ବାଲେଶ୍ବର, (ରୁଦ୍ରରଂଜନ ଶେଜପଡ଼ା): ବିହାରରୁ ଅଲଗା ହୋଇ ଗଠନ ହୋଇଥିବା ନୂଆ ରାଜ୍ୟ ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆମାନେ ଆଜି ବି ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ଅବହେଳାର ଶିକାର ହେଉଛନ୍ତି। ନିଜର ଅସ୍ତିତ୍ବକୁ ନେଇ ସେମାନେ ଆଶଙ୍କା‌ରେ ଥିବା ବେଳେ ଭାଷାର ସୁରକ୍ଷା ପାଇଁ ରୀତିମତ୍‌ ଲଢ଼େଇ କରୁଛନ୍ତି। ଏଠାରେ ଓଡ଼ିଆ ଛାତ୍ରଛାତ୍ରୀମାନେ ଆପଣାର ଭାଷାରେ ପାଠ ପଠିବାର ସର୍ବନିମ୍ନ ଅଧିକାର ଟିକକ ବି ହରାଇବାକୁ ବସିଛନ୍ତି। ଏପରି ସମୟରେ ଦାବି ହୁଏ ଯେ ବିଚ୍ଛିନ୍ନାଞ୍ଚଳ ସିଂହଭୂମ୍‌ ଅଞ୍ଚଳକୁ ଓଡ଼ିଶ‌ାରେ ମିଶାଇଦିଆଯାଉ। ଉତ୍କଳ ଗୌରବ ମଧୁସୂଦନ ଦାସ ମଧ୍ୟ ଦିନେ ଏହି ଦାବି ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

Advertisment

୨୦୦୦ ମସିହା ନଭେମ୍ବର ମାସରେ ବିହାରରୁ ଅଲଗା ହୋଇ ଗଠନ ହେଲା ଝାଡ଼ଖଣ୍ଡ ରାଜ୍ୟ। ସିଂହଭୂମ୍ ଅଞ୍ଚଳ ଏହି ନୂଆ ରାଜ୍ୟ ଭାଗରେ ପଡ଼ି ପୂର୍ବ ସିଂହଭୂମ୍, ପଶ୍ଚିମ ସିଂହଭୂମ୍ ଓ ଷଢ଼େଇକଳା-ଖରସୁଆଁ ଭଳି ୩ଟି ଜିଲ୍ଲାରେ ବିଭକ୍ତ ହେଲା। ଯାହାର ଅଧିକାଂଶ ଅଧିବାସୀ ଓଡ଼ିଆ। ସଂଖ୍ୟା ପ୍ରାୟ ୯୦ ଲକ୍ଷରୁ ଅଧିକ ହେବ। ତେଣୁ ଝାଡ଼ଖଣ୍ଡ ସରକାର ୨୦୧୧ ମସିହାଠାରୁ ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ବି ଦେଇଛନ୍ତି। ତେବେ ଭିନ୍ନ ଏକ ପ୍ରଦେଶରେ ଅନ୍ତର୍ଭୁକ୍ତ ହେବା ଏବଂ ଝାଡ଼ଖଣ୍ଡ ସରକାରଙ୍କ ସାବତପୁଅ ମନୋଭାବ କାରଣରୁ ସଂପୃକ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାବହୁଳ ଓଡ଼ିଆ ଭାଷାଭାଷୀଙ୍କ ପରିଚୟ ଆଜି ସଂକଟରେ।

