ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ : କେନ୍ଦ୍ରୀୟ ଅବହେଳା ମୁଖ୍ୟ ପ୍ରସଙ୍ଗ

ବିରୋଧୀଙ୍କ ପ୍ରସଙ୍ଗର ଜବାବ ଦେବାକୁ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ; ଚାଷୀ ପ୍ରସଙ୍ଗ ଧରି ଗୃହକୁ ଓହ୍ଲାଇବେ ବିରୋଧୀ

ଭୁବନେଶ୍ବର : ସ୍ବତନ୍ତ୍ର ରାଜ୍ୟ ପାହ୍ୟା, କେନ୍ଦ୍ରୀୟ ଅବହେଳା, ତୈଳଦର ବୃଦ୍ଧି ପ୍ରସଙ୍ଗ ଉଠାଯିବ। ଏହା ବାଦ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ, ସରକାର ସେଥିରେ ଆଲୋଚନା କରିବାକୁ ପ୍ରସ୍ତୁତ।

ବିେଜଡି ବିଧାୟକ ଦଳ ବୈଠକ ପରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ ଏହି ସୂଚନା େଦଇଛନ୍ତି। ବୈଠକରେ ୮୨ଜଣ ବିଧାୟକ ଯୋଗ ଦେଇଥିଲେ। େମକ୍ ଇନ୍ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକମାେନ ଧନ୍ୟବାଦ ଜଣାଇଥିଲେ।

ଆସନ୍ତାକାଲି ପଞ୍ଚଦଶ ବିଧାନସଭାର ଚତୁର୍ଦଶ ଅଧିବେଶନ ଆରମ୍ଭ ହେଉଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକମାନଙ୍କୁ କହିଲେ ଯେ ବିଧାୟକମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସେ ସଂପର୍କରେ ଆଲୋଚନା ହୋଇଥିଲା। ତଦନୁଯାୟୀ ରାଜ୍ୟ ସ୍ବାର୍ଥ ଜଡ଼ିତ ପ୍ରସଙ୍ଗ ସହିତ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଯିବ। ମହାନଦୀ, ପୋଲାଭରମ୍‌ ପ୍ରସଙ୍ଗ ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କଥା ଉଠାଯିବ।

ଶ୍ରୀ ଆରୁଖ କହିଛନ୍ତି, ଗୃହରେ ବିଭିନ୍ନ ବିଲ୍‌, ଯୋଜନା ସଂପର୍କରେ ଆଲୋଚନା ହେବ। କିନ୍ତୁ କେଉଁ ବିଲ୍‌ ଅଣାଯିବ ପଚାରିବାରୁ ସେ କହିଲେ ଯେ ଆଜିସୁଦ୍ଧା କୌଣସି ବିଲ୍‌ ପହଞ୍ଚିପାରିନାହିଁ। ଖୁବଶୀଘ୍ର ବିଲ୍‌ଗୁଡ଼ିକ ପହଞ୍ଚିବ। ଗତ ବିଧାନସଭା ଅଧିବେଶନରେ ଗୃହରେ ବାରମ୍ବାର ହଟ୍ଟଗୋଳ ଲାଗି ରହିଥିବାରୁ ପ୍ରଶ୍ନକାଳ ବାତିଲ ହୋଇଥିଲା। ଏଥର ସେଭଳି ଘଟଣାର ପୁନରାବୃତ୍ତି ହେବନାହିଁ କି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆଶ୍ବାସନା ଦେଇ କହିଲେ ଗୃହ ଠିକ୍‌ ଭାବେ ଚାଲିବ।

ଚାଷୀ ପ୍ରସଙ୍ଗ ଧରି ଗୃହକୁ ଓହ୍ଲାଇବେ ବିରୋଧୀ

ଭୁବନେଶ୍ବର : ଆଜି ସନ୍ଧ୍ୟାରେ ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥି‌ରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତକାଳୀନ ଅଧ‌ିବେଶନରେ କଂଗ୍ରେସ ଦଳ ପକ୍ଷରୁ କି କି ପ୍ରସଙ୍ଗ ଉଠାଯିବ ସେ ସଂପର୍କରେ ଆଲୋଚନା ହୋଇଥିଲା।

ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କଂଗ୍ରେସ ଦଳ ତରଫରୁ ବିଧାୟକ ଅଂଶୁମାନ ମହାନ୍ତି କହିଲେ ଯେ ତିତ୍‌ଲି, ବିପର୍ଯ୍ୟୟ, ଚାଷୀ ସମସ୍ୟା, ବେକାରୀ ସମସ୍ୟା, ରାସନ କାର୍ଡ କେଳେଙ୍କାରୀ, ରାଜରାସ୍ତାରେ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟା ଆଦି ଗୃହରେ ଉଠାଯିବ। ସେହିପରି ଆମ ଗାଁ ଆମ ବିକାଶରେ ଅନିୟମିତତା, ବିଜୁ ଯୁବ ବାହିନୀ ମାଧ୍ୟମରେ ଲୋକଙ୍କୁ ହଇରାଣ ହରକତ କରାଯାଉଥିବା କଥା ବି ଉଠାଇବ ଦଳ। ଦାରୁ ଚୟନ ଏବଂ ବ୍ରହ୍ମ ବିଭ୍ରାଟ‌ ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପ‌େର ତାଙ୍କ ଦଳ ଚାପ ପକାଇବ ବୋଲି ଶ୍ରୀ ମହାନ୍ତି କହିଥିଲେ। ବିଧାୟକ ଦଳ ବୈଠକରେ ନୂତନ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ, ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ପ୍ରମୁଖ ଅନୁପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର