ଅନୁଭୂତ ହେଲାଣି ଶୀତ : ସୋନପୁର ଓ ଅନୁଗୁଳରେ ୧୩ ଡିଗ୍ରିକୁ ଖସିଲା ପାରଦ

ଭୁବନେଶ୍ୱର : କାର୍ତ୍ତିକ ଆରମ୍ଭ ନ ହେଉଣୁ ଶୀତ ପଡ଼ିବା ଆରମ୍ଭ ହୋଇଗଲାଣି। ରାଜ୍ୟର ପ୍ରାୟ ସ୍ଥାନରେ ଏବେ ଥଣ୍ଡା ଅନୁଭୂତ ହେଲାଣି। ସକାଳ ଓ ସଂଧ୍ୟାରେ ଶୀତ ଲହରି ବହୁଛି। ରାଜ୍ୟର କିଛି କିଛି ସ୍ଥାନର ତାପମାତ୍ରା ୧୩ ଡିଗ୍ରିକୁ ଖସିଛି। ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣମା ଅଡ଼କୁ ଏଭଳି ଅନୁଭୂତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏବେଠାରୁ ଶୀତ ଅନୁଭୂତ ହେଲାଣି। ଅନ୍ୟପଟେ ରାଜ୍ୟରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବ। ଅନ୍ୟପଟେ ୧ ତାରିଖ ଆଡ଼କୁ ଉପକୂଳ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କହିଛନ୍ତି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ‌ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ରାଜ୍ୟରେ ଏବେ ଶୁଖିଲା ପାଗ ରହିଛି ଓ ସର୍ବନିମ୍ନ ତାପମାତ୍ରା କମିବାରେ ଲାଗିଛି। ଫଳରେ ଏବେଠାରୁ ଶୀତ ଅନୁଭୂତ ହେଲାଣି। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରିକୁ ଖସିଥିବା ବେଳେ ଅନୁଗୁଳରେ ୧୩.୬ ଡିଗ୍ରି ରେକର୍ଡ ହୋଇଛି। ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବା ସହ ତାପମାତ୍ରା ମଧ୍ୟ ଅପରିବର୍ତ୍ତିତ ରହିବ। ୧ ତାରିଖ ଆଡ଼କୁ ଉପକୂଳ ଓଡ଼ିଶା ବିଶେଷ କରି ଉତ୍ତର ଉପକୂଳ‌ର ଜିଲ୍ଲାଗୁଡ଼ିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨ ତାରିଖରେ ବି ମୟୂରଭଞ୍ଜ ସମେତ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟର କିଛି କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ଆହୁରି କମିପାରେ। ଅବଶିଷ୍ଟ ସ୍ଥାନ‌ରେ ତାପମାତ୍ରା ସ୍ବାଭାବିକ ରହିବ। ଭୁବନେଶ୍ବର ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ପାଖାପାଖି ରହିବ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

ସମ୍ବନ୍ଧିତ ଖବର