ଡିସେମ୍ବର ପହିଲାରୁ ଶୀତ ଲହରୀ!

ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୪°

୨୦° ତଳେ ୨୦ଟି ସ୍ଥାନ

ଭୁବନେଶ୍ୱର : ଅଦିନିଆ ବର୍ଷା ଚାଲିଯିବା ପରେ ଆଜି ପୁଣି ସ୍ୱାଭାବିକ ହୋଇଛି ପାଗ। ପୁଣି ଥରେ ପଶ୍ଚିମ, ଆଭ୍ୟନ୍ତରୀଣଠାରୁ ଆରମ୍ଭ କରି ଉପକୂଳବର୍ତୀ ଅଞ୍ଚଳରେ ଥଣ୍ଡା ଖେଳିଯାଇଛି। ଆଜି ଦାରିଙ୍ଗିବାଡ଼ିରେ ରେକର୍ଡ ହୋଇଛି ୧୪° ସେଲ୍‌ସିୟର ସର୍ବନିମ୍ନ ତାପମାତ୍ରା। ସବୁଠାରୁ ବଡ଼ କଥା ହେଉଛି ଯେ ଉପକୂଳବର୍ତୀ ଅଧିକାଂଶ ସ୍ଥାନରେ ଉଭୟ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଖସିଛି। ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଯଦି ସତ୍ୟ ହୁଏ, ଆଉ ଦୁଇ ତିନଦିନ ଭିତରେ ପାରଦ ଆହୁରି ୩° ଯାଏଁ ଖସିବାର ସମ୍ଭାବନା ରହିଛି। ଏଣୁ ଏହି ହାରରେ ଯଦି ଥଣ୍ଡାର ପ୍ରକୋପ ବଢ଼ିଚାଲେ, ଆଗାମୀ ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ଶୀତ ଲହରୀ ବହିବାର ଆଶଙ୍କା ରହିଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଗତକାଲିଠାରୁ ଉତ୍ତର ଦିଗରୁ ଥଣ୍ଡା ପବନ ବହୁଥିଲା ବେଳେ ଆଜିଠାରୁ ଉତ୍ତର ପୂର୍ବ ଦିଗରୁ ପବନ ବହିବା ଆରମ୍ଭ ହୋଇଛି। ଏହାର ପ୍ରଭାବରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦିନେ ଦୁଇଦିନ ଭିତରେ ଉତ୍ତର ପଶ୍ଚିମ ଦିଗରୁ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ତମାନ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶରେ ପାରଦ ସ୍ୱାଭାବିକ ମାତ୍ରାଠାରୁ କମ୍‌ ରହିଛି। ଏପରି କି ସେହି ରାଜ୍ୟଗୁଡିକରେ ଶୀତ ଲହରୀ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ରାଜସ୍ଥାନର ଚିକୁର, ସିକରରେ ସର୍ବନିମ୍ନ ତାପମାତ୍ରା ୪.୫° ରେକର୍ଡ ହୋଇଛି। ଉତ୍ତର ପଶ୍ଚିମ ଦିଗରୁ ପବନ ବହିବା ଆରମ୍ଭ ହେଲେ, ରାଜ୍ୟରେ ଶୀତ ଲହରୀ ବହିପାରେ। ପ୍ରଥମେ ପଶ୍ଚିମ ଓଡ଼ିଶାରେ ଥଣ୍ଡାର ପ୍ରକୋପ ଅନୁଭୂତ ହେବ। ପରବର୍ତୀ ସମୟରେ ଉପକୂଳବର୍ତୀ ସ୍ଥାନଗୁଡ଼ିକ କବଳିତ କରିପାରେ ଶୀତ ଲହରୀ।

ଆଜି ରାଜ୍ୟର ୨୦ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦° ତଳେ ରହିଛି। ସେହି ସ୍ଥାନଗୁଡ଼ିକ ହେଉଛି ହୀରାକୁଦ(୧୪.୬°), କେନ୍ଦୁଝର(୧୪.୯°), ବାଲେଶ୍ୱର(୧୫.୫°), ବାରିପଦା(୧୫.୮°), ଝାରସୁଗୁଡ଼ା, ସୁନ୍ଦରଗଡ଼(୧୬°), ଅନୁଗୁଳ(୧୬.୬°), ସମ୍ବଲପୁର(୧୬.୯°), ଫୁଲବାଣୀ(୧୭°), ଢେଙ୍କାନାଳ, ଚାନ୍ଦବାଲି, ତାଳଚେର, ଭବାନୀପାଟଣା(୧୮°), ବଲାଙ୍ଗୀର(୧୮.୨°), ଭୁବନେଶ୍ୱର(୧୮.୩°), କଟକ(୧୮.୪°), କୋରାପୁଟ(୧୯°), ଟିଟିଲାଗଡ଼(୧୯.୫°), ପାରାଦୀପ(୧୯.୮°)। ସେହିପରି ୧୪ଟି ସ୍ଥାନରେ ୩୦°ରୁ ତଳକୁ ଖସିଛି ସର୍ବୋଚ୍ଚ ତାପମାତ୍ରା।

ସମ୍ବନ୍ଧିତ ଖବର