ଭୁବନେଶ୍ବର: ‘ବାତ୍ୟା’ର ପ୍ରକୋପ କମିବା ପରେ ରାଜ୍ୟକୁ ବର୍ତ୍ତମାନ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରାଜ୍ୟରେ ପହିଲି ଶୀତ ଆରମ୍ଭ ହୋଇଯିବ ବୋଲି କହିଛନ୍ତି  ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ଡ. ପଶୁପାଳକ କହିଛନ୍ତି, ୩୧ ତାରିଖରୁ କନ୍ଧମାଳ (ବାଲିଗୁଡ଼ା, ଫୁଲବାଣୀ) ଓ ଗଜପତି (ଗଦାପୁର, ମୋହନା)ର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରିକୁ କମିପାରେ। ନଭେମ୍ବର ୨ ତାରିଖରୁ ସାରା ରାଜ୍ୟର ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ଝାରସୁଗୁଡ଼ା, ରାଉରକେଲା, ପାଲଲହଡ଼ା, ବାଦାମ ପାହାଡ଼, ବହଳଦାରେ ସର୍ବନିମ୍ନ ତାପମାତ୍ରା ୧୫ରୁ ୧୭ ଡିଗ୍ରିକୁ ଖସିପାରେ। ସେହିପରି ବାଲିଗୁଡ଼ା, ଦାରିଙ୍ଗବାଡ଼ି, ଗଦାପୁର ଓ ମୋହନାରେ ୧୭ରୁ ୧୮ ଡିଗ୍ରି ମଧ୍ୟରେ ରାତି ତାପମାତ୍ରା ରହିବ। ଏହା ସେତେବେଳର ଉତ୍ତର ଭାରତର ଦିଲ୍ଲୀ, ଚଣ୍ଡିଗଡ଼ ଓ ଲୁଧିଆନାର ତାପମାତ୍ରା ସହ ସମାନ ରହିପାରେ। ରାଜଧାନୀ ଭୁବନେଶ୍ବରର ସର୍ବନିମ୍ନ ରାତ୍ରି ତାପମାତ୍ରା ୫ ତାରିଖ ସୁଦ୍ଧା ୨୦ ଡିଗ୍ରି ତଳକୁ ଖସିବାର ସମ୍ଭାବନା ରହିଛି। 

Advertisment

ନଭେମ୍ବର ୧ରୁ ଖେର୍ଦ୍ଧା ଓ ତା’ର ଉତ୍ତରରେ ଥିବା ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ୩୧ ତାରିଖରେ ମ୍ୟାମାର୍‌ ଉପକୂଳରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି। ଉତ୍ତରା ପବନର କ୍ରମଶଃ ବୃଦ୍ଧି ହେତୁ ଏହା ଅଧିକ ଘନିଭୂତ ହୋଇପାରିବ ନାହିଁ। ତେବେ ଏହା ୨ ତାରିଖ ଆଡ଼କୁ ସ୍ପଷ୍ଟ ଜଣାପଡ଼ିବ। ଧାନ ଫସଲରେ ଚକଡ଼ା ବା ଲେଡ଼ା ପୋକର ସମ୍ଭାବନା ରହିଛି। ଏଣୁ ବିଲରୁ ଜଳ ନିଷ୍କାସନ କରିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି।