୩୦ ଦିନ ଆଗରୁ ଶୀତ ଅଧିବେଶନ ଶେଷ

ଦଶ କାର୍ଯ୍ୟଦିବସରେ ସୀମିତ, ଶେଷଦିନରେ ବି ପରୀ ଝଡ଼

ଭୁବନେଶ୍ୱର : ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବାର ଥିଲା। କିନ୍ତୁ ମାସକ ଆଗରୁ ଆଜି ଶେଷ ହୋଇଛି। ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ ହେଲା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବୀ ରଖିଛନ୍ତି।

୧୦ ଦିନର ଏହି ସ୍ବଳ୍ପ ଅବଧିର ଅଧିବେଶନରେ ୨ଟି ମୁଲତବୀ ପ୍ରସ୍ତାବ ଓ ଗୋଟିଏ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ୩ଟି ଅଧ୍ୟାଦେଶ ଉପସ୍ଥାପନ କରାଯାଇଥିଲା ଓ ୭ଟି ବିଲ୍‌ ପାରିତ ହୋଇଥିଲା। ବିଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀମାନେ ୩ଟି ବିବୃତି ରଖିଥିଲେ। କେବଳ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଥିଲା ବେଳେ ଅନ୍ୟ ବିଭାଗଗୁଡ଼ିକର ଖର୍ଚ୍ଚଦାବି ଗିଲୋଟିନ୍‌ରେ ପାରିତ ହୋଇଥିଲା। ଅଧିକାଂଶ ସମୟରେ ବିିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ରହିଥିଲା। ଅଧିବେଶନର ଷଷ୍ଠ ଦିନ ଠାରୁ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାରେ ଉଭୟ କଂଗ୍ରେସ ଓ ବିରୋଧୀ ଗୃହକୁ ଅଚଳ କରି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏସ୍‌ଆଇଟି ତଦନ୍ତ ପାଇଁ ଘୋଷଣା କଲା ପରେ କଂଗ୍ରେସ ଶାନ୍ତ ହୋଇଥିଲେ ବି ବିଜେପି ଶେଷ ପର୍ଯ୍ୟନ୍ତ ପ୍ରସଙ୍ଗରୁ ହଟି ନ ଥିଲା।

ପ୍ରତି ବର୍ଷ ବିଧାନସଭା ୬୦ ଦିନ ବସିବାର ନିୟମ ରହିଛି। ଗତ ବଜେଟ୍‌ ଓ ମୌସୁମୀ ଅଧିବେଶନରେ ମାତ୍ର ୨୦ ଦିନ ଗୃହ ଚାଲିଥିବାରୁ ଆଉ ୪୦ ଦିନ ବାକି ଥିଲା। ତେଣୁ ଶୀତ ଅଧିବେଶନକୁ ୪୦ ଦିନ କରିବା ପାଇଁ ସୂଚୀ ପ୍ରକାଶ ପାଇଥିଲା। ଆଜି ଥିଲା ଅଧିବେଶନର ଦଶମ ଦିନ। ବ୍ୟୟ ମଞ୍ଜୁରି ବିଲ୍‌ ଗୃହୀତ ହେଲା ପରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ସରକାରଙ୍କ ଦ୍ବାରା ଆଗତ ବିଲ୍‌ ପାରିତ ହୋଇସାରିଛି। ଗୃହରେ ଆଉ କୌଣସି କାର୍ଯ୍ୟ ନାହିଁ। ତେଣୁ ଗୃହର ସମ୍ମତି ନିଅ‌ାଯାଇ ମୁଲତବୀ ରଖାଯାଉ। ଶାସକ ଦଳର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଏହାକୁ ସମର୍ଥନ କରି କହିଥିଲେ, ଗୃହରେ ବହୁ ଗୁରୁତ୍ବପୂର୍ଣ୍ଣ

ପ୍ରସଙ୍ଗ ଆଲୋଚନା ହୋଇଛି। ବିଜେପି ବନ୍ଧୁମାନେ ସହଯୋଗ କରିଥିଲେ ଆହୁରି ଅଧିକ ପ୍ରସଙ୍ଗ ଆଲୋଚନା ହୋଇପାରିଥା’ନ୍ତା। ଯେତିକି ଦିନ ଗୃହ ଚାଲିଛି, ସେଥିରେ ଲୋକଙ୍କ ପ୍ରସଙ୍ଗ ଉତ୍‌ଥାନ ହୋଇଛି।  ପ୍ରସ୍ତାବକୁ ବିରୋଧ କରି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଲେ ଯେ ଗୃହରେ ଆଲୋଚନା ପ‌ାଇଁ ଅନେକ ପ୍ରସଙ୍ଗ ରହିଛି। ଗୃହରେ ଅସ୍ବାଭାବିକ ପରିସ୍ଥିତି ଯୋଗୁ ବହୁ ପ୍ରସଙ୍ଗରେ ଆଲୋଚନା ହୋଇପାରିନି। ତେଣୁ ଗୃହ କାର୍ଯ୍ୟ ପୂର୍ବ ସୂଚୀ ଅନୁଯାୟୀ ଚାଲୁ ରହୁ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ଗୃହରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ସରକାର ବିରୋଧୀ ଦଳର ଦାବି ପୂରଣ କରିଛନ୍ତି। ସ୍ବଳ୍ପ ଦିନର ଏହି ଅଧିବେଶନ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଆହୁରି ଅନେକ ପ୍ରସଙ୍ଗ ଆଲୋଚନା ହେବାର ଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଅନ୍ୟ ରାଜ୍ୟରେ ବିଧାନସଭା ଅଧିବେଶନ ବସିପାରୁନି। କିନ୍ତୁ ଓଡ଼ିଶାରେ ଅଧିବେଶନ ବସି ଅନେକ ପ୍ରସଙ୍ଗରେ ଆଲୋଚନା ହେଲା। ସରକାରଙ୍କ ଦ୍ବାରା ଆଗତ ବିଲ୍‌ ମଧ୍ୟ ପାରିତ ହେଲା। ବର୍ତ୍ତମାନର କୋଭିଡ୍‌ର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣର ଆଶଙ୍କା ଦେଖାଦେଉଛି। ତେଣୁ ଗୃହ କାର୍ଯ୍ୟକୁ ମୁଲତବୀ ରଖାଯାଉ।

ଏହା ପରେ ବାଚସ୍ପତି ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିବା ପାଇଁ ଡାକିଲେ। ଏହି ସମୟରେ ପରୀ ହତ୍ୟାକାଣ୍ଡ ମାମଲାରେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରୁଥିବା ବିଜେପି ବିଧାୟକମାନେ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ। ଅଧିବେଶନ ବନ୍ଦ ନିଷ୍ପତ୍ତିକୁ ପ୍ରତିବାଦ କରି ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ବ୍ୟାନର୍‌ ଫିଙ୍ଗି କକ୍ଷତ୍ୟାଗ କରିଥିଲେ।

ଏହା ପରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରଖିଥିଲେ। କୋଭିଡ୍‌ ସମୟରେ ଗୃହ କାର୍ଯ୍ୟରେ ଯୋଗ ଦେଇ ସହଯୋଗ କରିଥିବାରୁ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ପରେ ଧ୍ବନି ମତରେ ଅଧିବେଶନ ମୁଲତବୀ ରଖିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।

ଶେଷଦିନରେ ବି ପରୀ ଝଡ଼, ବିଜେପିର ପ୍ରତିବାଦ, ଗୃହ ୩ ଥର ମୁଲତବୀ
ଭୁବନେଶ୍ବର : ନୟାଗଡ଼ର ପରୀ ହତ୍ୟାକାଣ୍ଡ ମାମଲାରେ ବିରୋଧୀଙ୍କ ହଟ୍ଟଗୋଳ ବିଧାନସଭା ଅଧିବେଶନର ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା। ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଗଲା ପରେ କଂଗ୍ରେସ ଗତକାଲିଠାରୁ ଶାନ୍ତ ହୋଇ ଗୃହ କାର୍ଯ୍ୟରେ ଭାଗ ନେଇଥିଲା। ତେବେ ବିଜେପି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଜିଦ୍‌ରେ ଅଟଳ ରହି ବିରୋଧ ଜାରି ରଖିଥିଲା। ଆଜି ଶେଷ ଦିନରେ ମଧ୍ୟରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ସେମାନଙ୍କ ହଟ୍ଟଗୋଳ ଯୋଗୁଁ ବିଭିନ୍ନ ପର୍ଯ୍ୟାୟରେ ଗୃହକୁ ବାଚସ୍ପତି ୩ ଥର ମୁଲତବୀ ରଖିଥିଲେ। ଏହାପରେ ବିଜେପି ସଭ୍ୟମାନେ ଗାନ୍ଧୀ ମୂର୍ତ୍ତି ତଳେ କଳା ଗାମୁଛା ପକାଇ ଧାରଣା ଦେଇଥିଲେ। ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଦୋହରାଇଥିଲେ। ଅପରାହ୍ନରେ ଗୃହ ଭିତରେ ବିଜେପି ସଭ୍ୟମାନଙ୍କ ହଟ୍ଟଗୋଳ ଭିତରେ ଅତିରିକ୍ତ ବ୍ୟୟମଞ୍ଜୁରି ବିଲ୍‌ ଉପରେ ଆଲୋଚନା ହୋଇଥିଲା। ବିଜେପି ବିଧାୟକମାନେ ଗୃହ ମଧ୍ୟ ଭାଗରେ ସ୍ଲୋଗାନ୍ ଦେବା ସହ ବ୍ୟାନର୍‌ ପ୍ରଦର୍ଶନ କରିଥିଲେ। ‌ବାଚସ୍ପତିଙ୍କ ପୋଡିୟମ୍‌ କାଚ ଭାଙ୍ଗିଥିଲେ ଓ ଶେଷରେ ବ୍ୟାନର୍‌ ଫିଙ୍ଗି କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର