କନ୍ଧମାଳ: ଦାରିଙ୍ଗବାଡ଼ିରେ ପାରା ୭.୫ ଡିଗ୍ରି, ଫୁଲବାଣୀରେ ତାପମାତ୍ରା ୮.୪ ଡିଗ୍ରି

ତୁମୁଡ଼ିବନ୍ଧ/ଫୁଲବାଣୀ: ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ରବିବାର ପାରା ୭.୫ ଡିଗ୍ରି ଛୁଇଁଛି। ସେହିପରି ଜିଲ୍ଲା ସଦର ମହକୁମା ଫୁଲବାଣୀରେ ତାପମାତ୍ରା ୮.୪ ଡିଗ୍ରିରେ ପହଂଚିଛି। ଦାରିଙ୍ଗବାଡ଼ିରେ ଶନିବାର ତାପମାତ୍ରା ୮.୫ ଡିଗ୍ରି ଥିଲା। ସେହିପରି ଫୁଲବାଣୀରେ ଶନିବାର ତାପମାତ୍ରା ୭ ଡିଗ୍ରି ଥିଲା।

ସାରା ରାଜ୍ୟରେ ଲୋକେ ଶୀତରେ ଥରୁଛନ୍ତି। କିଛି ଦିନ ତଳେ ଅଦିନିଆ ବର୍ଷା ଯୋଗୁଁ ଲୋକଙ୍କୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଗତ କିଛି ଦିନ ହେବ ଶୀତ ଲେଉଟିଛି। ଦିନକୁ ଦିନ ଶୀତର ପ୍ରକୋପ ଆହୁରି ବଢ଼ିଛି। ଶୀତ ଜନିତ ଜୀବନହାନୀ ରୋକିବାକୁ ଶନିବାର ସ୍ୱତନ୍ତ୍ର ରିଲିଫ କମିସନର ଗ୍ରାମାଂଚଳରେ ଘର ନଥିବା ଲୋକଙ୍କୁ ସ୍କୁଲ ଓ ସହରାଂଚଳ ବାସହୀନଙ୍କୁ ରାତ୍ର ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲାର ଅନ୍ୟ ଅଂଚଳରେ ମଧ୍ୟ ଲୋକଙ୍କୁ ଶୀତ ଥରାଉଛି। ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି। ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି।

ସମ୍ବନ୍ଧିତ ଖବର