୩ ଦିନ ପରେ କମିଯିବ ଶୀତ, ରାଜ୍ୟର ତାପମାତ୍ରା ୪ ଡିଗ୍ରି ଯାଏ ବୃଦ୍ଧି ପାଇବ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିଥିଲା। କନ୍ଧମାଳ, ମାଲକାନଗିରି, ଜଗତ୍‌ସିଂହପୁର, ଗଞ୍ଜାମ, ପୁରୀ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ବେଳେ କୋରାପୁଟର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳ, ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ରାତି ତାପମାତ୍ରା ହ୍ରାସ ପାଇଛି। ଫଳରେ ରାଜ୍ୟରେ ଶୀତ ବଢ଼ିଛି। ଆଉ ୩ ଦିନ ଭିତରେ ରାଜ୍ୟ ତାପମାତ୍ରା ୪ ଡିଗ୍ରି ଯାଏ ବୃଦ୍ଧି ପାଇବା ସହ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଥିଲା। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ଠାରେ ସର୍ବାଧିକ ୩୧.୨ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆସନ୍ତା ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସକାଳୁ କିଛି ସ୍ଥାନରେ ପାଗ କୁହୁଡ଼ିଆ ରହିବ। ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରି ଓ ସର୍ବାଧିକ ୨୯ ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର