୨ ଦିନ ପରେ କମିବ ଶୀତ: ସାମାନ୍ୟ ବଢ଼ିବ ରାତି ତାପମାତ୍ରା

ଭୁବନେଶ୍ୱର : ୧୦ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବେଶ କରିବ। ଏହା ପ୍ରଭାବରେ ରାତ୍ରି ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିବା ସହ ଶୀତ କମିବ। ଏହାବ୍ୟତୀତ ୧୦ରୁ ୧୨ତାରିଖ ଯାଏ ରାଜ୍ୟର କିଛି କିଛି ଅଞ୍ଚଳରେ ହାଲ୍‌କା ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ଓଡ଼ିଶାର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଛି। ଗତ ରାତିରେ ରାଜ୍ୟର ୮ଟି ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରିରୁ କମ୍‌ ରହିଥିଲା ବେଳେ ଦାରିଙ୍ଗବାଡ଼ି ଆଜି ବି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ କରିଛି। ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ରାତ୍ରି ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି। ସେହିପରି ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ଫୁଲବାଣୀଠାରେ ରାତ୍ରି ତାପମାତ୍ରା ୧୧.୫ ଡିଗ୍ରି, କୋରାପୁଟରେ ୧୨ଡିଗ୍ରି, କେନ୍ଦୁଝରରେ ୧୩ଡିଗ୍ରି, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୧୪.୨ଡିଗ୍ରି, ଟିଟିଲାଗଡ଼ ଓ ସୋନପୁରରେ ୧୪.୮ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି।

traveleastindia.com

ଅପରପକ୍ଷେ ରାଜ୍ୟରେ ଏହି ସମୟରେ ରହୁଥିବା ସ୍ବାଭାବିକ ରାତ୍ରି ତାପମାତ୍ରାଠାରୁ ଏବେ ସର୍ବନିମ୍ନ ରାତ୍ରି ତାପମାତ୍ରା କମ୍‌ ରହିଛି। ଟିଟିଲାଗଡ଼ର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୪.୩ ଡିଗ୍ରି କମ୍‌ ରହିଛି। ସେହିଭଳି ଝାରସୁଗୁଡ଼ାର ସ୍ବାଭାବିକ ରାତ୍ରି ତାପମାତ୍ରାଠାରୁ ବର୍ତ୍ତମାନର ରାତ୍ରି ତାପମାତ୍ରା ମଧ୍ୟରେ ୩.୫ ଡିଗ୍ରିର ବ୍ୟବଧାନ ରହିଥିବା ବେଳେ କେନ୍ଦୁଝରରେ ୩.୫ ଡିଗ୍ରି, ଭୁବନେଶ୍ବରରେ ୩.୧ ଡିଗ୍ରି, ଅନୁଗୁଳରେ ୨.୮ଡିଗ୍ରି ଓ କଟକରେ ୨.୬ ଡିଗ୍ରି ଲେଖାଏଁ କମ୍‌ ରହିଛି। ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ୨ରୁ ୩ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ରାଜ୍ୟର ତାପମାତ୍ରାରେ ଆଉ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ୩ ଦିନ ପରେ ୧୦ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ। ଏହା ପ୍ରଭାବରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଏହାସହ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷାର ମଧ୍ୟ ସମ୍ଭାବନା ରହୁଛି। ଏଥିସହ ୧୧ ଓ ୧୨ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲ୍‌କା ବର୍ଷାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର