ଭୁବନେଶ୍ବର : ରାଜ୍ୟରେ ଶୀତ ଲହରୀକୁ ନଜରରେ ରଖି ଡିସେମ୍ବର ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ ମିଳିବ ଶୀତ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ନଭେମ୍ବର ୩୦ ଓ ଡିସେମ୍ବର ୧ ଏହି ଦୁଇ ଦିନ ମଧ୍ୟରେ ସବୁ ହିତାଧିକାରୀ ଯେପରି ଏ ସହାୟତା ପାଇବେ ସେଥିପାଇଁ ପଦକ୍ଷେପ ନିଆଯିବ। ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ଭାବରେ ଯୋଗାଇ ଦିଆଯିବ। ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ପେନସନ ଯୋଜନା ଅଧୀନ ୪୮ଲକ୍ଷରୁ ଅଧିକ ହିତାଧିକାରୀ ଏଥିରେ ଉପକୃତ ହେବେ। ରାଜ୍ୟ ସରକାର ଏଥିପାଇଁ ୧୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

Advertisment

ଉପକୃତ ହେବେ ମଧୁବାବୁ ପେନସନ ଓ ଜାତୀୟ ପେନସନ ଯୋଜନା ହିତାଧିକରୀ
୪୮ଲକ୍ଷରୁ ଅଧିକ ହିତାଧିକାରୀ କମ୍ବଳ ପାଇଁ ଖର୍ଚ ହେବ ୧୪୬ କୋଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଶୀତ ପ୍ରବାହ ସମୟରେ କେହି ଯେପରି ଖୋଲା ସ୍ଥାନରେ ଅସହାୟ ଭାବରେ ନ ରୁହନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ତଥା ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ତ୍ତୃପକ୍ଷମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖ ଯେ ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସରକାର ପେନସନ ହିତାଧିକାରୀମାନଙ୍କୁ ଗ୍ରୀଷ୍ମ ଓ ଶୀତ ସହାୟତା ଯୋଗାଇ ଦେଇଆସୁଛନ୍ତି। ବର୍ତ୍ତମାନ ରାଜ୍ୟରେ ୮୫୫ଟି ଯାତ୍ରୀ ଆଶ୍ରୟସ୍ଥଳୀ ଖୋଲାଯାଇଛି। ଆବଶ୍ୟକସ୍ଥଳେ ପଞ୍ଚାୟତ କାର୍ଯ୍ୟାଳୟ ଓ ସ୍କୁଲ ଘରଗୁଡିକୁ ମଧ୍ୟ ରାତ୍ର ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ।