ଶୀତ ଗାଏବ; ଏଥର ଉଷ୍ମ ହେବ ଡିସେମ୍ବର!

ଭୁବନେଶ୍ବର: ଡିସେମ୍ବର ପ୍ରଥମ ସପ୍ତାହ ହେଲାଣି। ତଥାପି ଶୀତର ଦେଖା ନାହିଁ। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ଏବେ ବି ୧୦ ଡିଗ୍ରି ଉପରେ ରହୁଛି। ଭୁବନେଶ୍ବର ତାପମାତ୍ରା ୧୬ ଡିଗ୍ରି ତଳକୁ ଖସୁନି। ଯେତେବେଳେ କି ବିଗତ ବର୍ଷଗୁଡ଼ିକରେ ଏହି ସମୟ ବେଳକୁ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ସାରା ରାଜ୍ୟରେ ଜାଡ଼ ଅନୁଭୂତ ହେଉଥିଲା। ହେଲେ ଏଥର ସେଭଳି ହେବା ପରି ଦେଖାଯାଉ ନାହିଁ। ପାଣିପାଗ ବିଶେଷଜ୍ଞମାନେ ଆକଳନ କଲେଣି ଯେ ଚଳିତ ଡିସେମ୍ବର ଉଷ୍ମ ମାସ ଭାବେ ପରିଣତ ହୋଇପାରେ।

ଯଦି ପୂର୍ବର ତଥ୍ୟ ଦେଖାଯାଏ, ୨୦୧୪ ଡିସେମ୍ବର ୧୮ରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ମାଇନସ୍‌ ୦.୫ ଡିଗ୍ରି ରହିଥିଲା। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ କେତେକ ସ୍ଥାନରେ ୫ ଡିଗ୍ରି ତଳେ ଥିଲା। ସେହିପରି ୨୦୧୫ ଡିସେମ୍ବର ୨୮ରେ କନ୍ଧମାଳର ତାପମାତ୍ରା ୨.୫ ଡିଗ୍ରି ରହିଥିବା ବେଳେ ୨୦୧୮ ଡିସେମ୍ବର ୩୧ରେ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ଓ ଫୁଲବାଣୀର ତାପମାତ୍ରା ୪.୫ ଡିଗ୍ରି ଥିଲା। ଭୁବନେଶ୍ବରର ତାପମାତ୍ରା ବହୁ ପରିମାଣରେ ହ୍ରାସ ପାଇ ୮.୨ ଡିଗ୍ରିରେ ପହଞ୍ଚିଥିଲା। ତେବେ ଚଳିତବର୍ଷ ଅକ୍ଟୋବର ମାସରେ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ପାଖାପାଖି ଥିଲା। ନଭେମ୍ବରରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଡିସେମ୍ବର ମାସରେ ଆଜି ବି ଦାରିଙ୍ଗବାଡ଼ିର ତାପମାତ୍ରା ସେହି ୯.୫ ଡିଗ୍ରି ରେକର୍ଡ କରାଯାଇଛି। ପୂର୍ବବର୍ଷଗୁଡ଼ିକରେ ଏତେ ବେଳକୁ ଦାରିଙ୍ଗବାଡ଼ିର ତାପମାତ୍ରା ୫ ଡିଗ୍ରି ରହିଥିଲା। ଭୁବନେଶ୍ବର ତାପମାତ୍ରା ବି ୧୨ ଡିଗ୍ରି ପାଖାପାଖି ରହୁଥିଲା।
ପାଣିପାଗ ବି‌ଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଚଳିତବର୍ଷ ଓଡ଼ିଶା ସମେତ ସାରା ଦେଶରେ ମୌସୁମୀ ବିଳମ୍ବିତ ହୋଇଛି। ତେଣୁ ଶୀତ ଦିନର ସର୍ବନିମ୍ନ ତାପମାତ୍ରା ହାରାହାରିଠାରୁ ଅଧିକ ରହିବ। ଶୀତ ଦିନରେ ଜାମ୍ମୁ କାଶ୍ମୀର କିମ୍ବା ପାକିସ୍ତାନରୁ ଉତ୍ତରା ଥଣ୍ଡା ପବନ ଓଡ଼ିଶାକୁ ବହିବା ଦ୍ବାରା ସର୍ବନିମ୍ନ ତାପମାତ୍ରା କମିଥାଏ। ଥଣ୍ତା ପଡ଼ିଥାଏ। ତେବେ ଚଳିତବର୍ଷ ବିଭିନ୍ନ ସମୟରେ ଉତ୍ତର ଭାରତରେ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଥଣ୍ଡା ଆସିବାରେ ବିଳମ୍ବ ହୋଇଛି। ଦ୍ବିତୀୟ କାରଣ ହେଉଛି ଯେ ଅକ୍ଟୋବରଠାରୁ ବର୍ତମାନ ପର୍ଯ୍ୟନ୍ତ ପୂର୍ବା ପବନ ବହୁଛି। ଯାହାକି ବଙ୍ଗୋପସାଗର ଦେଇ ଆସୁଥିବାରୁ ଆର୍ଦ୍ରତା ଅଧିକ ରହୁଛି। ତେଣୁ ଉତ୍ତରା ପବନ ଓ ପୂର୍ବା ପବନର ଲୁଚକାଳି ଖେଳ ହେତୁ ରାଜ୍ୟରେ ଶୀତ ବିଳମ୍ବ ହୋଇଛି। ପ୍ରକୋପ ବଢ଼ିପାରୁ ନାହିଁ।

ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି, ପୂର୍ବ ପ୍ରଶାନ୍ତ ମହାସାଗରର ସମୁଦ୍ର ପତ୍ତନର ତାପମାତ୍ରା ଅଧିକ ରହୁଛି। ତେଣୁ ଓଡ଼ିଶା ସମେତ ଭାରତର ପୂର୍ବ ଉପକୂଳକୁ ପୂର୍ବା ପବନ ବହୁଛି। ସମୁଦ୍ର ତାପମାତ୍ରା ଅଧିକ ରହିବା ହେତୁ ବାୟୁର ଦିଗ ପ୍ରଭାବିତ ହେଉଛି। ଅନୁମାନ କରାଯାଉଛି ଯେ ଚଳିତବର୍ଷ ଡିସେମ୍ବର ସର୍ବକାଳୀନ ଦ୍ବିତୀୟ କିମ୍ବା ତୃତୀୟ ଉଷ୍ମ ମାସ ରହିବାକୁ ଯାଉଛି। ଏହା ଆଗରୁ ୨୦୧୬ରେ ଡିସେମ୍ବର ସବୁଠାରୁ ଅଧିକ ଉଷ୍ମ ରହିଥିଲା। ଗତ ଅକ୍ଟୋବର ମାସରେ ସମୁଦ୍ରର ହାରାହାରି ତାପମାତ୍ରା ବିଶ୍ବସ୍ତରରେ ୧୯୯୩ ପରଠାରୁ ସବୁଠାରୁ ଅଧିକ ରେକର୍ଡ କରାଯାଇଛି। ସବୁଜ ଗୃହ ଗ୍ୟାସ ଯୋଗୁଁ ବାୟୁମଣ୍ଡଳରେ ତାପମାତ୍ରା ଅଧିକ ବଢ଼ୁଛି। ତେଣୁ ସମୁଦ୍ର ପତ୍ତନ ତାପମାତ୍ରା ବଢ଼ିବା ସହ ସାମୁଦ୍ରିକ ହିଟ୍‌ୱେଭ୍‌ ସୃଷ୍ଟି ହେଉଛି। ଚଳିତବର୍ଷ ଦେଢ଼ ମାସ ସାମୁଦ୍ରିକ ତାପମାତ୍ରା ଅସ୍ବାଭାବିକ ଭାବେ ବଢ଼ିଥିଲା। ଏକ ଆକଳନରୁ ଜଣାପଡ଼ିଛି ଯେ ୩୮ ପ୍ରତିଶତ ସମୁଦ୍ରରେ ଅତି ଶକ୍ତିଶାଳୀ ସାମୁଦ୍ରିକ ହିଟ୍‌ୱେଭ୍‌ ସୃଷ୍ଟି ହୋଇଥିବା ବେଳେ ୨୮ ଭାଗ ସମୁଦ୍ରରେ ମଧ୍ୟମଧରଣର ହିଟ୍‌ୱେଭ୍‌ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ପୂର୍ବ ପ୍ରଶାନ୍ତ ମହାସାଗରରେ ସବୁଠାରୁ ଅଧିକ ସାମୁଦ୍ରିକ ହିଟ୍‌ୱେଭ୍‌ ହୋଇଛି, ଯାହାକି ବାୟୁ ପ୍ରବାହର ଦିଗକୁ ପରିବର୍ତନ କରିଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ ଆରବ ସାଗରରେ ଗୋଟିଏ ପରେ ଗୋଟିଏ ବାତ୍ୟା ଆସୁଛି। ଏବେ ଗୋଟିଏ ରହିଛି। ଆଗକୁ ଆଉ ଗୋଟିଏ ବାତ୍ୟା ଆସୁଛି। ତାହାର ପ୍ରଭାବରେ ଜଳୀୟବାଷ୍ପ ସ୍ଥଳ ଭାଗକୁ ଆସୁଛି। ଫଳରେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀରରେ ତୁଷାରପାତ ହେଉଛି। ତେଣୁ ଜଳୀୟବାଷ୍ପ ଶୀତ କରିବାକୁ ଦେଉନି। ଏବେ ଦିନରେ ଜଳୀୟବାଷ୍ପ ୪୦ ପ୍ରତିଶତରୁ ଅଧିକ ରହୁଛି। ଶୀତ ହେଲେ ଜଳୀୟବାଷ୍ପର ମାତ୍ରା ୨୦କୁ ଖସିଆସିବା କଥା। ଦାରିଙ୍ଗବାଡ଼ିରେ ଜଳୀୟବାଷ୍ପ ଅଧିକ ମାତ୍ରାରେ ରହୁଛି। ଏବେ ହଠାତ୍‌ ହାଡ଼ଭଙ୍ଗା ଶୀତ ‌ହେବନି। ଆସନ୍ତା ଦୁଇ ତିନ ଆଜିର ସ୍ଥିତି ଲାଗିରହିବ। ୭ରୁ ୮ ତାରିଖରେ ବାଦଲ ରହିବାକୁ ଥିବାରୁ କିଛି ସ୍ଥାନରେ ହାଲକା ବର୍ଷା ହୋଇପାରେ। ତା’ପରେ ଶୀତ ବଢ଼ିପାରେ। ଆଉ ଏକ କାରଣ ହେଉଛି ଏହି ସମୟରେ ଚେନ୍ନାଇ ଉପକୂଳରେ ଅଧିକ ଲଘୁଚାପ ସୃଷ୍ଟି ହୋଇଥାଏ। ଆରବ ସାଗରରେ ଆଦୌ ଲଘୁଚାପ ହୁଏନି। ତେବେ ଏଥର ଆରବ ସାଗରରେ ଅଧିକ ଲଘୁଚାପ ରହୁଥିବାରୁ ଶୀତ ହୋଇପାରୁନି।

ସମ୍ବନ୍ଧିତ ଖବର