ପୁଣି ଶୀତ ବଢ଼ିବ, ୩ ଦିନରେ ୪ ଡିଗ୍ରି ଖସିବ ପାରଦ

ଭୁବନେଶ୍ବର : ବେଶ୍‌ କିଛି ଦିନ ଶୀତ ଗାଏବ ହୋଇଯାଇଥିବା ବେଳେ ରାଜ୍ୟକୁ ପୁଣି ଶୀତ ଫେରୁଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଶୀତର ପ୍ରକୋପ ଅଧିକ ରହିବ। ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି। କିନ୍ତୁ ଲଗାତାର ତାପମାତ୍ରା ଖସିବାର କୌଣସି ସମ୍ଭାବନା ନାହିଁ। ତାପମାତ୍ରା ଖସିବାର ୨ଦିନ ପରେ ପୁଣି ଥରେ ପାରଦ ଊର୍ଧ୍ବଗାମୀ ହେବ ଓ ଶୀତ କମିବ। ଜାନୁଆରି ଭଳି ଫେବ୍ରୁଆରି ପ୍ରଥମ ସପ୍ତାହରୁ ପୁଣି ଥ‌ରେ ଶୀତର ଲୁଚକାଳି ଖେଳ ଆରମ୍ଭ ‌ହୋଇଯିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଗ ଆଂଶିକ ମେଘୁଆ ରହିବ। ଆସନ୍ତାକାଲି ସକାଳୁ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି କିଛି କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। କିନ୍ତୁ ୩୦ରୁ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ୩୦ ତାରିଖ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଯଥା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ୩୧ ତାରିଖ ଦିନ ଉତ୍ତର ଉପକୂଳ ଓଡ଼ିଶା ଯଥା ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ‌ଖୋର୍ଧା ଆଦି ଜିଲ୍ଲାରେ ଘନ କୁହୁଡ଼ିର ଆଶଙ୍କା ରହିଛି। ସେହିଭଳି ଫେବ୍ରୁଆରି ୧ ତାରିଖ ଦିନ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, ଖୋର୍ଧା, ପୁରୀ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଆସନ୍ତା ୨ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ୨ ଦିନ ପରେ ଉତ୍ତର-ପଶ୍ଚିମ ଓଡ଼ିଶାରୁ ପାରଦସ୍ତର ନିମ୍ନଗାମୀ ହେବା ଆରମ୍ଭ ହୋଇଯିବ ଓ ଶୀତ ବଢ଼ିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ୨ଡିଗ୍ରି ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଭୁବନେଶ୍ବରରେ ଆଜି ତାପମାତ୍ରା ୧୬.୫ଡିଗ୍ରି ରହିଛି। ଆସନ୍ତାକାଲି ଭୁବନେଶ୍ବରର ତାପମାତ୍ରା ୧୬ ଡିଗ୍ରି ପାଖାପାଖି ରହିବ। ଏହା ପରେ ୩୧ ତାରିଖ ଦିନ ରାଜଧାନୀର ରାତ୍ରି ତାପମାତ୍ରାରେ ସାମନ୍ୟ ବୃଦ୍ଧି ଘଟି ପୁଣି ହ୍ରାସ ଘଟିବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗୁରୁଚାପବଳୟର ସ୍ଥିତି ପରିବର୍ତ୍ତନ ଯୋଗୁଁ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ। ଆକଳନ କରାଯାଉଛି, ଆସନ୍ତାକାଲି ଶୁକ୍ରବାରଠାରୁ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳ ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଉଭୟ ଦିନ ଓ ରାତ୍ରି ତାପମାତ୍ରା ବିଶେଷଭାବେ କମିବ। ୩ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଫେବ୍ରୁଆରି ୧ ତାରିଖରେ ଏହା ଅପରିବର୍ତ୍ତିତ ରହିବ। ତେବେ ୨ ତାରିଖରୁ ସର୍ବନିମ୍ନ ତାପମାତ୍ରାରେ ପୁଣି ବୃଦ୍ଧି ଘଟିବ। ୫ତାରିଖ ସୁଦ୍ଧା ୫ରୁ ୬ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରାର ପରିବର୍ତ୍ତନ ଅପେକ୍ଷାକୃତ ଅଧିକ ରହିବ। ଭୁବନେଶ୍ବରରେ ଆସନ୍ତାକାଲି ଓ ତା’ ପରଦିନ ଭିତରେ ସର୍ବନିମ୍ନ ତାପମାତ୍ରାରେ ପ୍ରାୟ ୨ଡିଗ୍ରି ବୃଦ୍ଧି ଘଟିବ। ତା’ ପର ୩ଦିନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି କମି ୩ ତାରିଖଠାରୁ ବିଶେଷ ଭାବେ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା। ହାଲ୍‌କାରୁ ମଧ୍ୟମଧରଣର କୁହୁଡ଼ି ରାଜ୍ୟର ‌କେତେକ ଅଞ୍ଚଳରେ ଦେଖିବାକୁ ମିଳିଥିଲା। କନ୍ଧମାଳ, କଳାହାଣ୍ଡି, ଅନୁଗୁଳ ଓ ମାଲକାନଗିରି ଆଦି ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଥିଲା। ସର୍ବନିମ୍ନ ତାପମାତ୍ରା ଉତ୍ତର ଓଡ଼ିଶାରେ କମିବା ଆରମ୍ଭ କଲାଣି। ବାରିପଦାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରି ରେକର୍ଡ ହୋଇଛି। ବାଲେଶ୍ବର ୧୩.୨ ଡିଗ୍ରି, କେନ୍ଦୁଝର ୧୩.୪ ଡିଗ୍ରି ଓ କଟକରେ ୧୪.୦ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୫ଦିନ ରାଜ୍ୟରେ ପାଗ ଶୁଖିଲା ରହିବ।

ସମ୍ବନ୍ଧିତ ଖବର