ଭୁବନେଶ୍ବର: ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟର ପଶ୍ଚିମା ଗତି ଯୋଗୁଁ ଆଜିଠାରୁ ରାଜ୍ୟ ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁର ପ୍ରବାହ ବୃଦ୍ଧି ପାଇଛି। ମଙ୍ଗଳବାର ମଧ୍ୟରାତି ଅର୍ଥାତ୍‌ ଜିରୋ ନାଇଟ୍‌ରୁ ସର୍ବନିମ୍ନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ହ୍ରାସ ଓ ଶୀତ ବୃଦ୍ଧି ପାଇବାରେ ସମ୍ଭାବନା ରହିଛି। ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାକୁ ଥିବାରୁ ଶୀତ ଅନୁଭୂତ ହେବ। ୨୦୨୫ ଜାନୁଆରିର ପ୍ରଥମ ସପ୍ତାହରେ ଶୀତ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ସିମିଳିଗୁଡ଼ାରେ ୧୧.୮, ଦାରିଙ୍ଗବାଡ଼ିରେ ୧୨, କୋରାପୁଟରେ ୧୨.୪, ଫୁଲବାଣୀରେ ୧୩.୫, ନୟାଗଡ଼ରେ ୧୪, ରାଉରକେଲାରେ ୧୪.୨, ଯାଜପୁରରେ ୧୪.୮ ଡିଗ୍ରି ରହିଥିଲା।