଗାଧରଙ୍କ ନାଁରେ ପ୍ଲାଣ୍ଟ୍‌ସାଇଟ୍‌, ବନ୍ଧମୁଣ୍ଡା ଆଦି ଥାନାରେ ଏକାଧିକ ମାମଲା ଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ଆଜିର ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ସମେତ ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ରମାକାନ୍ତ ଚାନ୍ଦ, ମାନସ ମୁଣ୍ଡା, ଏଏସ୍‌ଆଇ ସଞ୍ଜୟ ଭୁକ୍ତା, ବିଦ୍ୟୁତ ଭୂଷଣ ଦାସ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର