ଭୁବନେଶ୍ୱର: ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୧.୫° ସେଲ୍ସିୟସ୍। ଫୁଲବାଣୀରେ ୧୨.୫° ରେକର୍ଡ ହୋଇଛି। ଏହିପରି ରାଜ୍ୟର ୧୫ଟି ସ୍ଥାନରେ ୨୦° ତଳକୁ ଖସିଛି ପାରଦ। ଗତକାଲି ୧୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦° ତଳେ ରହିଥିଲା। ସାଧାରଣତଃ ନଭେମ୍ବର ମାସର ମଝିରେ ଏଭଳି ଥଣ୍ଡା ଅନୁଭୂତ ହୋଇଥାଏ। ଏଥର ଅକ୍ଟୋବର ମାସ ଶେଷ ସପ୍ତାହରେ ଶୀତ ଆସିଛି। ଅବଶ୍ୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଥଣ୍ଡାର ମାତ୍ରା କମ୍। କିନ୍ତୁ ଆଭ୍ୟନ୍ତରୀଣ କି ପଶ୍ଚିମ ଓଡ଼ିଶାରେ ଶୀତ ମାଡ଼ି ଆସୁଥିବା କଥାକୁ ସହଜେ ଏଡ଼ାଇ ଦେଇହେବ ନାହିଁ। ପାଣିପାଗବିତ୍ଙ୍କ ମତରେ ଏଥର ଶୀତ ଋତୁ ସଅଳ ଆସିଛି।
ସୂଚନା ମୁତାବକ ୨୦° ତଳକୁ ଖସିଥିବା ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଛି। ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୧୫.୮° ଥିବା ବେଳେ ଏହା ସ୍ୱାଭାବିକ ତାପମାତ୍ରାଠାରୁ ୩° କମ୍। ସେହିପରି ସମ୍ବଲପୁରର ତାପମାତ୍ରା ୨°, କେନ୍ଦୁଝର ୨°,
ଅନୁଗୁଳ ୨°, ଝାରସୁଗୁଡ଼ା ୧°, ବଲାଙ୍ଗୀର ୧°, ଟିଟିଲାଗଡ଼ ଆଦି ସ୍ଥାନରେ ସର୍ବାନିମ୍ନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଅପେକ୍ଷା ୧° କମ୍ ରହିଛି।
ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ସଠିକ୍ ସମୟରେ ବିଦାୟ ନେଇଛି। ଶେଷ ଆଡ଼କୁ ଯେଉଁଭଳି ଲଘୁଚାପ ଜନିତ ବର୍ଷା ହେଲା, ତା’ ଫଳରେ ବାୟୁମଣ୍ଡଳରୁ ସବୁ ଜଳୀୟବାଷ୍ପ ଶୋଷି ନେଇଗଲା। ଏଣୁ ୧୦/୧୨ ଦିନ ହେଲା ରାଜ୍ୟରେ ପାଗ ଶୁଖିଲା ରହିଛି। ଏଭଳି ପାଗ ଶୀତ ଆସିବାକୁ ବାଟ କଢ଼େଇଛି ବୋଲି ଡ. ସାହୁ କହିଛନ୍ତି।
ଶୀତର ପ୍ରଭାବ ଉପକୂଳ କି ଦକ୍ଷିଣ ଓଡ଼ିଶା ତୁଳନାରେ ପଶ୍ଚିମ ଜିଲ୍ଲାଗୁଡ଼ିକରେ ଅଧିକ ଅନୁଭୂତ ହେଉଛି। ଉପକୂଳରେ ବେଳକୁ ବେଳ ପାଗ ବଦଳୁଛି। ଏହାର କାରଣ ହେଉଛି ଆକାଶରେ ଭାସୁଥିବା ଖଣ୍ଡ ଖଣ୍ଡ ବାଦଲ। ଗତକାଲି ଉତ୍ତର ଦିଗରୁ ପବନ ବହୁଥିଲା। ଆଜି ଦକ୍ଷିଣ ପୂର୍ବ ଦିଗରୁ ବହୁଛି ଅପେକ୍ଷାକୃତ ଉଷ୍ମ ପବନ। ଫଳରେ ଥଣ୍ଡା ବଢ଼ିବାରେ ଏହା ପ୍ରତିବନ୍ଧକ ପାଲଟିଛି। ଆସନ୍ତା ୩ ତାରିଖ ବେଳକୁ ଆଣ୍ଡାମାନ ସାଗର ନିକଟ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ୪/୫ ତାରିଖ ବେଳକୁ ଦକ୍ଷିଣର ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି। ପରେ ଉପକୂଳ ଏବଂ ଦକ୍ଷିଣ ଜିଲ୍ଲାଗୁଡ଼ିକର ଅଳ୍ପ କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ଆଜି ଦାରିଙ୍ଗିବାଡ଼ି, ଫୁଲବାଣୀକୁ ଛାଡ଼ିଦେଲେ ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୧୪.୯° ରେକର୍ଡ ହୋଇଛି। ସେହିପରି କୋରାପୁଟରେ ୧୫°, ଭବାନୀପାଟଣାରେ ୧୫.୮°, କେନ୍ଦୁଝରରେ ୧୬°, ଝାରସୁଗୁଡ଼ା, ଅନୁଗୁଳରେ ୧୭.୬°, ସମ୍ବଲପୁରରେ ୧୭.୮°, ସୋନପୁରରେ ୧୮°, ବଲାଙ୍ଗୀର, ଟିଟିଲାଗଡ଼, ସୁନ୍ଦରଗଡ଼ରେ ୧୮.୫°, ଗୋପାଳପୁରରେ ୧୯.୬°, ଢେଙ୍କାନାଳରେ ୧୯.୯° ରହିଛି।
ଆସିଲା ଶୀତ, ୧୫ଟି ସ୍ଥାନରେ ୨୦° ତଳକୁ ଖସିଲା ପାରଦ
ଦାରିଙ୍ଗିବାଡ଼ିରେ ୧୧.୫°
/sambad/media/post_attachments/wp-content/uploads/2017/10/winter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)