କେବଳ ସେତିକି ନୁହେଁ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉଦ୍ୟମରେ ଅବିଭକ୍ତ ସିଂହଭୂମ୍‌ ଜିଲ୍ଲାରେ ଖୋଲିଥିବ‌ା ୧୫୦ଟି ଓଡ଼ିଆ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇଗଲାଣି। ଅନ୍ୟପକ୍ଷରେ ଓଡ଼ିଆ ଭାଷାରେ ପାଠପଢ଼ା ଓ ଓଡ଼ିଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଝାଡ଼ଖଣ୍ଡରେ ସଂପୂର୍ଣ୍ଣ ରୋକି ଦିଆଯାଇଛି। ଏପରି ସମୟରେ ଦାବି ହୁଏ ଯେ ବିଛିନ୍ନାଞ୍ଚଳ ସିଂହଭୂମ୍‌ ଅଞ୍ଚଳ ଓଡ଼ିଶ‌ାରେ ମିଶାଇଦିଆଯାଉ। କେବଳ ଝାଡ଼ଖଣ୍ଡ ନୁହେଁ, ସିଂହଭୂମ୍ ଅଞ୍ଚଳ ଯେତେବେଳେ ବିହାର ରାଜ୍ୟର ଅଂଶ ଥିଲା; ଓଡ଼ିଆମାନେ ହୀନମନ୍ୟତାର ଶିକାର ହେଉଥିଲେ। ସେତେବେଳେ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସ ସମାନ କଥା କହିଥିଲେ। ୧୯୩୧ ମସିହା ନଭେମ୍ବର ୨୦ ତାରିଖ ଦିନ ଜା‌ମସେଦପୁରଠାରେ ଆୟୋଜିତ ଏକ ସଭାରେ ମଧୁସୂଦନ ଦାସ ସିଂହଭୂମ୍‌ ଜିଲ୍ଲାକୁ ଓଡ଼ିଶାରେ ମିଶାଇ ଦିଆଯିବା ଉଚିତ ବୋଲି ଯୁକ୍ତି ବାଢ଼ିଥିଲେ।

ଓଡ଼ିଶାର ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‌, ପ୍ରଥମ ବିଲାତ ଯାତ୍ରୀ, ପ୍ରଥମ ଏଲ୍‌ଏଲ୍‌ବି, ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ, ବଙ୍ଗ ବିଧାନସଭାର ସଦସ୍ୟ, ପ୍ରଥମ ମନ୍ତ୍ରୀ, ଜିଲ୍ଲା ପରିଷଦର ବେସରକାରୀ ସଦସ୍ୟ, ଭାଇସ୍‌ରାୟଙ୍କ ପରିଷଦର ସଦସ୍ୟ ମଧୁସୂଦନ ଦାସଙ୍କ ପରି ଜଣେ ମହାନ ବ୍ୟକ୍ତି ଯେତେ‌ବେଳେ ସିଂହଭୂମ୍‌ ଅଞ୍ଚଳକୁ ଓଡ଼ିଶାରେ ମିଶାଇ ଦିଆଯିବା ନେଇ ମତ ରଖିଛନ୍ତି; ଏହି ପ୍ରସଙ୍ଗ ଯେ କେତେ ଗୁରୁତ୍ବପୂର୍ଣ୍ଣ ହୋଇଥିବ, ତାହା ବିବେଚନା କରିବା କଥା।

ତେବେ ଏହି ପ୍ରସଙ୍ଗକୁ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାର ବର୍ତ୍ତମାନ ସମୟରେ କେତେ ଗୁରୁତ୍ବ ଦେବେ, ସେକଥା କହିବା ସମ୍ଭବ ନୁହେଁ। କାରଣ ଏହା ପଛରେ ବିଶେଷ କରି ଭୌଗୋଳିକ, ସାମାଜିକ ଓ ରାଜନୈତିକ ପ୍ରତିବନ୍ଧକ ରହିଛି। ତଥାପି ଅବହେଳାର ଶିକାର ହେଉଥିବା ବିଚ୍ଛିନ୍ନାଞ୍ଚଳ ସିଂହଭୂମ୍‌ର ଓଡ଼ିଆଙ୍କୁ ଯେ ଦିନେ ଓଡ଼ିଶା ସରକାର ଆଦରି‌ ନେବେ, ସଭିଁଙ୍କ ମନରେ ଏଇ ଆଶା ଟିକକ ରହିବା ସ୍ବାଭାବିକ।