ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ଆଇସିୟୁ ଓ ଗୋଟିଏ ଶଯ୍ୟାର ଚାପ କମିବ
ଗୋଷ୍ଠୀକୁ ସାଥୀରେ ନେଇ ଜିଲ୍ଲାପାଳମାନେ ତ୍ରୁଟିଶୂନ୍ୟ ଯୋଜନା କରନ୍ତୁ
ରାଜ୍ୟରେ ୩୧,୪୭୧ଟି ବେଡ୍ ରହିଛି। ଆଇସିୟୁ ବ୍ୟତୀତ ୧୭,୪୯୫ଟି
ଶଯ୍ୟାରେ ଅକ୍ସିଜେନର ବ୍ୟବସ୍ଥା ହୋଇଛି: ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ବର : ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ଆଇସିୟୁ ଓ ଗୋଟିଏ ଶଯ୍ୟା ଉପରୁ ଚାପ କମିଥାଏ। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ। କିନ୍ତୁ କେହି ଏକଥା ଭୁଲିବା ଉଚିତ୍ ନୁହେଁ ଯେ କୋଭିଡ୍ ବିେରାଧରେ ଲଢେଇ ଏକ ଲମ୍ବା ଲଢେଇ। କୋଭିଡର ଏହି ଦ୍ବିତୀୟ ଲହର ଆମକୁ ସୂଚାଇ ଦେଇଛି ଯେ ଏ ସଂକଟ ଦୀର୍ଘ ଦିନର ଏବଂ ଏଥିପାଇଁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ହେବ। ଏଣୁ ଏ ଲଢେଇ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଦାୟିତ୍ବ ନେବାକୁ ପଡ଼ିବ ଏବଂ ଦାୟିତ୍ବର ସହିତ କାମ କରିବାକୁ ହେବ।
ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ କୋଭିଡ୍ ପରିସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଭାବେ ମତ ରଖିଛନ୍ତି। ରାଜ୍ୟର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି ଯେ ରାଜ୍ୟ ସରକାର କୋଭିଡ ରୋଗୀ ମାନଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଦିନରାତି ଏକ କରି ସେବା ଜାରି ରଖିଛନ୍ତି। ଏଥିପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶ ବର୍ତ୍ତମାନ ଏକ ଗୁରୁତର ସଂକଟ ଦେଇ ଗତି କରୁଛି। ବଡ ବଡ ସହର ଓ ମେଟ୍ରୋ ମାନଙ୍କରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଚାପଗ୍ରସ୍ତ। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ।
ମୁଖ୍ୟମନ୍ତ୍ରୀ କହିଥିଲେ, ସଂପ୍ରତି ରାଜ୍ୟ ସରକାର ନିରନ୍ତର ସେବା ଜାରି ରଖିଥିଲେ ହେଁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦ୍ବେଗ ସୃଷ୍ଟି କରିଛି। ଭାଇରସ୍ର ଡବଲ୍ ଓ ଟ୍ରିପଲ୍ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି। ଦ୍ବିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଛି।
ଏଣୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଆମେ ଯେଉଁ ନୀତି ଅବଲମ୍ବନ କରିଆସିଛେ, ସେହିପରି କୋଭିଡର ମୁକାବିଲାରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର। ତୃଣମୂଳ ସ୍ତରରେ ପରିସ୍ଥିତିର ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍.ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିୟମିତ ସମୀକ୍ଷା କରି ପରବର୍ତ୍ତୀ ବୈଠକରେ ତାଙ୍କୁ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟଶାସନ ସଚିବଙ୍କୁ ନିର୍ଦେଶ ଦେଇଥିଲେ।
