ବଢ଼ିଲା ଶୀତ, ଆସନ୍ତା ୩ ଦିନ କୁହୁଡ଼ି

ଭୁବନେଶ୍ବର: ଲଗାତାର ୨ ଦିନ ଧରି ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରାରେ ବୃଦ୍ଧି ଘଟିବା ପରେ ପୁଣି ଖସିଛି ପାରଦ ସ୍ତର। ୬ ଡିଗ୍ରି ଉପରକୁ ଉଠିଥିବା ଫୁଲବାଣୀର ତାପମାତ୍ରା ୫.୩ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଓଡ଼ିଶାର ୧୧ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ସେଥିମଧ୍ୟରୁ ଦାରିଙ୍ଗବାଡ଼ିରେ ୭ ଡିଗ୍ରି, ଝାରସୁଗୁଡ଼ାଠାରେ ୮.୨ ଡିଗ୍ରି ଓ ବାରିପଦାଠାରେ ୮.୫ ଡିଗ୍ରି ସେଲସିୟସ ରହିଥିବା ଜଣାପଡ଼ିଛି। ଗତକାଲି ତୁଳନାରେ ଆଜି ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ସାମାନ୍ୟ ତଳକୁ ଖସିଛି। ସେଥିମଧ୍ୟରୁ ବାଲେଶ୍ବର ଓ ପାରାଦୀପଠାରେ ୧.୧ ଡିଗ୍ରି ହ୍ରାସ ଘଟିଥିବା ବେଳେ ବାରିପଦା ଏବଂ ଚାନ୍ଦବାଲିଠାରେ ୧.୫ ଡିଗ୍ରି ହ୍ରାସ ପାଇଛି। ସେହିପରି ଭୁବନେଶ୍ବରଠାରେ ୧.୬ ଡିଗ୍ରି ହ୍ରାସ ପାଇଥିବା ବେଳେ ତାଳଚେରଠାରେ ସର୍ବାଧିକ ୨.୭ ଡିଗ୍ରି ତାପମାତ୍ରା କମିଛି। ଏମିତି ଭାବେ ସାରା ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ପ୍ରାୟ ଦେଢ଼ ଡିଗ୍ରି ହ୍ରାସ ଘଟିଛି। ଫଳରେ ରାଜ୍ୟରେ ପୁଣି ଥରେ ଶୀତ ବଢ଼ିଛି।

ଆଜି ସକାଳେ ଓଡ଼ିଶାର କିଛି ଅଞ୍ଚଳରେ କୁହୁଡ଼ି ଦେଖିବାକୁ ମିଳିଥିଲା। ବୌଦ୍ଧଠାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ‌ବେଳେ ନୟାଗଡ଼, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ମୟୂରଭଞ୍ଜଠାରେ ମଧ୍ୟମରୁ ହାଲ୍‌କା କୁହୁଡ଼ି ଦେଖିବାକୁ ମିଳିଥିଲା। ଏବେ ଓଡ଼ିଶାରେ କୁହୁଡ଼ି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ରହିଥିବାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ସକାଳୁ ନୟାଗଡ଼, କୋରାପୁଟ, ରାୟଗଡ଼ା, ବୌଦ୍ଧ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିଭଳି ୨୯ ଓ ୩୦ ତାରିଖ ଦିନ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ିର ସମ୍ଭାବନା ରହିଛି। ଆଗାମୀ ୨ରୁ ୩ ଦିନ ଯାଏ ରାତି ତାପମାତ୍ରା ବା ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ସମୟ ଅବଧି ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ରାତି ତାପମାତ୍ରା ସ୍ବାଭାବିକ ସର୍ବନିମ୍ନ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବାର ସମ୍ଭାବନା ରହିଛି। ଆଜି ସକା‌େଳ‌ ଭୁବନେଶ୍ବଠାରେ ୧୨.୨ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଥିବା ବେଳେ କଟକଠାରେ ୧୧.୫ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର