ମଙ୍ଗଳବାରଠାରୁ ରାଜ୍ୟରେ ଶୀତ ଫେରିବ, କୁହୁଡ଼ି ଲାଗି ରହିବ

ଭୁବନେଶ୍ବର: ମଙ୍ଗଳବାରଠାରୁ ରାଜ୍ୟରେ ଶୀତ‌ ଫେରିପାରେ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। କେତେକ ସ୍ଥାନରେ ପାରଦ ପୁଣିଥରେ ୧୦ ଡିଗ୍ରି ତଳକୁ ଖସି ଆସିବ। ଦାରିଙ୍ଗବାଡ଼ି, ଫୁଲବାଣୀ, ସୁନ୍ଦରଗଡ଼, ସୋନପୁର ଆଦି ସ୍ଥାନରେ ପାରଦ ସର୍ବନିମ୍ନ ସ୍ତରକୁ ଫେରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆହୁରି ଆକଳନ କରାଯାଇଛି ଯେ ଆସନ୍ତା ତିନି ଦିନ ଉତ୍ତର ଓଡ଼ିଶା ସମେତ ଖୋର୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ସୋନପୁର, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ଲାଗିରହିବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ନ ହେଲେ ୨୧ ତାରିଖ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଅଞ୍ଚଳରେ ପାଗ ମୁଖ୍ୟତଃ କୋହଲା ରହିବ। ୧୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୧୧.୩, ସୁନ୍ଦରଗଡ଼ରେ ୧୨ ଡିଗ୍ରି ରହିଥିଲା। ଅନ୍ୟ ସବୁ ସହରରେ ପାରଦ ୧୩ ଡିଗ୍ରି ଉପରେ ଥିଲା।

ସମ୍ବନ୍ଧିତ ଖବର