କୋଭିଡ ନିୟନ୍ତ୍ରଣରେ ବିଭିନ୍ନ ଜିଲ୍ଲାର ବ୍ୟାବସାୟିକ ସଂଗଠନ ମାନେ ଯେପରି ସ୍ବେଚ୍ଛାକୃତ ଭାବେ ଆଗେଇ ଆସି ବ୍ୟବସାୟ ସମୟକୁ ସୀମିତ କରିଛନ୍ତି, କେତେକ ସ୍ଥାନରେ ସ୍ବେଚ୍ଛାକୃତ ଭାବରେ ଦୋକାନ ବନ୍ଦ କରିଛନ୍ତି, ତାହା ସ୍ବାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଫଳପ୍ରଦ ପାଇଁ ସମସ୍ତ ଆବାସିକ ସଂଘ, ବଣିକ ସଂଘ ଏବଂ ଅନ୍ୟାନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ମାନଙ୍କ ସହିତ ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବା ଲାଗି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ ରୋଗର ଚିକିତ୍ସାରେ ଅକ୍ସିଜେନର ଗୁରୁତ୍ବ ସବୁଠାରୁ ଅଧିକ। ତେଣୁ ଅକ୍ସିଜେନ ଯୋଗାଣ ଯେପରି ସୁବ୍ୟବସ୍ଥିତ ଭାବରେ ଜାରି ରହିବ, ତାହାର ତଦାରଖ ହେବା ଉଚିତ୍। ଠିକ୍ ସମୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯେପରି ରୋଗୀ ପାଖରେ ପହଞ୍ଚି ପାରିବ, ସେଥିପ୍ରତି ଯତ୍ନବାନ ହେବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଜରୁରୀ ଔଷଧ ମହଜୁଦ ରଖିବା ଏବଂ ତାହାର ଯୋଗାଣ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ କହିଥିଲେ। କୋଭିଡ ନିୟମାବଳୀକୁ ଠିକ୍ ଭାବରେ ପାଳନ କରିବା, ତେବେ କୋଭିଡର ପରାଜୟ ସୁନିଶ୍ଚିତ। ଏ ବିପତ୍ତି ସମୟରେ ଆଗ ଧାଡ଼ିର କରୋନା ଯୋଦ୍ଧାମାନଙ୍କର ଯତ୍ନ ନିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ସେ କହିଥିଲେ, ରୋଗୀର ଜୀବନ ରକ୍ଷା ପାଇଁ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କଠିନ ପରିଶ୍ରମ କରୁଛନ୍ତି । ତେଣୁ ଆମେ ପ୍ରତ୍ୟେକ ଯଦି ଦାୟିତ୍ବବାନ ହେବା, ତେବେ କୋଭିଡ ଯୁଦ୍ଧରେ ଆମେ ନିଶ୍ଚିତ ବିଜୟୀ ହେବା।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମେଡିକାଲ କଲେଜ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ନୂଆ ବେସରକାରୀ ହସ୍ପିଟାଲ ଗୁଡିକୁ କୋଭିଡ ହସ୍ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ୩୦ ପ୍ରତିଶତ ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ଶଯ୍ୟା ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଅନ୍ ଲାଇନ୍ ରିଏଲ୍ ଟାଇମ୍ ବେଡ୍ ମ୍ୟାନେଜମେଣ୍ଟ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କୋଭିଡ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ବର୍ତ୍ତମାନ ୭ଟି ଜିଲ୍ଲାରେ ୬୦ ପ୍ରତିଶତ ସକ୍ରିୟ ସଂକ୍ରମିତ ଅଛନ୍ତି। ବର୍ତ୍ତମାନ ରାଜ୍ୟରେ ସମୁଦାୟ ୩୧,୪୭୧ଟି ବେଡ୍ ରହିଛି ଏବଂ ଆଇସିୟୁ ଶଯ୍ୟା ବ୍ୟତୀତ ୧୭,୪୯୫ଟି ଶଯ୍ୟାରେ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ଉଭୟ ସରକାରୀ ଓ ବେସରକରୀ କୋଭିଡ ହସ୍ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ ସଂଖ୍ୟକ ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ବର୍ତ୍ତମାନ ଦୈନିକ ୪୨.୧୦ ମେଟ୍ରିକ ଟନ୍ ଅକ୍ସିଜେନ ବ୍ୟବହାର କରାଯାଉଛି ବୋଲି ସୂଚନା ଦେବା ଶ୍ରୀ ମହାପାତ୍ର କହିଥିଲେ ଯେ ସମସ୍ତ ଜରୁରୀ ଔଷଧ ଯଥେଷ୍ଟ ଭାବରେ ଉପଲବ୍ଧ ରହିଛି।
ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମାନେ ଜିଲ୍ଲାର କୋଭିଡ ପରିସ୍ଥିତି ଓ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ। ବୈଠକରେ ଉନ୍ନୟନ କମିସନର ପି.କେ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ. ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/naveen-patnaik.jpg)