ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ଏବେ ୨୧୦୩ଟି ହାତୀ ରହିଛନ୍ତି। ଚିହ୍ନଟ ହୋଇଥିବା ହାତୀଙ୍କ ମଧ୍ୟରେ ମଧ୍ୟରୁ ୫୩୬ଟି ଅଣ୍ଡିରା ଓ ୯୮୩ଟି ମାଈ ହାତୀ ଅଛନ୍ତି। ୫୮୪ଟି ଛୁଆ ହାତୀ ରହିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ଶୀତଦିନିଆ ହାତୀ ଗଣନା ରିପୋର୍ଟରେ ଦର୍ଶାଯାଇଛି। ମେ’ ମାସ ଗଣନା ସମୟରେ ଓଡ଼ିଶାରେ ଚିହ୍ନଟ ହୋଇଥିବା ୨୦୯୮ଟି ହାତୀଙ୍କ ମଧ୍ୟରେ ୪୭୪ଟି ଅଣ୍ଡିରା, ୧୦୩୦ଟି ମାଈ ଓ ୫୯୪ଟି ଛୁଆ ହାତୀ ରହିଥିଲେ। ଅର୍ଥାତ୍‌ ଗ୍ରୀଷ୍ମରେ ହୋଇଥିବା ଗଣନା ତୁଳନାରେ ରାଜ୍ୟରେ ୫ଟି ହାତୀ ବଢ଼ିଥିବା ଆଜି ସରକାରୀ ଭାବେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

Advertisment

ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୨୯୧ଟି ହାତୀ ରହିଛନ୍ତି। ଏହା ତଳକୁ କେନ୍ଦୁଝର ବନଖଣ୍ଡରେ ୧୬୦, ଆଠଗଡ଼ରେ ୧୨୪, ଦେବଗଡ଼ରେ ୧୨୩ ଓ ଅନୁଗୁଳରେ ୧୧୭ଟି ହାତୀ ରହିଛନ୍ତି। ଗ୍ରୀଷ୍ମ ସମୟ ଗଣନା ସମୟରେ ଢେଙ୍କାନାଳରେ ୨୩୯ଟି ହାତୀ ରହିଥିଲେ, ଯାହାକି ଏଥର ଆଖିଦୃଶିଆ ବୃଦ୍ଧି ପାଇଛି। ‌ତେବେ ଆଠଗଡ଼ରୁ ହାତୀ କମିଛନ୍ତି। ଗ୍ରୀଷ୍ମ ଗଣନା ସମୟରେ ଆଠଗଡ଼ରେ ୧୭୮ ହାତୀ ଥିବା ବେଳେ ଏବେ ୧୨୪ଟି ରହିଛନ୍ତି। ସର୍କଲ ଅନୁଯାୟୀ ଦେଖିଲେ ଅନୁଗୁଳରେ ସର୍ବାଧିକ ୬୮୦ଟି ହାତୀ ଅଛନ୍ତି। ଯେତେବେଳେ କି ରାଉରକେଲାରେ ୪୬୨, ବାରିପଦାରେ ୩୮୪, ବ୍ରହ୍ମପୁରରେ ୧୭୨, ସମ୍ବଲପୁରରେ ୧୪୪, ଭବାନୀପାଟଣାରେ ୧୪୦, ଭୁବନେଶ୍ବରରେ ୧୨୦ ହାତୀ ରହିଛନ୍ତି। ତେବେ କୋରାପୁଟ ସର୍କଲରେ ମାତ୍ର ଗୋଟିଏ ଅଣ୍ଡିରା ହାତୀ ରହିଛି, ଯାହାକି ରାୟଗଡ଼ା ବନଖଣ୍ଡରେ।
ଢେଙ୍କାନାଳ, ଦେବଗଡ଼, ରାଉରକେଲା, କେନ୍ଦୁଝର, ସମ୍ବଲପୁର, ଆଠମଲ୍ଲିକ, ଘୁମୁସର ଉତ୍ତର, କଳାହାଣ୍ଡି ଉତ୍ତର, କଳାହାଣ୍ଡି ଦକ୍ଷିଣ, ବଲାଙ୍ଗୀର ଓ ରେଢ଼ାଖୋଲ ଡିଭିଜନ୍‌ରେ ହାତୀଙ୍କ ସଂଖ୍ୟା ବଢ଼ିଛି। ଶିମିଳିପାଳ ଉତ୍ତର, ସାତକୋଶିଆ, ବାମରା ଓ ରାୟଗଡ଼ା ଡିଭିଜନରେ ହାତୀଙ୍କ ସଂଖ୍ୟା କମିଛି।

୫୩୬ ଅଣ୍ଡିରା, ୯୮୩ ମାଈ, ୫୮୪ ଛୁଆ ଅଛନ୍ତି
୭ ମାସରେ ଗଲାଣି ୪୮ ହାତୀଙ୍କ ଜୀବନ
ଅନୁଗୁଳ ସର୍କଲରେ ସର୍ବାଧିକ ୬୮୦ ହାତୀ

ଶୀତ ଦିନରେ ଓଡ଼ିଶାର ହାତୀମାନେ ପଡ଼ୋଶୀ ରାଜ୍ୟକୁ ଯାଉଥିବାରୁ ଏହି ଡିଭିଜନଗୁଡ଼ିକରେ ହାତୀଙ୍କ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି। ଗ୍ରୀଷ୍ମ ଅପେକ୍ଷା ଶୀତ ଦିନେ ରାଉରକେଲା ଓ ଭବାନୀପାଟଣା ସର୍କଲରେ ହାତୀଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଅଧିକ ହାତୀ ଓଡ଼ିଶା ଆସିଥିବା ଦେଖିବାକୁ ମିଳିଛି। ଯେତେବେଳେ କି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରୁ କମ୍‌ ହାତୀ ଆସିଛନ୍ତି। ତେବେ ଚିନ୍ତାର କାରଣ ହେଉଛି ଯେ ଏହି ସମୟ ମଧ୍ୟରେ ୪୮ଟି ହାତୀଙ୍କ ଜୀବନ ଯାଇଛି। ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ଡିଭିଜନରେ ନଭେମ୍ବର ୧୪ରୁ ୧୬ ମଧ୍ୟରେ ଏହି ହାତୀ ଗଣନା କରାଯାଇଥିଲା। ୨୦୩୨ ଗଣନା ୟୁନିଟ୍‌ ସାମିଲ ହୋଇଥିବା ବେଳେ ୧୩୭୬ଟି ମଞ୍ଚା ହୋଇଥିଲା। ୬ ହଜାରରୁ ଅଧିକ କର୍ମଚାରୀ, ବିଶେଷଜ୍ଞ, ହାତୀ ସ୍କ୍ବାଡ୍‌ ସଦସ୍ୟ, ସ୍ବେଚ୍ଛାସେବୀ ସଙ୍ଗଠନ, ରିସର୍ଚ୍ଚ ସ୍କଲାର୍‌, ଏକାଡେମିସିଆନ୍‌ ସାମିଲ ହୋଇଥିଲେ। ୫୦ରୁ ଅଧିକ ଡ୍ରୋନ୍‌ ବ୍ୟବହାର ହୋଇଥିଲା। ଡିଭିଜନ ଓ ସର୍କଲ ସ୍ତରରେ ଏସିଏଫ୍‌କୁ ନୋଡାଲ ଅଧିକାରୀମାନେ ନିୟୋଜିତ କରାଯାଇ ସେମାନଙ୍କୁ ଗଣନା କାର୍ଯ୍ୟର ତଦାରଖ ଦାୟିତ୍ବ ଦିଆଯାଇଥିଲା ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।