୨୨ରୁ ଶୀତ ବଢ଼ିବ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି। ‌ତେବେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ୨୨ ତାରିଖରୁ ବର୍ଷା କମିଯିବା‌ ସହ ତାପମାତ୍ରା ଖସିବ ଓ ରାଜ୍ୟକୁ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ‌କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ସୋନପୁରଠାରେ ୧୫.୪ ଡିଗ୍ରି ରେକର୍ଡ କରାଯାଇଛି। ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ କୋରାପୁଟଠାରେ ସର୍ବନିମ୍ନ ୧୫.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି। ବଙ୍ଗୋପସାଗରୀୟ ଅଞ୍ଚଳରୁ ପୂର୍ବ ତଥା ଉତ୍ତର-ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସା‌ମାନ୍ୟ ବୃଦ୍ଧି ଘଟିଛି ବୋଲି ଶ୍ରୀ ଦାସ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦ ଓ ୨୧ ତାରିଖ ଆଡ଼କୁ କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, କନ୍ଧମାଳ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିରୁ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୨୧ ତାରିଖ ଦିନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ବର୍ଷା ହୋଇପାରେ। ଅନ୍ୟପ‌ଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ୨୦ ତାରିଖରୁ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ହ୍ରାସ ଯୋଗୁଁ ଶୀତ ଲେଉଟିବ। ନଭେମ୍ବର ୨୦ରୁ ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା କମିବା ଆରମ୍ଭ ହେବ। ୨୨ ତାରିଖ ଭିତରେ ୫ ଡିଗ୍ରି ବା ତା’ଠାରୁ ଆହୁରି ତାପମାତ୍ରା କମିବା ଫଳରେ ଶୀତ ବଢ଼ିବ। ୨୨ ତାରିଖରେ ୩ରୁ ୪ ଡିଗ୍ରି କମି ପୁଣି ୨୩ରୁ ୨୫ ତାରିଖ ଭିତରେ ଆଉ ୩ ଡିଗ୍ରି କମିପାରେ। ଏଣୁ ସାରା ରାଜ୍ୟରେ ଶୀତ ବଢ଼ିବ। ସର୍ବନିମ୍ନ ତା‌ପମାତ୍ରା ସହ ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରି କମିବାର ସମ୍ଭାବନା ରହିଛି। ୧୯ରୁ ୨୨ ତାରିଖ ମଧ୍ୟରେ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ବିଶେଷ କରି ପାରାଦୀପଠାରୁ ଗୋପାଳପୁର ପର୍ଯ୍ୟନ୍ତ ଆକାଶ ଆଂଶିକ ମେଘୁଆ ରହିବ। ୨୧ ତାରିଖ‌ରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଓ ତା’ପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର