ଆଜିଠାରୁ ଶୀତ ଅଧିବେଶନ : କମ୍ପିବ ବିଧାନସଭା

ପ୍ରଥମ ଦିନରେ ଆଗତ ହେବ ଚିଠା ଅତିରିକ୍ତ ବଜେଟ୍, ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା, ଲୋକସେବା ଭବନରେ ରହିବେ ୨ ମନ୍ତ୍ରୀ, ୨ ବିଧାୟକ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୧ ତାରିଖ ଯାଏ ଚାଲିବାକୁ ଥିବା ଏହି ଗୁରୁତ୍ବପୂର୍ଣ୍ଣ ଅଧିବେଶନର ପ୍ରଥମ ଦିନରେ ଅର୍ଥାତ୍ ଆସନ୍ତାକାଲି ହିଁ ଅପରାହ୍ନରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ।

ଅନ୍ୟପକ୍ଷରେ ଏହି ଅଧିବେଶନ ବେଶ୍ ସରଗରମ ହେବ ବୋଲି ସୂଚନା ମିଳିଲାଣି। ପ୍ରଥମ ଦିନରୁ ବିରୋଧୀ ଆକ୍ରମଣାତ୍ମକ ଢଙ୍ଗରେ ସରକାରଙ୍କୁ ଘେରିବା ଲାଗି ସଜବାଜ ହେଉଛନ୍ତି। ଆଇନଶୃଙ୍ଖଳା ପ୍ରସଙ୍ଗରୁ ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ କମ୍ପିବେ।

ଉଭୟ ବୀରମିତ୍ରପୁର ଏବଂ ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ, କଟକରେ ଲୁଟ୍, ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୁଲିସ ବିରୋଧରେ ହାଇକୋର୍ଟଙ୍କ ଅସନ୍ତୋଷ, ବଲାଙ୍ଗୀର ଜିଲ୍ଲାରେ ଏକାଥରକେ ୬ଜଣଙ୍କୁ ହତ୍ୟା, ସର୍ବୋପରି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ଜଣେ ବିଜେଡି ସମର୍ଥିତ ସରପଞ୍ଚ ଜଣେ ମହିଳାଙ୍କୁ ପକ୍କା ଘର ଭଳି ସରକାରୀ ସହାୟତା ପାଇଁ ଶାରୀରିକ ସଂପର୍କ ରଖିବା ଲାଗି ସର୍ତ୍ତ ରଖିବା ଭଳି ଘଟଣାକୁ ବିରୋଧୀ ଏକାଠି କରି ସରକାରଙ୍କୁ ଅକଳରେ ପକାଇବା ଲାଗି ଯୋଜନା କରିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ବେକାରି ଠାରୁ ଆରମ୍ଭ କରି ଧାନକିଣା ଅବ୍ୟବସ୍ଥା ଭଳି ଅନେକ ପ୍ରସଙ୍ଗ ଏହି ଅଧିବେଶନରେ ଆଣିବା ଲାଗି ରଣନୀତି ପ୍ରସ୍ତୁତ ହୋଇଛି। ସରକାର ମଧ୍ୟ ୧୦ଟି ବିଲ୍ ଆଣୁଥିବାରୁ ଅଧିବେଶନ ବେଶ୍ ପ୍ରଭାବୀ ରହିବ ‌ବୋଲି କୁହାଯାଉଛି।

ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ହେବାକୁ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ସମେତ ପୂର୍ବତନ ବିଧାୟକ ଗୁରୁପଦ ନନ୍ଦ, କାର୍ତ୍ତିକେଶ୍ବର ପାତ୍ର ଓ ସହିଦ୍ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଶୋକପ୍ରସ୍ତାବ ଆସିବ। ପୂର୍ବତନ ବାଚସ୍ପତିଙ୍କ ବିୟୋଗ କାରଣରୁ ଗୃହରେ ଶୋକପ୍ରସ୍ତାବ ପରେ ପ୍ରଥମାର୍ଧ ଅଧିବେଶନକୁ ମୁଲତବୀ କରାଯାଇପାରେ।

ଉଲ୍ଲେଖଥାଉକି, ତିନି ଦିନ ଖର୍ଚ୍ଚ ଦାବି ଆଲୋଚନା ପରେ ୨୯ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଶନିବାର, ରବିବାର ବି ଗୃହରେ ବୈଠକ କରାଯିବ। ନଭେମ୍ବର ୩୦ ତାରିଖ ରାସ ପୂର୍ଣ୍ଣିମା ଏବଂ ଡିସେମ୍ବର ୨୫ ଏକ୍ସମାସ୍‌ ଦୁଇଦିନ ଛୁଟି ରହିଛି। ଏହି ଅଧିବେଶନକୁ ସମ୍ପୂର୍ଣ୍ଣ ପେପରମୁକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଅଧିବେଶନରେ ୫ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି।

ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା, ଲୋକସେବା ଭବନରେ ରହିବେ ୨ ମନ୍ତ୍ରୀ, ୨ ବିଧାୟକ
ଭୁବନେଶ୍ୱର : ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନରେ କୋଭିଡ୍‌ ପାଇଁ ଗୃହରେ ସଦସ୍ୟମାନଙ୍କ ବସିବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୃହକୁ ନ ଆସି ମଧ୍ୟ ଲୋକସେବା ଭବନରୁ ସଦସ୍ୟମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗୃହର ଆଲୋଚନରେ ଭାଗ ନେଇପାରିବେ। ଦୁଇ ଜଣ ମନ୍ତ୍ରୀ ପଦ୍ମନାଭ ବେହେରା ଓ ପ୍ରଫୁଲ୍ଲ ମଲ୍ଲିକ, ଦୁଇ ଜଣ ବିଧାୟକ ପ୍ରଫୁଲ୍ଲ ସାମଲ ଓ ସାବିତ୍ରୀ ଅଗ୍ରୱାଲ ଲୋକସେବା ଭବନର ଦ୍ବିତୀୟ ମହଲା ସମ୍ମିଳନୀ କକ୍ଷରେ ବସି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଭାଗ ନେବେ। ଏଥି ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଆଇଟି ସଚିବଙ୍କୁ ବିଧାନସଭା ସଚିବ ଆଜି ଲିଖିତ ଭାବେ ଅବଗତ କରାଇଛନ୍ତି।

ସେହିପରି ଅଫିସର୍‌ମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଧାନସଭାରେ ଥିବା ଅଫିସର୍ସ ଗ୍ୟାଲେରିରେ ଅଫିସର୍‌ମାନେ ବସିପାରିବେ। କିନ୍ତୁ ସାମାଜିକ ଦୂରତା ରକ୍ଷା କରାଯାଉଥିବାରୁ ସେଠାରେ ଅନ୍ୟ ଦିନ ପରି ଅଧିକ ଅଫିସର୍‌ ବସିପାରିବେ ନାହିଁ। ଅଫିସର୍‌ ଗ୍ୟାଲେରି ବାଦ୍‌ ଲୋକସେବା ଭବନସ୍ଥିତ ରାଜସ୍ବ ବିଭାଗର ପ୍ରଥମ ମହଲା ସମ୍ମିଳନୀ କକ୍ଷ ଏବଂ ଖାରବେଳ ଭବନସ୍ଥିତ ତୃତୀୟ ମହଲା‌ ସମ୍ମିଳନୀ କକ୍ଷରେ ଅଫିସର୍‌ମାନଙ୍କ ପାଇଁ ଭିଡିଓ କନ୍‌ଫରେନ୍ସିଂର ବ୍ୟବସ୍ଥା ରହିବ। ସଂପୃକ୍ତ ଅଫିସର୍‌ମାନେ ଏଠାରେ ବସି ଗୃହ କାର୍ଯ୍ୟକୁ ଦେଖିପାରିବେ। ଏଥି ପାଇଁ ଆବଶ୍ୟକ ବନ୍ଦୋବସ୍ତ କରିବାକୁ ଆଇଟି ସଚିବଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର