ରାଜ୍ୟରୁ ଶୀତ ଉଭାନ୍‌, ୬ ଦିନ ପରେ ଫେରିପାରେ

ପୂର୍ବା ଓ ଦକ୍ଷିଣା ପବନ ବଢ଼ାଉଛି ଉଷ୍ମତା

ଭୁବନେଶ୍ବର : ସକାଳୁ ଆଉ କାଲୁଆ ପବନ ବହୁ ନାହିଁ। ରାତିରେ ଫ୍ୟାନ୍‌ ନ ଦେଲେ ଗରମ ଲାଗୁଛି। କିଛି ଦିନ ତଳେ ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟବାସୀ ଥରୁଥିବା ବେଳେ ଗତକାଲିଠାରୁ ଶୀତ ପୂରାପୂରି ଉଭାନ ହୋଇଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ଆସନ୍ତା ୫ରୁ ୬ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ। ବିଶେଷ ଥଣ୍ଡା ଅନୁଭୂତ ହେବ ନାହିଁ। ତେବ‌େ ୬ ଦିନ ପରେ ପୁଣି ପାରଦ ତଳମୁହାଁ ହେବ ଓ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

‌‌କେନ୍ଦ୍ରର ସୂଚନା ମୁତାବକ, ସାଧାରଣତଃ ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ତାପମାତ୍ରାରେ ପାଖାପାଖି ୮ ଡିଗ୍ରିର ଅନ୍ତର ଦେଖିବାକୁ ମିଳିଛି। ଅର୍ଥାତ୍‌ ଶୀତ ଦିନକୁ ବିଚାରକୁ ନେଲେ ଏବେ ତାପମାତ୍ରା ପ୍ରାୟ ୮ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି।ତେବ‌େ ୬ ଦିନ ପରେ ଏହି ପବନ ବନ୍ଦ ହେବା ସହ ପୁଣି ଶୀତ ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୮ ଡିଗ୍ରି ମଧ୍ୟରେ ରହିଥିବା ବେଳେ ଉପକୂଳରେ ୧୮ରୁ ୨୦ ଡିଗ୍ରି ମଧ୍ୟରେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୁନ୍ଦରଗଡ଼ଠାରେ ୧୫ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୯.୩ ଡିଗ୍ରି ରହିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି।

ସମ୍ବନ୍ଧିତ ଖବର