୨ ଦିନ ପରେ ଫେରିବ ଶୀତ, ପାରଦସ୍ତର ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି। ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗଠାରେ ୧୯.୨ ମିମି ରେକର୍ଡ ହୋଇଛି। ଏହାବ୍ୟତୀତ ବାଲେଶ୍ବର ଜିଲ୍ଲା ଭୋଗରାଇରେ ୧୮.୦ ମିମି ବର୍ଷା ହୋଇଯାଇଛି। ଶୁକ୍ରବାର ସକାଳେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୯.୫ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଛି। ଆସନ୍ତା ୫ ଦିନରେ ରାଜ୍ୟରେ ପାଗ ଶୁଖିଲା ରହିବ। ଏଥିସହ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ପାରଦସ୍ତର ଖସିବ। ଫଳରେ ଶୀତ ବଢ଼ିବ। ଏହି ଦୁଇ ଦିନରେ ପାରଦସ୍ତର ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ଆହୁରି କହିଛି, ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଯାଇଛି। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ତଳକୁ ଖସିଛି। କଟକଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୧.୪ ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୨୭.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ରାଜଧା‌ନୀ ସମେତ ଏହାର ଆଖପାଖ ଅଞ୍ଚଳର ସର୍ବାଧିକ ତ‌ାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ମଧ୍ୟରେ ରହିବ। ପାଗ ଆଂଶିକ ମେଘୁଆ ରହିବ ଓ ଖରା କମ୍‌ ରହିବ।

ସମ୍ବନ୍ଧିତ ଖବର