ଭୁବନେଶ୍ବର : ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ପ୍ରକୋପ କମିବ। କିନ୍ତୁ ୮ ତାରିଖରୁ ପୁଣି ଥିରେ ପାରଦସ୍ତର ଖସିବା ଆରମ୍ଭ କରିବା ଫଳରେ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୫ରୁ ୭ ତାରିଖ ଭିତରେ ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତର ପ୍ରକୋପ କିଛି ବଢ଼ିବ। ମାତ୍ର ଏହା ଦକ୍ଷିଣ ଉପକୂଳରେ ଅପରିବର୍ତ୍ତିତ ରହିବ। ୯ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢ଼ିବା ଆରମ୍ଭ କରିବ। ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ ୬ ତାରିଖ ଦିନ ଆଭ୍ୟନ୍ତର ଉତ୍ତର ଓଡ଼ିଶାର ପାଗ କୋହଲା ରହିପାରେ। ଅନୁମାନ କରାଯାଉଛି ଯେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ଆସନ୍ତାକାଲି ରାତ୍ରି ତାପମାତ୍ରା ସାମାନ୍ୟ ବଢ଼ିବ। ତେବେ ୮ ତାରିଖରୁ ଏହା ବଢ଼ିବା ଆରମ୍ଭ ହେବ। ୧୩ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ବିଶେଷ ଅନୁଭୂତ ହେବ ନାହିଁ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୫ ଓ ୬ ତାରିଖ ଭିତରେ ପ୍ରାୟ ୧ ଡିଗ୍ରି ବଢ଼ି ୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୯ ତାରିଖରୁ ତାପମାତ୍ରା ଧୀରେଧୀରେ ବଢ଼ି ୧୩ ତାରିଖ ସୁଦ୍ଧା ପ୍ରାୟ ୨.୫ ଡିଗ୍ରି ବଢ଼ିବ। ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାରେ ୬ ତାରିଖରେ ପାଗ ଆଂଶିକ ମେଘୁଆ ରହିବ। ୬ ଓ ୭ ତାରିଖରେ ପାଗ କୋହଲା ରହିବା ସହ ଘନ କୁହୁଡ଼ି ପଡ଼ିବ ଓ ଏହା ସକାଳ ୯ଟା ପର୍ଯ୍ୟନ୍ତ ଲାଗି ରହିପାରେ। ୫ରୁ ୭ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି କମି ୯ ଡିଗ୍ରି ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ।
ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ୮.୦ , ଝାରସୁଗୁଡ଼ା ୯.୨, କେନ୍ଦୁଝର ୯.୪, ବଲାଙ୍ଗୀର ୯.୫, ସୁନ୍ଦରଗଡ଼ ୯.୮, କୋରାପୁଟ ୮.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଆହୁରି କିଛି ଅଞ୍ଚଳରେ ରାତ୍ରି ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ଅବଶିଷ୍ଟ ଅଞ୍ଚଳରେ ତାପମାତ୍ରା ୧୦ରୁ ୧୫ ଡିଗ୍ରି ପର୍ଯ୍ୟନ୍ତ ରହିଛି। ଅଧିକାଂଶ ଜିଲ୍ଲାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥିଲା।