ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବାହିତ ହେଉଥିବା ଶୁଷ୍କ ଥଣ୍ଡା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି। ଏଥିସହ ଆସନ୍ତା ଦୁଇ ଦିନ ମଧ୍ୟରେ ପୂର୍ବାଳୀ ଉଷ୍ମ-ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ ଅନେକ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ପ୍ରଭାବରେ ସାରା ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିବ। ଅନ୍ୟପକ୍ଷରେ ଆକାଶ ନିର୍ମଳ ରହୁଥିବାରୁ କେତେକ ଜିଲ୍ଲାରେ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ଅଧିକ ରହିଛି। ଏପରିକି ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିପାରେ। ଏଣୁ ଆସନ୍ତା ୩ ଦିନ ଯାଏଁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଓ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି ହୋଇଛି। ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ। ୨୩ ତାରିଖରେ ୧୩ ଜିଲ୍ଲା, ୨୪ ତାରିଖରେ ୧୪ ଜିଲ୍ଲା ଓ ୨୫ ତାରିଖ ପାଇଁ ୨୧ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପୁଲିସ ଓ ପରିବହନ ବିଭାଗର ଅଧିକାରୀମାନେ ଏଦିଗରେ ପଦକ୍ଷେପ ନେବା ସହ ଘନ କୁହୁଡ଼ି ସମୟରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଯେପରି ସୁରୁଖୁରରେ ହୋଇପାରିବ ତାହାକୁ ସୁନିଶ୍ଚିତ କରିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆର୍‌ସି) ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ସେପଟେ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଲହରି ଜାରି ରହିଛି। ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ ବୃଦ୍ଧି ପାଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ସୁନ୍ଦରଗଡ଼ର ସେମିଳିଗୁଡ଼ାରେ ୫.୬, ଫୁଲବାଣୀରେ ୬, କିରେଇରେ ୭.୧, କୋରାପୁଟରେ ୭.୭, କେନ୍ଦୁଝରରେ ୭.୮, ଦାରିଙ୍ଗବାଡ଼ିରେ ୮, ଅନୁଗୁଳରେ ୮.୬, ଭବାନୀପାଟଣାରେ ୮.୬, ରାଉରକେଲାରେ ୮.୭, ସୁନ୍ଦରଗଡ ଓ ନବରଙ୍ଗପୁରରେ ୯, ସୋନପୁରରେ ୯.୩, ଝାରସୁଗୁଡା ଓ ରାଣୀତାଲରେ ୯.୪, ଚିପିଲିମାରେ ୯.୮ ଡିଗ୍ରି ରହିଥିଲା। କଟକରେ ୧୩.୨, ଭୁବନେଶ୍ବରରେ ୧୩.୪, ବଲାଙ୍ଗୀରରେ ୧୦.୨, ଦେବଗଡ଼ରେ ୧୦.୪, ବୌଦ୍ଧରେ ୧୦.୫, ଢେଙ୍କାନାଳରେ ୧୧, ନୂଆପଡ଼ାରେ ୧୧.୪, ଯାଜପୁର ଓ କେନ୍ଦ୍ରାପଡ଼ାରେ ୧୧.୮, ଜଗତ୍‌ସିଂହପୁର, ଭଦ୍ରକ, ବାରିପଦା, ତାଳଚେର ଓ ସମ୍ବଲପୁରରେ ୧୨ ଡିଗ୍ରି ରହିଥିଲା। ତେବେ ଶିମିଳିପାଳ ଅଭୟାରଣ୍ୟରେ ଆଜି ମଧ୍ୟ ଥଣ୍ଡା ଜାରି ରହିଛି। ୟୁବିକେରେ ତାପମାତ୍ରା ୩ ଡିଗ୍ରି ରହିଥିବା ବେଳେ ଚହଲାରେ ୪, ନୱାନରେ ୬, ବରେହିପାଣି ଓ ଗୁରୁଗୁରିଆରେ ୭ ଓ ରାମତୀର୍ଥରେ ୧୦ ଡିଗ୍ରି ରେକର୍ଡ କରାଯାଇଥିବା ସୂଚନା ମିଳିଛି।