ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପହିଲି ଶୀତ ଅନୁଭୂତ ହୋଇଛି। ସୋମବାର ଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ସମାନ୍ୟ ଥଣ୍ଡା ପଡ଼ିଛି। ଦିନରେ ସାମାନ୍ୟ ଗ୍ରୀଷ୍ମ ଅନୁଭୂତ ହେଉଥିବା ବେଳେ ରାତିରେ ହାଲ୍କା ଶୀତ ଲାଗୁଛି। ସକାଳ ସମୟରେ ଘନକୁହୁଡ଼ି ମଧ୍ୟ ପଡ଼ିଲାଣି। ଗତ ସପ୍ତାହରେ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ଉପରେ ଥିଲାବେଳେ ହଠାତ୍ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସି ଆସିଛି। ସୋମବାର ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଥିବାବେଳେ ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ଥିଲା। ସେହିଭଳି ଆଜି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରି ଥିବା ବେଳେ ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରହିଛି।
ଫୁଲବାଣୀ ସମେତ ଦାରିଙ୍ଗିବାଡ଼ି, ବେଲଘର, ଘୁ.ଉଦୟଗିରି, କୋଟଗଡ଼, ସୁବର୍ଣ୍ଣଗିରି, ରାଇକିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି। ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଅନୁଭୂତ ହୋଇଥିଲା। ଆଜି ଫୁଲବାଣୀ ସହରରେ ସକାଳ ୮ଟା ବେଳକୁ ସୂର୍ଯ୍ୟ ଦୃଶ୍ୟମାନ ହୋଇଥିଲେ। ଘନକୁହୁଡ଼ି ଯୋଗୁଁ ସକାଳ ସମୟରେ ରାସ୍ତାରେ ଚାଲିଲା ବେଳେ ମୁହଁକୁ ମୁହଁ ଦିଶୁ ନଥିବାରୁ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଘନ କୁହୁଡ଼ି କାରଣରୁ ଯାନବାହନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଥଣ୍ଡା ପଡ଼ିବାରୁ ଲୋକେ ମର୍ଣ୍ଣିଂ ୱାକରେ ବାହାରି ପଡ଼ିଲେଣି ଏବଂ ଚା' ଖଟିରେ ଭିଡ଼ ଜମାଇଲେଣି। ତେବେ ଅକ୍ଟୋବର ମାସରେ ପ୍ରବଳ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଉଥିବା ବେଳେ ଗତକାଲି ଠାରୁ ତାପମାତ୍ରାର ମତିଗତି ବଦଳିଛି। ଗତ ସପ୍ତାହେ ଧରି ପ୍ରତିଦିନ ୧ ଡିଗ୍ରି ଲେଖାଏ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।