ଶୀତର ଲୁଚକାଳି : ଫୁଲବାଣୀ‌ରେ ୬ ଡିଗ୍ରି, ୧୮ରୁ ଥଣ୍ଡା କମିବ

ଭୁବନେଶ୍ବର : ଲୁଚକାଳି ଖେଳୁଛି ଶୀତ। ଗତ କିଛି ଦିନ ହେଲା ରାଜ୍ୟ‌‌‌ରେ ପାରଦ ଊର୍ଧ୍ବମୁଖା ଥିବା ବେଳେ ଏବେ ପୁଣି ଥଣ୍ଡା ବଢ଼ିବା ଆରମ୍ଭ ହୋଇଛି। ପାଖାପାଖି ୧୦ ଦିନ ପରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି। ଖାଲି ଫୁଲବାଣୀ ନୁହେଁ, ଆଉ ୪ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତର ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରି ଖସିଥିବା ବେଳେ ଉପକୂଳ‌‌ରେ ୧ ଡିଗ୍ରି କମିଛି। ତେବେ ଏପରି ସ୍ଥିତି ବେଶି ଦିନ ପର୍ଯ୍ୟନ୍ତ ଲାଗି ରହିବ ନାହିଁ। ୧୮ ତାରିଖରୁ ପୁଣି ରାଜ୍ୟକୁ ପୂର୍ବାପବନର ପ୍ରବାହ ବଢ଼ିବ ଓ ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଫଳରେ ଥଣ୍ଡା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବି କୁଡୁଡ଼ି ଦେଖିବାକୁ ମିଳିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୬ଡିଗ୍ରି ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୭.୪ ଡିଗ୍ରି, ଦାରିଙ୍ଗବାଡ଼ି ୮.୫ ଡିଗ୍ରି, ସୁନ୍ଦରଗଡ଼ ୯.୦ ଡିଗ୍ରି ଓ ବଲାଙ୍ଗୀରରେ ୧୦ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା‌ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଅନ୍ୟପଟେ ଝାରସୁଗୁଡ଼ାରେ ଶୀତ ଲହରି ପୁଣି ଫେରିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି।

ବର୍ତ୍ତମାନ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭା‌ବିକ କିମ୍ବା ସ୍ବାଭାବିକଠାରୁ ଟିକେ ଅଧିକ ରହିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୨୦ ମଧ୍ୟରେ ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର