୨୮ରୁ ବିଧାନସଭା ଶୀତ ଅଧିବେଶନ

୩୦ରେ ଆସିବ ପ୍ରଥମ ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର : ନଭେମ୍ବର ୨୮ ତାରିଖରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଆଜି ରାଜ୍ୟପାଳ ଡ. ଏସ୍‌ ସି ଜମିର ଏନେଇ ସମନ ଜାରି କରିବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପଞ୍ଚଦଶ ବିଧାନସଭାର ୧୧ତମ ଏହି ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ନଭେମ୍ବର ୩୦ ତାରିଖରେ ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍‌ ଅର୍ଥମନ୍ତ୍ରୀ ଆଗତ କରିବେ। ଡିସେମ୍ବର ୧୨ରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବ। ଏହି ଅଧିବେଶନ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି। ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଅନୁସାରେ, ବର୍ଷକୁ ସର୍ବନିମ୍ନ ୬୦ ଦିନ ବସିବା କଥା। ଚଳିତବର୍ଷ ପ୍ରଥମ ଦୁଇଟି ଅଧିବେଶନରେ ୩୪ଟି ବୈଠକ ଅନୁଷ୍ଠିତ ହୋଇଥିଲା।

ବିଜ୍ଞପ୍ତି ଅନୁସାରେ, ୨୮ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅଧିବେଶନର ପ୍ରଥମ ଦିନ ବୈଠକ ବସିବ। ପ୍ରଥମ ଦୁଇଦିନ ସରକାରୀ କାର୍ଯ୍ୟଦିବସ ରହିଛି। ୩୦ ତାରିଖରେ ପ୍ରଥମ ଅତିରିକ୍ତ ବଜେଟ୍‌ (୨୦୧୭-୧୮) ଆଗତ ହେବ। ଡିସେମ୍ବର ପହିଲାରୁ ୩୦ ତାରିଖ ମଧ୍ୟରେ ମୋଟ ୫ ବେସରକାରୀ କାର୍ଯ୍ୟଦିବସ ରହିଛି। ରବିବାର ବ୍ୟତୀତ ଡିସେମ୍ବର ୨ ତାରିଖ ମହମ୍ମଦଙ୍କ ଜୟନ୍ତୀ, ଡିସେମ୍ବର ୯ ତାରିଖ ଦ୍ୱିତୀୟ ଶନିବାର ଓ ଡିସେମ୍ବର ୨୫ ତାରିଖରେ ବଡ଼ଦିନ ଅବସରରେ ବିଧାନସଭା ବୈଠକ ବସିବ ନାହିଁ। ଡିସେମ୍ବର ୭, ୮ ଓ ୧୧ ତାରିଖରେ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ଓ ୧୨ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ଲାଗି ପ୍ରସ୍ତାବ ଆସିବ।

ସମ୍ବନ୍ଧିତ ଖବର