ରାଜ୍ୟରେ ସପ୍ତାହେ ଲୁଚକାଳି ଖେଳିବ ଶୀତ

ଭୁବନେଶ୍ବର : ସପ୍ତାହେ ଯାଏ ଲୁଚକାଳି ଖେଳିବ ଶୀତ। ଆସନ୍ତକାଲିଠାରୁ ରାଜ୍ୟରେ ପୂର୍ବା ପବନର ପ୍ରବାହ ଯୋଗୁଁ ତାପମାତ୍ରା ବଢ଼ିବ। ୨୦ ତାରିଖ ଯାଏଁ ଶୀତ ଉଭେଇଯିବ। ପୁଣି ୨୧ରୁ ୨୩ ତାରିଖ ୨ଦିନ ଶୀତ ଅନୁଭୂତ ହେବା ପରେ ରାଜ୍ୟର ତାପମାତ୍ରା ଊର୍ଧ୍ବମୁଖା ହେବ। ଏହିଭଳି ଭାବେ ଆସନ୍ତା ସାତ ଦିନ ପାଣିପାଗରେ ବାରମ୍ବାର ପରିବର୍ତ୍ତନ ‌ଯୋଗୁଁ ରାଜ୍ୟରେ ଶୀତର ଲୁଚକାଳି ଖେଳ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରାରେ ବି‌ଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଆସନ୍ତାକାଲି (ସୋମବାର) ରାତିଠାରୁ ରାଜ୍ୟକୁ ପୂର୍ବା ପବନର ପ୍ରବାହ ହେତୁ ତାପମାତ୍ରା ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା‌ ପରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ପାରଦ ଊର୍ଧ୍ବଗାମୀ ହେବ। ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୨ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୧୯ ଓ ୨୦ ତାରିଖରେ ରାଜ୍ୟରେ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ। ୨୧ ତାରିଖରୁ ପାରଦ ପୁଣି ନିମ୍ନଗାମୀ ହେବା ସହ ଶୀତ ବଢ଼ିବ। ଏହିଭଳି ଭାବେ ପାଣିପାଗରେ ତାରତମ୍ୟ ଏ ସପ୍ତାହରେ ଦେଖିବାକୁ ମିଳିବ ବୋଲି କେନ୍ଦ୍ର ସୂଚନା ଦେଇଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ଅନୁରୂପ ଆକଳନ କରିଛନ୍ତି। ସେ କହିଛନ୍ତି, ବିଶେଷ ଭାବେ ଶୀତର ଏହି ଲୁଚକାଳି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ରହିବ। ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। କୁହୁଡ଼ି ଜାରି ରହିବ। ଆଭ୍ୟନ୍ତରୀଣ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ୧୯ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ ଡିଗ୍ରି ପର୍ଯ୍ରନ୍ତ ବଢ଼ିବ। ସର୍ବଧିକ ତାପମାତ୍ରା ମଧ୍ୟ ସେହି ପରିମାଣରେ ବଢ଼ିବାର ସମ୍ଭାବନା ରହିଛି। ଏହି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨୦ ତାରିଖରୁ ଓ ସର୍ବାଧିକ ତାପମାତ୍ରା ୨୧ ତାରିଖରୁ ପୁଣି କମିବା ଆରମ୍ଭ ହେବ। ୨୨ ତାରିଖ ସୁଦ୍ଧା ଉଭୟ ତାପମାତ୍ରା ୨ରୁ ୩ ଡିଗ୍ରି କମିଲା ପରେ ୨୩ ତା‌ରିଖରୁ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଆଭ୍ୟନ୍ତର ଉତ୍ତର ଓଡ଼ିଶାରେ ମଧ୍ୟ ତାପମାତ୍ରା ପ୍ରାୟତଃ ସେହିପରି ବଢ଼ିବ ଓ କମିବ। ତେବେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ତାପମାତ୍ରା ପରିବର୍ତ୍ତନ କିଛି ଅଲଗା ରହିବ। ଏଠି ୨୦ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ଓ ସର୍ବାଧିକ ତାପମାତ୍ରା ୫ ଡିଗ୍ରି ବଢ଼ିବ। ଏହାପରେ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ଅପରିବର୍ତ୍ତିତ ରହିବ। ବର୍ତ୍ତମାନର କୁହୁଡ଼ି ଜାରି ରହିବ। ୨୧ରୁ କୁହୁଡ଼ି ଘନତା ବଢ଼ିବାର ସମ୍ଭାବନା ରହିଛି।

ଆଜି ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ। ଝାରସୁଗୁଡ଼ା ଓ କନ୍ଧମାଳ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ ସ୍ବାଭାବିକଠାରୁ କମ୍ ‌ରେକର୍ଡ ହୋଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଦାରିଙ୍ଗବାଡ଼ି ୮, ଝାରସୁଗୁଡ଼ା ୮.୨, ବୌଦ୍ଧ ଓ ବଲାଙ୍ଗୀରରେ ୯ , ସୁନ୍ଦରଗଡ଼ ୧୦ ଓ ସୋନପୁରରେ ୯.୮ ଡିଗ୍ରି ରେକର୍ଡ ହୋଇଛି। ଏହିଭଳି ଭାବେ ରାଜ୍ୟର ଏହି ୭ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳକୁ ଓ ଆହୁରି ୬ଟି ସ୍ଥାନରେ ୧୨ଡିଗ୍ରି ତଳକୁ ରହିଛି। ରାଜ୍ୟର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ‌ଦେଖିବାକୁ ମିଳିଛି। ପୁରୀ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେଇଥିଲା।

ସମ୍ବନ୍ଧିତ ଖବର